ଚେନ୍ନାଇ/ ହୋଷ୍ଟନ: ଶିଳ୍ପ ଜଗତର ଇନ୍ଧନ ଆବଶ୍ୟକତା ପୂରଣ କରିବା ଲାଗି ଭାରତ ପ୍ରଥମ ଥର ପାଇଁ ଭେନେଜୁଏଲାରୁ ପେଟ୍କୋକ୍ ଆମଦାନି ଆରମ୍ଭ କରିଛି। ୨୦୧୯ରେ ଏହି ଦେଶ ଉପରେ ଆମେରିକା ଅର୍ଥନୈତିକ କଟକଣା ଲଗାଇଥିଲା। ତେବେ ରିହାତି ଦରରେ ମିଳୁଥିବାରୁ ଭାରତୀୟ କଂପାନି ତାହା କିଣିବା ଲାଗି ଆଗେଇ ଆସିଛନ୍ତି। ପେଟ୍କୋକ୍ ହେଉଛି ତୈଳର ଏକ ଉପ ଉପାଦାନ। ଚଳିତ ବର୍ଷ ଏପ୍ରିଲ୍ରୁ ଜୁନ୍ ମଧ୍ୟରେ ଭାରତର ସିମେଣ୍ଟ୍ କଂପାନିଗୁଡ଼ିକ ୧,୬୦,୦୦୦ ଟନ୍ ପେଟ୍ କୋକ୍ ମଗାଇଛନ୍ତି। ଆଉ ୮୦.୦୦୦ ଟନ୍ ପେଟ୍କୋକ୍ ଚଳିତ ମାସ ଶେଷ ସୁଦ୍ଧା ଭାରତରେ ପହଞ୍ଚିବ ବୋଲି ଆଶା କରାଯାଉଛି।
ପେଟ୍କୋକ୍ ପାଇଁ ଭାରତ ମୁଖ୍ୟତଃ ଆମେରିକା ଓ ସାଉଦି ଆରବ ଉପରେ ନିର୍ଭରଶୀଳ ଥିଲା। ପ୍ରଥମ ଥର ପାଇଁ ଏହା ଭେନେଜୁଏଲାରୁ ପେଟ୍ କୋକ୍ ମଗାଉଛି। ରୁଷ୍-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ ସାରା ବିଶ୍ବରେ କୋଇଲା ମହଙ୍ଗା ହୋଇପଡ଼ିଛି। ତେଣୁ ଜେଏସ୍ଡବ୍ଲୁ ସିମେଣ୍ଟ୍, ରାମ୍କୋ ସିମେଣ୍ଟ୍ ଓ ଓରିଏଣ୍ଟ୍ ସିମେଣ୍ଟ୍ ଭଳି କଂପାନି ଭେନେଜୁଏଲାରୁ ପେଟ୍ କୋକ୍ ମଗାଇବା ଉପରେ ମନୋନିବେଶ କରିଛନ୍ତି। ସେଠାକାର ପେଟ୍କୋକ୍ ବହୁତ ଭଲ ହୋଇଥିବା ବେଳେ ସେଥିରେ ସଲ୍ଫର ମାତ୍ରା କମ୍ ରହୁଛି। ପେଟ୍କୋକ୍ ବୋଝେଇ ଜାହାଜ ଭେନେଜୁଏଲରୁ ଭାରତ ପହଞ୍ଚିବା ଲାଗି କିନ୍ତୁ ୫୦ ଦିନ ସମୟ ଲାଗୁଛି।
ରାମ୍କୋ ସିମେଣ୍ଟ ୫୦ ହଜାର ଟନ୍ ବିଶିଷ୍ଟ ଦୁଇଟି ପେଟ୍କୋକ୍ କାର୍ଗୋ ମଗାଇଥିଲା ଯାହା ଜୁନ୍ ଓ ଜୁଲାଇରେ ଆସି ଭାରତରେ ପହଞ୍ଚିଥିଲା। ଟନ୍ ପିଛା ୧୫-୨୦ ଡଲାର ରିହାତିରେ କଂପାନି ତାହା କିଣିଛି। କଂପାନି ଟନ୍ ପିଛା ୨୧୪-୨୨୧ ଡଲାର ଦେଇଛି। ଓରିଏଣ୍ଟ୍ ସିମେଣ୍ଟ୍ ଟନ୍ ପିଛା ୨୨୦ ଡଲାରରେ ୨୮,୩୦୦ ଟନ୍ ପେଟ୍ କୋକ୍ ମଗାଇଛି। ଜେଏସ୍ଡବ୍ଲୁ ସିମେଣ୍ଟ୍ ଜୁନ୍ରେ ୩୦,୦୦୦ ଟନ୍ ପେଟ୍କୋକ୍ ମଗାଇଛି। ଜର୍ମାନିର ଏକ ସଂସ୍ଥା ଭେନେଜୁଏଲା ପେଟ୍ କୋକ୍କୁ ଭାରତ, ଚୀନ୍, ପାକିସ୍ତାନ ଓ ତୁର୍କୀ ପଠାଇବା କାମ କରୁଛି। ପେଟ୍କୋକ୍ରେ ସଲ୍ଫର ଡାୟକ୍ସାଇଡ୍ ପରିମାଣ ଅଧିକ, କିନ୍ତୁ ଚୁନପଥର ତାହାକୁ ଅଧିକ ମାତ୍ରାରେ ଶୋଷି ନେଉଥାଏ। ସେଥିପାଇଁ ସିମେଣ୍ଟ୍ କାରଖାନାଗୁଡ଼ିକରେ ପେଟ୍କୋକ୍ ଅଧିକ ପରିମାଣରେ ବ୍ୟବହାର ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/25-12.jpg)