ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ’ ଯୋଜନାକୁ ବିରୋଧ କରି ଦେଶବ୍ୟାପୀ ଜାରି ରହିଥିବା ହିଂସାତ୍ମକ ଆନ୍ଦୋଳନକୁ ବାୟୁସେନା ମୁଖ୍ୟ ଭିଆର ଚୌଧାରୀ କଡ଼ା ନିନ୍ଦା କରିଛନ୍ତି। ଯୋଜନାକୁ ବିରୋଧ କରି ଯେଉଁମାନେ ହିଂସାରେ ସାମିଲ ହୋଇଛନ୍ତି ସେମାନଙ୍କୁ ପରବର୍ତ୍ତୀ ସମୟରେ ବହୁ ମୂଲ୍ୟ ଦେବାକୁ ପଡ଼ିବ। ଯଦି ହିଂସାରେ କେହି ସାମିଲ ଥିବେ ତେବେ ତାଙ୍କୁ ପୁଲିସ କ୍ଲିୟରାନ୍ସ ମିଳିବନାହିଁ। ଅଗ୍ନିପଥ ଯୋଜନାକୁ ବାୟୁସେନା ମୁଖ୍ୟ ଦୃଢ଼ ସମର୍ଥନ କରିଛନ୍ତି। ସେନାରେ ଯୋଗ ଦେବାପାଇଁ ଆନ୍ଦୋଳନରତ ଆଶାୟୀ ପ୍ରାର୍ଥୀଙ୍କୁ ଏକ ବାର୍ତ୍ତା ଦେଇ ଭି ଆର ଚୌଧାରୀ କହିଛନ୍ତି, ହିଂସା କୌଣସି ଉତ୍ତର ଦେଇପାରିବ ନାହିଁ।
ଯୋଜନାକୁ ଭଲଭାବେ ବୁଝିବାରେ ହିଁ ସମାଧାନ ରହିଛି। ଯଦି ଯୁବଗୋଷ୍ଠୀଙ୍କର କିଛି ସନ୍ଦେହ ଅଛି ତେବେ ସେମାନେ ନିକଟସ୍ଥ ଅଞ୍ଚଳରେ ଥିବା ବିଭିନ୍ନ ସାମରିକ ଷ୍ଟେସନ୍କୁ ଯାଇ ସନ୍ଦେହ ଦୂର କରିପାରିବେ। ଏମିତି ଭଙ୍ଗାରୁଜା ଏବଂ ପୋଡ଼ାଜଳାରେ କିଛି ସମାଧାନ ହୁଏନାହିଁ। ବାୟୁସେନା ମୁଖ୍ୟ କହିଛନ୍ତି, ଆଶାୟୀ ପ୍ରାର୍ଥୀମାନେ ଏହା ଜାଣିବା ଉଚିତ ଯେ ନୂଆ ନିଯୁକ୍ତି ଯୋଜନା ସେମାନଙ୍କ ପାଇଁ ଉପକାରୀ ହେବ। ଥରେ ଜଣେ ଏହି ଯୋଜନାକୁ ଭଲଭାବେ ବୁଝିପାରିଲେ ଏହାର ଉପକାରିତା ସଂକ୍ରାନ୍ତରେ ଜାଣିପାରିବେ। ବାୟୁସେନା ମୁଖ୍ୟ କହିଛନ୍ତି, ଏଭଳି ହିଂସା ହେବ ବୋଲି ଆମେ କେବେ ଆଶା କରିନଥିଲୁ। ଆମେ ଏଭଳି ହିଂସାକୁ କଡ଼ା ନିନ୍ଦା କରୁଛୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/70542036-64e8-4613-8e8f-75e47a0c71af.jpg)