ନୂଆଦିଲ୍ଲୀ: ପାକିସ୍ତାନର ପେଶାୱାରସ୍ଥିତ ଏକ ମସ୍‌ଜିଦରେ ସୋମବାର ପ୍ରାର୍ଥନା ଚାଲିଥିବାବେଳେ ଆତ୍ମଘାତୀ ବିସ୍ଫୋରଣ ହୋଇଥିଲା। ଏଇ ଘଟଣାରେ ମଙ୍ଗଳବାର ସୁଦ୍ଧା ମୃତକଙ୍କ ସଂଖ୍ୟା ୧୦୦ ଛୁଇଁଛି। ଅନେକ ଲୋକ ଆହତ ହୋଇଛନ୍ତି। ଆହତଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି। ମସ୍‌ଜିଦର ଅଧିକାଂଶ ସ୍ଥାନ ଭାଙ୍ଗିଯାଇଛି। ତେଣୁ ଅନେକ ଲୋକ ଫସି ରହିଥିବା ଅନୁମାନ କରାଯାଉଥିବାରୁ ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଉକ୍ତ ମସ୍‌ଜିଦରେ ପ୍ରାୟ ୩୦୦ରୁ ଅଧିକ ଶ୍ରଦ୍ଧାଳୁ ଥିଲେ।

Advertisment

publive-image times of india

ଏହି ମସ୍‌ଜିଦଟି ଉତ୍ତର ପଶ୍ଚିମାଞ୍ଚଳର ପେଶାୱାର ଅଞ୍ଚଳରେ ଥିବାବେଳେ ଏହା ହାଇ ସିକୁରିଟି ଜୋନ ରୂପେ ବିବେଚିତ। ମସ୍‌ଜିଦ ନିକଟରେ ପୁଲିସ କାର୍ଯ୍ୟାଳୟ ଥିବାରୁ ମୃତକଙ୍କ ମଧ୍ୟରେ ଅଧିକାଂଶ ପୁଲିସ କର୍ମଚାରୀ ଥିବା କୁହାଯାଉଛି। ପାକିସ୍ତାନର ତେହେରିକ ଇ ତାଲିବାନ (ଟିଟିପି) ଆତଙ୍କବାଦୀ ସଂଗଠନ ଏହି ଘଟଣା ପାଇଁ ନିଜକୁ ଦାୟୀ କରିଛି। ତେବେ ଉଚ୍ଚ କ୍ଷମତାସମ୍ପନ୍ନ ନିରାପତ୍ତା ଜୋନ ଭିତରକୁ କିଭଳି ଆତଙ୍କବାଦୀମାନେ ଆସି ମସ୍‌ଜିଦ ଭଳି ଏକ ସମ୍ବେଦନଶୀଳ ସ୍ଥାନରେ ଆତ୍ମଘାତୀ ବିସ୍ଫୋରଣ କରିପାରିଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଖାଇବର ପାଖତୁନଖ୍ବା ପ୍ରଦେଶର ପେଶାୱାର ରାଜଧାନୀ ହୋଇଥିବାବେଳେ ଏଠାକାର ନିରାପତ୍ତା ବିପର୍ଯ୍ୟସ୍ତ ହୋଇଥିବା ସେଠାକାର ରାଜ୍ୟପାଳ ଗୁଲାମ ଅଲ୍ଲୀ କହିଛନ୍ତି। ସୁରକ୍ଷାରେ ଅବେହଳା କରିଥିବା ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରଶାସନିକ ଅଧିକାରୀ କାଶିଫ ଆଫତାବ ଆବାସୀ କହିଛନ୍ତି।