ନୂଆଦିଲ୍ଲୀ: ଚେନ୍ନାଇରେ ଜନ୍ମିତ ଅରବିନ୍ଦ ଶ୍ରୀନିବାସ ଏବେ ଏକ ନୂତନ ମାଇଲଖୁଣ୍ଟ ହାସଲ କରିଛନ୍ତି। ସେ ଭାରତର ସବୁଠାରୁ କମ୍ ବୟସ୍କ ଅରବପତି ହୋଇଛନ୍ତି। ଏହି ସୂଚନା ଏମ୩ଏମ୍ ହୁରୁନ୍ ଇଣ୍ଡିଆ ରିଚ୍ ଲିଷ୍ଟ ୨୦୨୫ରୁ ମିଳିଛି। ସେ ୨୦୨୨ରେ ଏକ ଏଆଇ ଷ୍ଟାର୍ଟଅପ୍ ଆରମ୍ଭ କରିଥିଲେ, ଯାହା ତାଙ୍କୁ ଏବେ ସର୍ବକନିଷ୍ଠ ଅରବପତି କରିଛି। ଶ୍ରୀନିବାସ ପର୍ପ୍ଲେକ୍ସିଟି ଏଆଇର ସିଇଓ ଏବଂ ସହ-ପ୍ରତିଷ୍ଠାତା। ଏହି ଏଆଇ ପ୍ଲାଟଫର୍ମଟିର ଲୋକପ୍ରିୟତା ଏବେ ବୃଦ୍ଧି ପାଇବା ସହ ଏଥିରେ ଏବେ ୨.୨ କୋଟି ସକ୍ରିୟ ଉପଭୋକ୍ତା ଅଛନ୍ତି।

Advertisment

ରିପୋର୍ଟ ଅନୁଯାୟୀ, ଅରବିନ୍ଦ ଶ୍ରୀନିବାସଙ୍କ ସମ୍ପତ୍ତି ଏବେ ମୋଟ ୨୧,୧୯୦କୋଟିରେ ପହଞ୍ଚିଛି। ଏହି ତାଲିକାରେ ଜେପ୍ଟୋର ସହ-ପ୍ରତିଷ୍ଠାତା କୈବଲ୍ୟ ବୋହରା (୨୨) ଏବଂ ଆଦିତ୍ ପାଲିଚା (୨୩)ଙ୍କ ଭଳି ଆହୁରି ଅନେକ ବ୍ୟକ୍ତି ମଧ୍ୟ ଅଛନ୍ତି। ରିପୋର୍ଟ ଅନୁଯାୟୀ, ଭାରତରେ ଏବେ ୩୫୮ ଜଣ ଅରବପତି ଅଛନ୍ତି। ୧,୬୮୭ ଜଣ ଏପରି ଅଛନ୍ତି ଯାହାଙ୍କ ମୋଟ ସମ୍ପତ୍ତି ୧,୦୦୦ କୋଟିରୁ ଅଧିକ।

ଅରବିନ୍ଦ ଶ୍ରୀନିବାସ କିଏ?

ଅରବିନ୍ଦ ଶ୍ରୀନିବାସ ୧୯୯୪ ମସିହା ଜୁନ୍ ୭ ତାରିଖରେ ଚେନ୍ନାଇରେ ଜନ୍ମଗ୍ରହଣ କରିଥିଲେ। ସେ ପିଲାଦିନରୁ ବିଜ୍ଞାନ ଏବଂ ସମସ୍ୟାର ସମାଧାନରେ ଆଗ୍ରହୀ ଥିଲେ। ତା’ପରେ ସେ ଆଇଆଇଟି ମାଡ୍ରାସରୁ ବୈଦ୍ୟୁତିକ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଥିଲେ। ଏହା ପରେ ସେ ବର୍କଲେରୁ କମ୍ପ୍ୟୁଟର ବିଜ୍ଞାନରେ ପିଏଚଡି ହାସଲ କରିଥିଲେ, ଯେଉଁଠାରେ ସେ ରିଇନଫୋର୍ସମେଣ୍ଟ ଲର୍ଣ୍ଣିଂ, ଇମେଜ୍ ଜେନେରେସନ୍ ଏବଂ ଟ୍ରାନ୍ସଫର୍ମର-ଆଧାରିତ ଭିଜନ ମଡେଲ୍ ଉପରେ କାମ କରିଥିଲେ।

ପର୍ପ୍ଲେକ୍ସିଟି ଏଆଇ ୨୦୨୨ ମସିହାରେ ଆରମ୍ଭ ହୋଇଥିଲା। ଏହାକୁ ଅରବିନ୍ଦ ଶ୍ରୀନିବାସ ଡେନିସ୍ ୟାରାଟ୍ସ ଏବଂ ଆଣ୍ଡି କୋନୱିନ୍ସକିଙ୍କ ସହ ମିଶି ଆରମ୍ଭ କରିଥିଲେ। ଏହା ପଛରେ ସେମାନଙ୍କର ଧାରଣା ବହୁତ ସରଳ ଥିଲା। ସେମାନେ ଏପରି ଏକ ଚାଟବଟ୍ ଆଧାରିତ ସର୍ଚ୍ଚ ଇଞ୍ଜିନ୍ ତିଆରି କରିବାକୁ ଚାହୁଁଥିଲେ, ଯାହା ଲୋକଙ୍କ ପ୍ରଶ୍ନର ଉତ୍ତର ଦେଇପାରିବ। ଏବେ ଏହାର ଲୋକପ୍ରିୟତା ବଢ଼ିଛି ଏବଂ ପର୍ପ୍ଲେକ୍ସିଟି ଏଆଇ ବିଶ୍ୱବ୍ୟାପୀ ୨.୨ କୋଟି ସକ୍ରିୟ ଉପଭୋକ୍ତା ନିଜ ସହ ଯୋଡ଼ିପାରିଛି।

perplexity