ଗପ ନୁହେଁ : ୬୮ ବର୍ଷ ତଳର ୨୮ ଟଙ୍କା ବାକି ଫେରାଇବାକୁ ଆମେରିକାରୁ ଆସିଲେ ଭାରତ, ମିଠା ଦୋକାନୀଙ୍କୁ ଦେଲେ ୧୦ ହଜାର ଟଙ୍କା

ଚଣ୍ଡିଗଡ଼:  ଦେଶରୁ ଶହ ଶହ କୋଟି ଟଙ୍କା ଋଣ ନେଇ ଫେରାର ହୋଇଯାଉଛନ୍ତି ବ୍ୟବସାୟୀ । ସାମାନ୍ୟ କେଇଟା ଟଙ୍କା ପାଇଁ ଭାଇ ସାଜୁଛି ଭଗାରୀ । ଏପରି ସ୍ଥଳେ ମାତ୍ର ୨୮ ଟଙ୍କାର ଉଧାର ଫେରାଇବାକୁ ଜଣେ ବ୍ୟକ୍ତି ଆମେରିକାରୁ ଭାରତ ଆସିବା ଓ ତାହା ପୁଣି ୬୮ ବର୍ଷ ପରେ, ଏଭଳି କଥା ହଠାତ୍ ବିଶ୍ବାସ କରିହୁଏ ନାହିଁ। କିନ୍ତୁ ଅବିଶ୍ୱାସ୍ୟ ମନେ ହେଉ ଥିଲେ ବି କଥାଟି ସତ। ଜାତୀୟ ଗଣମାଧ୍ୟମରେ ଏହି ଘଟଣା ବେଶ୍ ଚର୍ଚ୍ଚିତ ହୋଇଛି।

ଆମେରିକାରେ ନିଜ ପୁଅ ପାଖରେ ରହୁଥିବା ଜଣେ ବ୍ୟକ୍ତି ୬୮ ବର୍ଷ ତଳେ ଜଣେ ବ୍ୟବସାୟୀଙ୍କଠାରୁ ନେଇଥିବା ୨୮ ଟଙ୍କାର ଉଧାରକୁ ଭୁଲି ନଥିଲେ । ଦୀର୍ଘ ୬୮ ବର୍ଷ ପରେ ସେହି ବ୍ୟକ୍ତି, ଯାହାଙ୍କୁ ଏବେ ୮୫ ବର୍ଷ, ସେ ମାତ୍ର ୨୮ ଟଙ୍କା ଫେରାଇବାକୁ ସୁଦୂର ଆମେରିକାରୁ ଭାରତର ହରିଆଣା ଚାଲିଆସିଛନ୍ତି । ସେ ଉଧାର କରିଥିବା ୨୮ ଟଙ୍କା ବଦଳରେ ଉଧାର ଦେଇଥିବା ବ୍ୟବସାୟୀଙ୍କ ଉତ୍ତରାଧୀକାରୀଙ୍କୁ ୧୦ ହଜାର ଟଙ୍କା ଫେରସ୍ତ କରିଛନ୍ତି ।

ହରିଆଣାର ପ୍ରଥମ ନୌସେନା ସାହସିକତା ପୁରସ୍କାରରେ ସମ୍ମାନିତ ହୋଇଥିବା ନୌସେନା କମାଣ୍ଡର ବି ଏସ ଓପ୍ପଲ ଅବସର ପରେ ନିଜ ପୁଅ ପାଖକୁ ଆମେରିକା ଚାଲିଯାଇଥିଲେ । ହେଲେ ଏବେ ସେ ହରିଆଣା ହିସାର ଜିଲ୍ଲାର ମୋତି ବଜାରସ୍ଥିତ ‘ଦିଲ୍ଲୀ ବାଲା ମିଠା’ ଦୋକାନରେ ହଠାତ ପହଞ୍ଚି ଦୋକାନୀକୁ କହିଥିଲେ କି ତୁମ ଜେଜେ ଶମ୍ଭୁ ଦୟାଲ ବଂସଲଙ୍କଠାରୁ  ୧୯୫୪ ମସିହାରେ ୨୮ ଟଙ୍କା ବାକି ନେଇଥିଲି, ତାହା ମୁଁ ଏବେ ଫେରାଇବି । ମତେ ଅଚାନକ ଏହି ସହର ଛାଡି ନୌସେନାରେ ଯୋଗ ଦେବାକୁ ପଡିଥିଲା । ଏହି କାରଣରୁ ମୁଁ ତୁମ ଜେଜେଙ୍କ ଉଧାର ୨୮ ଟଙ୍କା ଫେରାଇପାରି ନଥିଲି ।

ଉପ୍ପଲ ଦୋକାନୀ ଜଣଙ୍କୁ କହିଥିଲେ କି ତୁମ ଜେଜେଙ୍କ ସମୟରେ ମୁଁ ଏଠାରେ ଦହିଲସି ପିଉଥିଲି , ହେଲେ କୌଣସି କାରଣରୁ ଥରେ ତୁମ ଜେଜେଙ୍କୁ ୨୮ ଟଙ୍କା ଦେଇପାରି ନଥିଲି । ନୌସେନାରେ ଚାକିରି କରିବା ପରେ ହିସାର ଆସିବାର ସୁଯୋଗ ମିଳି ନଥିଲା ଓ ଅବସର ପରେ ମୁଁ ମୋ ପୁଅ ପାଖକୁ ଆମେରିକା ଚାଲିଯାଇଥିଲି । ହେଲେ ସେଠାରେ ଦୁଇଟି କଥା ମୋତେ ସବୁବେଳେ ହିସାର ଆସିବାକୁ ଉତ୍ସାହିତ କରୁଥିଲା । ପ୍ରଥମଟି ତୁମ ଜେଜେଙ୍କର ୨୮ ଟଙ୍କା ଉଧାର ଫେରାଇବା ଓ ଅନ୍ୟଟି ମୁଁ ଏଠାରେ ପଢୁଥିବା ସ୍କୁଲକୁ ଥରେ ଦେଖିବା ।

ଏହାପରେ କମାଣ୍ଡର ବି ଏସ ଓପ୍ପଲ ଦୋକାନୀ ବିନୟ ବଂସଲଙ୍କ ହାତରେ ୨୮ ଟଙ୍କା ବଦଳରେ ୧୦ ହଜାର ଟଙ୍କା ଦେଇଥିଲେ । ହେଲେ ଏହାକୁ ଗ୍ରହଣ କରିବାକୁ ରାଜି ନଥିଲେ ବିନୟ ବଂସଲ । ଏହାପରେ ଓପ୍ପଲ ବାଧ୍ୟ କରି ଦୋକାନୀଙ୍କ ହାତରେ ୧୦ ହଜାର ଟଙ୍କା ଦେଇଥିଲେ ।

ସମ୍ବନ୍ଧିତ ଖବର