ରିୟାଦ : ପ୍ରବାସୀ ଓଡ଼ିଆ ସଂଗଠନ ‘ଗ୍ଲୋବାଲ ଓଡ଼ିଆ ଡାଏସପୋରା’ ହସ୍ତକ୍ଷେପ ଯୋଗୁଁ ସାଉଦି ଆରବର ରାଜଧାନୀ ରିୟାଦରେ କାର୍ଯ୍ୟରତ ନିର୍ଯାତିତ ଜଣେ ପ୍ରବାସୀ ଓଡ଼ିଆ ନ୍ୟାୟ ପାଇଛନ୍ତି।
ସୂଚନାନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ଖଡ଼ିପଦର ଅଞ୍ଚଳର ଅଭିମନ୍ୟୁ ସାମନ୍ତରାୟ ନାମକ ଜଣେ ଯୁବକ ସେଠାକାର ଏକ କମ୍ପାନିରେ କାମ କରୁଥିଲେ। କିନ୍ତୁ ଯେଉଁ କାମ ଓ ଦରମା ଦେବା ପାଇଁ ଚୁକ୍ତି କରିଥିଲା, କମ୍ପାନି ତାହା ପାଳନ କରିନଥିଲା। ଫଳରେ ସେଠାରେ ଜୀବିକା ନିର୍ବାହ କରିବା ତାଙ୍କ ପରିବାର ପକ୍ଷେ କଷ୍ଟକର ହୋଇପଡ଼ିଥିଲା। ଏପରିକି ଅର୍ଥାଭାବରୁ ସେଠାକାର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ତାଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇଯାଇଥିଲା। ଏ ସଂପର୍କରେ ଅଭିମନ୍ୟୁ ବିଭିନ୍ନ ଫୋରମ୍ରେ ଅଭିଯୋଗ କରିବା ପରେ ମଧ୍ୟ ତାଙ୍କୁ ସହାୟତା ମିଳି ପାରିନଥିଲା। ତେବେ ‘ଗ୍ଲୋବାଲ ଓଡ଼ିଆ ଡାଏସପୋରା’ ଏ ସଂପର୍କରେ ଜାଣିବା ପରେ ଅନୁଷ୍ଠାନର ପ୍ରତିଷ୍ଠାତା ନିର୍ଦ୍ଦେଶକ ଅରୁଣ କୁମାର ପ୍ରହରାଜ ରିୟାଦ୍ସ୍ଥିତ ଭାରତୀୟ ଦୂତାବାସକୁ ଚିଠି ଲେଖି କାର୍ଯ୍ୟାନୁଷ୍ଠାନ ପାଇଁ ନିବେଦନ କରିଥିଲେ। ଦୂତାବାସ ଏଥିରେ ହସ୍ତକ୍ଷେପ କରି ଅଭିମନ୍ୟୁଙ୍କୁ ନ୍ୟାୟ ଦେବାରେ ସାହାଯ୍ୟ କରିଥିଲେ। ଏବେ ଅଭିମନ୍ୟୁଙ୍କୁ ଚୁକ୍ତି ଅନୁଯାୟୀ କାମ ଓ ଦରମା ମିଳୁଥିବା ଜଣାଯାଇଛି।