ପେଶାଓ୍ବର ମସଜିଦ ବିସ୍ଫୋରଣ : ଆତ୍ମଘାତୀ ଆକ୍ରମଣ କରିଥିବା ଆତଙ୍କବାଦୀର କଟାମୁଣ୍ଡ ମିଳିଲା

ପେଶାଓ୍ବର : ସୋମବାରଦିନ ପାକିସ୍ତାନର ପେଶାଓ୍ବର ସହର ପୁଲିସ ଲାଇନ ଅଂଚଳରେ ଥିବା ମସଜିଦରେ ହୋଇଥିବା ଭୟଙ୍କର ବିସ୍ଫୋରଣ ଏକ ଆତ୍ମଘାତୀ ଆକ୍ରମଣ ଥିବା ସ୍ପଷ୍ଟ ହୋଇଯାଇଛି । ଆତ୍ମଘାତୀ ଆକ୍ରମଣ କରିଥିବା ଆତଙ୍କବାଦୀର କଟାମୁଣ୍ଡ ଘଟଣାସ୍ଥଳରୁ ମିଳିଛି ।

ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଧିକାରୀମାନେ କହିଛନ୍ତି ଯେ ଜଣେ ସନ୍ଦିଗ୍ଧ ଆତ୍ମଘାତୀ ଆକ୍ରମଣକାରୀର କଟା ମୁଣ୍ଡ ଘଟଣାସ୍ଥଳରୁ ମିଳିଛି ।

ଏହି ଭୟଙ୍କର ଆକ୍ରମଣ ପାଇଁ ତେହେରିକ-ଏ ତାଲିବାନ ପାକିସ୍ତାନ (ଟିଟିପି) ନିଜକୁ ଦାୟୀ କରିଥିଲା । ଏଣୁ ଆତ୍ମଘାତୀ ଆକ୍ରମଣ କରିଥିବା ବ୍ୟକ୍ତି ଟିଟିପିର ସଦସ୍ୟ ହୋଇଥିବା ଅନୁମାନ କରାଯାଉଛି ।

ପାକିସ୍ତାନୀ ଖବରକାଗଜ ‘ଦି ଡନ’ର ରିପୋର୍ଟ ଅନୁସାରେ ବିସ୍ଫୋରଣଟି ସ୍ଥାନୀୟ ସମୟ ଅପରାହ୍ଣ ୧ ଟା ୪୦ ମିନିଟ ବା ଭାରତୀୟ ସମୟ ୨ଟା ୧୦ ମିନିଟ ସମୟରେ ହୋଇଥିଲା । ବିସ୍ଫୋରଣ ବେଳେ ପ୍ରାୟ ୩ରୁ ୪ ଶହ ଲୋକ ମସଜିଦରେ ପ୍ରାର୍ଥନା କରୁଥିଲେ । କୋଠାର ଏକ ଅଂଶ ଭୁସୁଡ଼ିପଡ଼ିବାରୁ କିଛି ଲୋକ ତାହା ତଳେ ରହିଯାଇଥିଲେ । ସର୍ବଶେଷ ତଥ୍ୟ ଅନୁସାରେ ମୃତ୍ୟୁସଂଖ୍ୟା ୯୬ରେ ପହଞ୍ଚିଛି ।

ଏହାସହିତ ୧୦୦ରୁ ଅଧିକ ଲୋକ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ପାକିସ୍ତାନ ଇତିହାସରେ ଏହାକୁ ଅନ୍ୟତମ ଭୟଙ୍କର ଆତଙ୍କବାଦୀ ଆକ୍ରମଣ ବୋଲି କୁହାଯାଉଛି । ଭାରତ ସରକାର ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି ।

ସମ୍ବନ୍ଧିତ ଖବର