ଲିମା: ଚଳିତ ସପ୍ତାହ ପ୍ରାରମ୍ଭରେ ସରକାରୀ ବିରୋଧୀ ପ୍ରତିବାଦରେ ୧୭ଜଣଙ୍କର ମୃତ୍ୟୁ ଘଟିବାରୁ ପେରୁ ସରକାର ପୁନୋର ଅଶାନ୍ତ ଦକ୍ଷିଣାଞ୍ଚଳରେ ରାତ୍ରକାଳୀନ କର୍ଫ୍ୟୁକୁ ଅନୁମୋଦନ କରିଥିବା କଥା ମଙ୍ଗଳବାର ଦିନ ଦେଶର ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି।

Advertisment

ସ୍ଥାନୀୟ ସମୟ ରାତି ୮ରୁ ରାତି ୪ ପର୍ଯ୍ୟନ୍ତ ଜାରି ହେବାକୁ ଥିବା ଏହି କର୍ଫ୍ୟୁ ୩ ଦିନ ବଳବତ୍ତର ରହିବ ବୋଲି ପ୍ରଧାନମନ୍ତ୍ରୀ ଆଲ୍‌ବର୍ଟୋ ଅଟାରୋଲା କହିଛନ୍ତି।

ଦକ୍ଷିଣ ପେରୁରେ ସଂଘର୍ଷ ଯୋଗୁଁ ଅନ୍ୟୂନ ୧୭ଜଣଙ୍କର ମୃତ୍ୟୁ ଘଟିଥିବା କଥା ସୋମବାର ଦିନ ଦେଶର ମାନବ ଅଧିକାର କାର୍ଯ୍ୟାଳୟ କହିଛି। ଆଗୁଆ ନିର୍ବାଚନ ଏବଂ ପୂର୍ବତନ ରାଷ୍ଟ୍ରପତି ପେଡ୍ରୋ କାଷ୍ଟିଲୋଙ୍କୁ ଜେଲ୍‌ରୁ ମୁକ୍ତି ଦେବା ପାଇଁ ଚାଲିଥିବା ଏହି ଆନ୍ଦୋଳନ ପୂର୍ବରୁ ଏତେ ହିଂସାତ୍ମକ ହୋଇ ନ ଥିଲା।

publive-image Image Courtesy of 10 TV Telugu

ଦକ୍ଷିଣ ପୁନୋ ଅଞ୍ଚଳର ତିତିକାକା ହ୍ରଦ କୂଳର ଅବସ୍ଥିତ ଜୁଲିଆକା ନଗରୀରେ ଏହି ସଂଘର୍ଷର ସୂତ୍ରପାତ ହୋଇଥିଲା। ଏଥିରେ ଆହୁରି ୬୮ଜଣ ଲୋକ ଆହତ ହୋଇଥିବା କଥା ପୁନୋର ସ୍ବାସ୍ଥ୍ୟମନ୍ତ୍ରାଳୟ ଅଧିକାରୀ ହେନ୍‌ରି ରେବାଜା ରାଷ୍ଟ୍ରାୟତ ଟେଲିଭିଜନ ଚାନେଲ୍‌ ‘ଟିଭି ପେରୁ’କୁ କହିଛନ୍ତି। ମୃତ ବ୍ୟକ୍ତିମାନଙ୍କ ମଧ୍ୟରେ ଅନ୍ୟୂନ ୨ଜଣ ତରୁଣ ଥିବା କଥା ମନ୍ତ୍ରାଳୟ ସୂଚନା ଦେଇଛି।

ଡିସେମ୍ବର ପ୍ରାରମ୍ଭରୁ ଚାଲିଥିବା ଏହି ସରକାରୀ ବିରୋଧୀ ପ୍ରତିବାଦରେ ନିରାପତ୍ତା ବଳଙ୍କ ସହିତ ସଂଘର୍ଷଜନିତ ମୃତ୍ୟୁସଂଖ୍ୟା ୩୯ରେ ପହଞ୍ଚିଲାଣି। ବେଆଇନ ଭାବେ କଂଗ୍ରେସକୁ ଭାଙ୍ଗି ଦେବାର ଅଳ୍ପ କିଛି ଦିନ ପରେ ରାଷ୍ଟ୍ରପତି କାଷ୍ଟିଲୋଙ୍କୁ ପଦଚ୍ୟୁତ କରାଯାଇ ଗିରଫ କରାଯିବା ପରେ ପରେ ଏହି ପ୍ରତିବାଦ ଚାଲିଛି।

ବିଦ୍ରୋହ ଅଭିଯୋଗର ବିଚାର ହେବା ପୂର୍ବରୁ କାଷ୍ଟିଲୋଙ୍କୁ ୧୮ ମାସ ପାଇଁ ଜେଲ୍‌ରେ ଅଟକ ରଖାଯାଇଛି। କିନ୍ତୁ, ତାଙ୍କ ଉପରେ ଲାଗୁ ହୋଇଥିବା ବିଦ୍ରୋହ ଅଭିଯୋଗକୁ ସେ ଅସ୍ବୀକାର କରୁଛନ୍ତି।