ପ୍ରଚାର ବେଳେ ବ୍ୟକ୍ତିଗତ ସ୍ତରକୁ ଖସିଲେ, ‘ନାଇଡ଼ୁ ଏନ୍‌ଟିଆର୍‌ଙ୍କ ପିଠିରେ ଛୁରି ମାରିଛନ୍ତି’

‘ପତ୍ନୀ ଛାଡ଼ିଥିବା ମୋଦୀଙ୍କୁ ପରିବାର ମୂଲ୍ୟବୋଧ ଜଣାନାହିଁ’

ଅମରାବତୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆନ୍ଧ୍ର ପ୍ରଦେଶର ଗୁଣ୍ଟୁରରେ ଅନୁଷ୍ଠିତ ରୢାଲିରେ ଟିଡିପି ସୁପ୍ରିମୋ ଚନ୍ଦ୍ରବାବୁ ନାଇଡ଼ୁ ଏବଂ କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି। ନାଇଡ଼ୁ ଆନ୍ଧ୍ର ପ୍ରଦେଶର ଲୋକଙ୍କ ସହ ପ୍ରତାରଣା କରିଛନ୍ତି ଏବଂ ବିକାଶରୁ ଦୂରେଇ ଯାଇ ‘ମହାମିଲାବଟ୍‌ ମେଣ୍ଟ’ରେ ସାମିଲ ହୋଇଛନ୍ତି। ନାଇଡ଼ୁ ନିଜ ଶ୍ବଶୁର ଏନ୍‌ଟି ରାମାରାଓଙ୍କ ପିଠିରେ ଛୁରି ଭୁଶିଛନ୍ତି। ଏନ୍‌ଟିଆର୍‌ଙ୍କ ସବୁ ନୀତି ଓ ଆଦର୍ଶକୁ ସେ ଜଳାଂଜଳି ଦେଇ ଖଳ ଶକ୍ତିମାନଙ୍କ ସହିତ ସାମିଲ ହୋଇଯାଇଛନ୍ତି ବୋଲି ମୋଦୀ କହିଛନ୍ତି। ପ୍ରଧାନମନ୍ତ୍ରୀ ଆଜି ତାଙ୍କ ଭାଷଣରେ ବାରମ୍ବାର ଚନ୍ଦ୍ରବାବୁଙ୍କୁ ଏନ୍‌.ଲୋକେଶଙ୍କ ପିତା କହି ସମ୍ବୋଧନ କରିଥିଲେ। ମୋଦୀ କହିଥିଲେ ଯେ ଚନ୍ଦ୍ରବାବୁ ତାଙ୍କୁ ବାରମ୍ବାର ନିଜକୁ ତାଙ୍କଠାରୁ ବରିଷ୍ଠ ବୋଲି କହିଥାନ୍ତି। କିନ୍ତୁ ନାଇଡ଼ୁ ଏବେ ଦଳ ବଦଳ ଏବଂ ନୂଆ ନୂଆ ମେଣ୍ଟରେ ସାମିଲ ହେବାରେ ମଧ୍ୟ ବରିଷ୍ଠତା ହାସଲ କରିଛନ୍ତି। ନାଇଡ଼ୁ ଆଜି ଯାହାଙ୍କୁ ଗାଳି ଦିଅନ୍ତି, ତା’ ପରଦିନ ସେମାନଙ୍କ କୋଳରେ ହିଁ ବସିବାକୁ ଯାଇଥାନ୍ତି। ଆନ୍ଧ୍ର ପ୍ରଦେଶର ଲୋକଙ୍କୁ ପ୍ରତାରିତ କରିବା ଏବଂ କେବଳ ନ୍ୟସ୍ତ ସ୍ବାର୍ଥ ହାସଲ ପାଇଁ ନିଜ ରାଜନୈତିକ ଚାଲ୍‌ ଖେଳିବାରେ ନାଇଡ଼ୁ ବେଶ୍‌ ପୋଖତ ବୋଲି ମୋଦୀ କହିଥିଲେ।

‘ପତ୍ନୀ ଛାଡ଼ିଥିବା ମୋଦୀଙ୍କୁ ପରିବାର ମୂଲ୍ୟବୋଧ ଜଣାନାହିଁ’
ଅମରାବତୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଚନ୍ଦ୍ରବାବୁ ନାଇଡ଼ୁଙ୍କୁ ‘ଲୋକେଶଙ୍କ ପିତା’ କହି ସମ୍ବୋଧନ କରିଥିବାରୁ ଏହାର ଜବାବରେ ନାଇଡ଼ୁ ମୋଦୀଙ୍କ ପତ୍ନୀ ଯଶୋଦାବେନଙ୍କ ପ୍ରସଙ୍ଗ ଉଠାଇଛନ୍ତି। ନାଇଡ଼ୁ କହିଛନ୍ତି- ଆପଣ ପତ୍ନୀଙ୍କୁ ଛାଡ଼ି ଦେଇଛନ୍ତି, ପାରିବାରିକ ମୂଲ୍ୟବୋଧ ପ୍ରତି ଆପଣଙ୍କର କୌଣସି ସମ୍ମାନ ନାହିଁ। ଆପଣଙ୍କର କୌଣସି ପରିବାର କିମ୍ବା ପୁଅ ନଥିବାରୁ ସେ ସଂପର୍କରେ ଆପଣଙ୍କୁ କିଛି ଜଣାନାହିଁ ବୋଲି ନାଇଡ଼ୁ କହିଛନ୍ତି। ଆନ୍ଧ୍ର ଜନତା ମୋଦୀଙ୍କୁ କ୍ଷମା ଦେବେନାହିଁ ଏବଂ ଆଗାମୀ ନିର୍ବାଚନରେ ଏନ୍‌ଡିଏର ପତନ ହେବ ବୋଲି ନାଇଡ଼ୁ କହିଛନ୍ତି।

ସମ୍ବନ୍ଧିତ ଖବର