ଚେନ୍ନାଇ : ଜଣେ ମହିଳା ସାମ୍ବାଦିକଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିବା ଅଭିନେତା ତଥା ବିଜେପି ନେତା ଏସଭି ଶେଖରଙ୍କ ବିରୋଧରେ ଆରମ୍ଭ ହୋଇଥିବା ଅପରାଧିକ ପ୍ରକ୍ରିୟାକୁ ରଦ୍ଦ କରିବାକୁ ମାଡ୍ରାସ ହାଇକୋର୍ଟ ମନା କରିଦେଇଛନ୍ତି ।

Advertisment

ଶେଖର ଏପ୍ରିଲ ୨୦୧୮ରେ ନିଜ ଫେସବୁକ୍ ଆକାଉଣ୍ଟରୁ ଅପମାନଜନକ ଓ ଅଶ୍ଳୀଳ ମନ୍ତବ୍ୟ ଦେବା ପରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ମାମଲାର ବିଚାର କରୁଥିବା ଜଷ୍ଟିସ ଆନନ୍ଦ ଭେଙ୍କଟେଶ କହିଛନ୍ତି ଯେ ଶେଖର ଜଣେ ପ୍ରଭାବଶାଳୀ ବ୍ୟକ୍ତି ଏବଂ (ସୋସିଆଲ ମିଡିଆରେ) ତାଙ୍କର ଅନେକ ଅନୁଗାମୀ (ଫଲୋଅର୍ସ) ଅଛନ୍ତି ଏବଂ ସେ ମେସେଜ କରିବା ସମୟରେ ଅଧିକ ସତର୍କ ରହିବା ଉଚିତ୍ ଥିଲା ।

ନିଜ ରାୟରେ ହାଇକୋର୍ଟ କହିଛନ୍ତି, ଜଣେ ବ୍ୟକ୍ତି ସମାଜରେ ଯେତେ ଲୋକପ୍ରିୟ, ସମାଜକୁ ଦେଇଥିବା ବାର୍ତ୍ତାରେ ତାଙ୍କର ଦାୟିତ୍ୱ ସେତେ ଅଧିକ । ଏହି ମାମଲାରେ ଆବେଦନକାରୀ ବିପୁଳ ଫଲୋଅର୍ସ ଥିବା ଜଣେ ପ୍ରଭାବଶାଳୀ ବ୍ୟକ୍ତି ଶ୍ରେଣୀରେ ଅନ୍ତର୍ଭୁକ୍ତ ଏବଂ ସେ ତାଙ୍କ ଫେସବୁକ୍ ଆକାଉଣ୍ଟରୁ ମେସେଜ୍ ଫରୱାର୍ଡ କରିବା ପୂର୍ବରୁ ଅଧିକ ସତର୍କ ରହିବା ଉଚିତ୍ ଥିଲା । ଯଦି ଏଭଳି ସତର୍କତାକୁ ଅଣଦେଖା କରାଯାଏ ଏବଂ ଫଳସ୍ୱରୂପ ଏହା ଅତ୍ୟନ୍ତ ଗମ୍ଭୀର ପ୍ରଭାବ ପକାଇଥାଏ, ତେବେ ଆବେଦନକାରୀଙ୍କୁ ନିଶ୍ଚିତ ଭାବରେ ଏହାର ସମ୍ମୁଖୀନ ହେବାକୁ ପଡିବ ଏବଂ ସେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରି ଦଣ୍ଡରୁ ବର୍ତ୍ତିବାକୁ ଚେଷ୍ଟା କରିପାରିବେ ନାହିଁ ।

ଶୁଣାଣି ବେଳେ ଜଷ୍ଟିସ୍ ଶେଖର କହିଥିଲେ ଯେ ସେ କେବଳ ଅନ୍ୟର ଏକ ମେସଜକୁ ଫରଓ୍ବାର୍ଡ କରିଥିଲେ ଓ ତୁରନ୍ତ ତାହାକୁ ଡିଲିଟ୍ କରିଦେଇଥିଲେ । କିନ୍ତୁ ଏଥିରେ ସନ୍ତୁଷ୍ଟ ନ ହୋଇ କୋର୍ଟ ମନ୍ତବ୍ୟ ଦେଇଥିଲେ ଯେ, ଆମେ ଏପରି ଏକ ଯୁଗରେ ରହୁଛୁ ଯେଉଁଠି ସୋସିଆଲ ମିଡିଆ ପ୍ରାୟ ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନକୁ ନିଜ ଅକ୍ତିଆରକୁ ନେଇଯାଇଛି, ଯେଉଁଠାରେ ପ୍ରତ୍ୟେକ ମେସେଜ୍ ମାତ୍ର କିଛି ସମୟ ମଧ୍ୟରେ ବିଶ୍ୱର କୋଣ ଅନୁକୋଣରେ ପହଞ୍ଚିପାରିବ । କୋର୍ଟ କହିଛନ୍ତି ଯେ ବାର୍ତ୍ତା ଲେଖିବା କିମ୍ବା ଫରୱାର୍ଡ କରିବା ସମୟରେ ପ୍ରତ୍ୟେକ ବ୍ୟକ୍ତି ସାମାଜିକ ଦାୟିତ୍ୱ ନିର୍ବାହ କରିବା ଉଚିତ୍ । ଯେଉଁ ବ୍ୟକ୍ତି ମେସେଜ୍ ଫରଓ୍ବାର୍ଡ କରିଛନ୍ତି ସେ ତାହାର ବିଷୟବସ୍ତୁ ପାଇଁ ଦାୟୀ ।