ଏସବୁ ସମ୍ପତ୍ତିର ମାଲିକ ଥିଲେ ପରଭେଜ ମୁଶାରଫ୍‌

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ସାମରିକ ଶାସକ ତଥା ଅବସରପ୍ରାପ୍ତ ଜେନେରାଲ୍‌ ପରଭେଜ ମୁଶାରଫ୍‌ଙ୍କର ଶୁକ୍ରବାର ଦେହାନ୍ତ ହୋଇଯାଇଛି। ପାକିସ୍ତାନ ଗଣମାଧ୍ୟମ ରିପ‌ୋର୍ଟ ଅନୁଯାୟୀ, ‘ଆମିଲଇଡୋସିସ୍‌’ ନାମରେ ଏକ ବି‌ରଳ ରୋଗଦ୍ବାରା ଆକ୍ରାନ୍ତ ଥିଲେ ପରଭେଜ ।

୯୯୯ରୁ ୨୦୦୮ ପର୍ଯ୍ୟନ୍ତ ମୁଶାରଫ୍‌ ପାକିସ୍ତାନରେ ଶାସନ କରୁଥିଲେ। ୨୦୧୬ରୁ ସେ ଦୁବାଇରେ ବସବାସ କରୁଥିଲେ। କିନ୍ତୁ, ଗତବର୍ଷ ଜୁଲାଇ ମାସରେ ମୁଶାରଫ ପାକିସ୍ତାନ ଫେରିଆସି ବାକି ଜୀବନ କଟାଇବାକୁ ଇଚ୍ଛା ପ୍ରକାଶ କରିଥିଲେ। ପାକିସ୍ତାନ ସେନା ମଧ୍ୟ ତାଙ୍କ ଇଚ୍ଛାକୁ ସ୍ବୀକୃତି ଦେଇଥିଲା। କିନ୍ତୁ, ରାଜନୈତିକ ବିରୋଧ ଯୋଗୁଁ ତାଙ୍କର ଆଶା ପୂରଣ ହୋଇ ପାରି ନ ଥିଲା।

ମୁଶାରଫଙ୍କ କାର୍ଯ୍ୟ ଜୀବନ ବିବାଦରେ ଭରି ରହିଛି।  ତାଙ୍କ ବିରୋଧରେ ଦୁର୍ନୀତି କରିଥିବା ନେଇ ଅନେକ ଅଭିଯୋଗ ରହିଛି। ସେ ପାକିସ୍ତାନର ଲୋକମାନଙ୍କ ଠାରୁ ଟଙ୍କା ଲୁଟି ବିଦେଶ ଚାଲିଯାଇ ନିଜର କୋଟିକୋଟି ଟଙ୍କାର ସମ୍ପତ୍ତି ଛିଡ଼ା କରିଥି‌ଲେ। କିଛି ସମ୍ପତ୍ତି ନିଜ ନାମରେ ଥିବା ବେଳେ ଆଉ କିଛି ସମ୍ପତ୍ତି ସେ ତାଙ୍କ ପରିବାରଲୋକଙ୍କ ନାମରେ କରି ଦେଇଥି‌ଲେ।

ତାଙ୍କ ବିରୋଧରେ ଚାଲିଥିବ‌ା ଏକ ମାମଲାର ଶୁଣାଣି ସମୟରେ ଦ ଫେଡରଲ ଇନଭେଷ୍ଟିଗେଟିଭ ଏଜେନ୍ସି (ଏଫଆଇଏ) ପରଭେଜଙ୍କ ସମ୍ପତ୍ତିର ଖୋଲତାଡ କରିଥିଲା। ଏଫଆଇଏ ରି‌ପୋର୍ଟ ଅନୁସାରେ, ପାକିସ୍ତାନରେ ପରଭେଜଙ୍କ ଆଠଟି ସମ୍ପତ୍ତି ରହିଛି। ଏଥିମଧ୍ୟରୁ କରାଚିରେ ୫୦ଲକ୍ଷ ଟଙ୍କାର କୋଠା ଥିବା ବେଳେ ଖାୟବାନ ଏ ଫୈଜଲ ଫେସ ୮ରେ ୧୫ଲକ୍ଷ ଟଙ୍କାର କୋଠା, କରାଚି ଡିଫେନ୍ସ ହାଉସିଂ ଅଥରିଟିରେ ୧୫ଲକ୍ଷ ଟଙ୍କାର ଜାଗା, ଇସଲାମାବାଦରେ  ୭.୫କୋଟିର ଜାଗା ଓ ଲାହୋରରେ ୬୦ଲକ୍ଷ ଟଙ୍କାର ଜାଗା ଓ ଇସଲାମାବାଦର ଶେହଜାଦରେ ୬୦ଲକ୍ଷ ଟଙ୍କା ମୂଲ୍ୟର ଏକ ଫାର୍ମ ହାଉସ ମହଜୁଦ ଥିଲା।

ଏହା ବ୍ୟତୀତ ପରଭେଜ ଲଣ୍ଡନ ଓ ଦୁବାଇରେ ବି କୋଟିକୋଟି ଟଙ୍କାର ସମ୍ପତ୍ତି କିଣିଥିଲେ। ସେ ଲଣ୍ଡନରେ ବିଳାଶମୟ ହାଇଡ ପାର୍କ ଅଞ୍ଚଳରେ କୋଠା କିଣିଥିଲେ, ଯାହାର ମୂଲ୍ୟ ପାଖାପାଖି ୨୦କୋଟି ଟଙ୍କା ରହିଥିଲା। ଏଥିସହିତ ସେ ଦୁବାଇରେ ୨୦କୋଟି ଟଙ୍କାର କୋଠା କିଣିଥିଲେ। କେବଳ ଏତିକି ନୁହେଁ, ପରଭେଜଙ୍କ ଲଣ୍ଡନରେ ଥିବା ବ୍ୟାଙ୍କରେ ପାଖାପାଖି ୨କୋଟି ଡଲାର ଓ ପାକିସ୍ତାନ ବ୍ୟାଙ୍କରେ ୧୨.୫ଲକ୍ଷ ଟଙ୍କା ଜମା ଥିଲା ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର