ମିନାହାସା: ସୁଲାଓ୍ଵାସି ଦ୍ୱୀପରେ ଗୋଟାଏ ବିଶାଳ ପୋଷା କୁମ୍ଭୀର ଆକ୍ରମଣ କରି ଖଣ୍ଡିଆଖାବରା କରି ପକାଇବାରୁ ଜଣେ ଇଣ୍ଡୋନେସୀୟ ମହିଳାଙ୍କର ମୃତ୍ୟୁ ଘଟିଥିବା କଥା ବୁଧବାର ଦିନ ଅଧିକାରୀମାନେ କହିଛନ୍ତି।
ଖଣ୍ଡିଆଖାବରା ହୋଇ କଦର୍ଯ୍ୟ ହୋଇ ଯାଇଥିବା ସେ ୪୪ ବର୍ଷୀୟ ମହିଳାଙ୍କ ଶବକୁ ପରଦିନ ସକାଳେ ତାଙ୍କ ସହକର୍ମୀମାନେ ଦେଖିଥିବା କଥା ସ୍ଥାନୀୟ ସଂରକ୍ଷଣ ଏଜେନ୍ସିର ହେଣ୍ଡ୍ରିକ୍ ରୁଣ୍ଡେନ୍ଗାନ୍ କହିଛନ୍ତି।
ସେ ଆହୁରି କହିଛନ୍ତି ଯେ, ସେ (ମହିଳା) କୁମ୍ଭୀର ଖୁଆଡ଼ ମଧ୍ୟକୁ ଖସି ପଡ଼ିବାରୁ ଏମିତି ହୋଇଛି। ତଥାପି ପୁଲିସ ଘଟନାର ତଦନ୍ତ କରୁଛି।
ମେରି ନାମ୍ନା ସେ କୁମ୍ଭୀରଟି ମହିଳାଙ୍କର ଗୋଟିଏ ହାତ ଖାଇ ଦେଇଛି ଏବଂ ତାଙ୍କ ପେଟର ଅଧିକାଂଶ ଅଂଶ ନାହିଁ। ବୋଧହୁଏ ତାହା କୁମ୍ଭୀର ପେଟକୁ ଯାଇଛି।
ସୋମବାର ଦିନ ସେ ପ୍ରକାଣ୍ଡ ସରୀସୃପଟିକୁ ନିଶା ଦିଆଯାଇ ତା’ ଖୁଆଡ଼ରୁ ବାହାର କରାଯାଇଥିଲା। ସଂରକ୍ଷଣ କର୍ମଚାରୀ, ସେନା ଓ ପୁଲିସ ସହ ଏଥିପାଇଁ ଲାଗିଥିଲେ ଡଜନାଧିକ ଲୋକ ଓ ତିନି ଘଣ୍ଟା ଧରି ଚାଲିଥିଲା ଅଭିଯାନ।
ବେଆଇନ୍ ଭାବେ ପୋଷା ଯାଇଥିବା ସରୀସୃପଟିକୁ ସଂରକ୍ଷଣ ଅଞ୍ଚଳରେ ଛାଡ଼ି ଦିଆଯିବ।
ଇଣ୍ଡୋନେସୀୟ ଦ୍ୱୀପପୁଞ୍ଜ କିସମ କିସମ ବଣ୍ୟଜନ୍ତୁଙ୍କ ଆବାସସ୍ଥଳୀ। ନିୟମିତ ଭାବେ ଆକ୍ରମଣ କରି ମଣିଷ ମାରୁଥିବା କେତେକ ପ୍ରଜାତିର କୁମ୍ଭୀର ଏଥିରେ ଅନ୍ତର୍ଭୁକ୍ତ।