ନୂଆଦିଲ୍ଲୀ: ୱକଫ୍ ସଂଶୋଧନ ଆଇନ, ୨୦୨୫ର ବୈଧତାକୁ ଚ୍ୟାଲେଞ୍ଜ କରି ଦାଖଲ ହୋଇଥିବା ପିଟିସନଗୁଡ଼ିକୁ ଠିକ୍ ସମୟରେ ବିଚାର କରାଯିବ ବୋଲି ସୁପ୍ରିମ୍କୋର୍ଟ ସୋମବାର କହିଛନ୍ତି। କେତେକ ଆବେଦନକାରୀଙ୍କ ତରଫରୁ ବରିଷ୍ଠ ଆଇନଜୀବୀ କପିଲ ସିବଲ ଓ ଏଏମ୍ ସିଂଘଭି ଓ ଅନ୍ୟମାନେ ଜରୁରୀ ଶୁଣାଣି ପାଇଁ ଅନୁରୋଧ କରିଥିଲେ, ଯାହାକୁ ସର୍ବୋଚ୍ଚ ଅଦାଲତ ଅଗ୍ରାହ୍ୟ କରିଦେଇଛନ୍ତି। ପ୍ରଧାନ ବିଚାରପତି ସଞ୍ଜୀବ ଖାନ୍ନା, ଜଷ୍ଟିସ ସଞ୍ଜୟ କୁମାର ଓ ଜଷ୍ଟିସ କେଭି ବିଶ୍ୱନାଥନଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ପିଟିସନ ତାଲିକାଭୁକ୍ତ କରିବାର ଏକ ନିର୍ଦ୍ଦିଷ୍ଟ ବ୍ୟବସ୍ଥା ରହିଛି ଏବଂ ଏହି ମାମଲାର ଶୁଣାଣି ଠିକ୍ ସମୟରେ ହେବ।
ଏପ୍ରିଲ ୫ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅନୁମୋଦନ ପାଇଥିବା ୱକଫ୍ (ସଂଶୋଧନ) ବିଲ୍ର ବୈଧତାକୁ ଚ୍ୟାଲେଞ୍ଜ କରାଯାଇଥିଲା। କଂଗ୍ରେସ ସାଂସଦ ମହମ୍ମଦ ଜାଭେଦ, ଏଆଇଏମ୍ଆଇଏମ୍ ମୁଖ୍ୟ ଅସଉଦ୍ଦିନ ଅୱେସି ଓ ଦିଲ୍ଲୀର ଆପ୍ ବିଧାୟକ ଅମାନତୁଲ୍ଲା ଖାନ୍ ନିଜସ୍ୱ ପିଟିସନ ଦାଖଲ କରିଛନ୍ତି। ଆସୋସିଏସନ୍ ଫର୍ ପ୍ରୋଟେକ୍ସନ ଅଫ୍ ସିଭିଲ୍ ରାଇଟ୍ସ, ଜାମିୟତ ଉଲେମା-ଏ-ହିନ୍ଦ, ସମସ୍ଥା କେରଳ ଜମିୟାତୁଲ ଉଲମା ଭଳି ସଂଗଠନ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟରେ ରିଟ୍ ପିଟିସନ୍ ଦାଖଲ କରିଛନ୍ତି। ଏହି ଆଇନରେ ୱକଫ୍ ଆଇନ, ୧୯୯୫କୁ ବଦଳାଇ ‘ୟୁନିଫାଇଡ୍ ୱକଫ୍ ପରିଚାଳନା, ସଶକ୍ତୀକରଣ, ଦକ୍ଷତା ଓ ବିକାଶ ଆଇନ, ୧୯୯୫’ (ଉମ୍ମିଦ ଆକ୍ଟ ୧୯୯୫) ଭାବରେ ନାମିତ କରାଯାଇଛି ଏହି ଆଇନ ମୁସଲମାନମାନଙ୍କ ଧାର୍ମିକ ସ୍ୱାଧୀନତା ଛଡ଼ାଇ ନେବା ପାଇଁ ଏକ ଷଡ୍ଯନ୍ତ୍ର ଏବଂ ଯୋଜନାବଦ୍ଧ ହସ୍ତକ୍ଷେପ ବୋଲି ଆବେଦନକାରୀମାନେ ଦାବି କରିଛନ୍ତି।
ଜମ୍ମୁ କାଶ୍ମୀର ବିଧାନସଭାରେ ଝଡ଼
ନୂଆଦିଲ୍ଲୀ: ନୂଆ କରି ପ୍ରଣୟନ ହୋଇଥିବା ୱକଫ୍ ଆଇନକୁ ନେଇ ଆଜି ଜମ୍ମୁ କାଶ୍ମୀର ବିଧାନସଭାରେ ତମ୍ବିତୋଫାନ ହୋଇଛି। ଶାସକ ଦଳ ଏନ୍ସି (ନେସନାଲ କନଫରେନ୍ସ) ବିଧାୟକମାନେ ଆଜି ଗୃହରେ ‘ମୋଦୀ ସରକାର ହାଏ ହାଏ’ ସ୍ଲୋଗାନ ଦେବା ସହ ଗୃହର ମଧ୍ୟଭାଗକୁ ଯାଇ ପ୍ରବଳ ହୋହଲ୍ଲା କରିଥିଲେ। ଏନ୍ସି ଦଳ ଦ୍ବାରା ଆଜି ଗୃହରେ ଅଣାଯାଇଥିବା ଏକ ମୁଲତବୀ ପ୍ରସ୍ତାବକୁ ବାଚସ୍ପତି ରହିମ ରାଥେର ଟାଳି ଦେଇଥିଲେ। ବାଚସ୍ପତି ଧାରା ୫୬ ଏବଂ ୫୮ (୭)କୁ ଦର୍ଶାଇ କହିଛନ୍ତି ଯେ ମୁଲତବୀ ପ୍ରସ୍ତାବ ଦ୍ବାରା ଅଦାଲତରେ ବିଚାରାଧୀନ ଥିବା ମାମଲା ଉପରେ ଆଲୋଚନା ହୋଇପାରିବନି। ବାଚସ୍ପତି କହିଥିଲେ ଉକ୍ତ ପ୍ରସଙ୍ଗ ଏବେ ସୁପ୍ରିମକୋର୍ଟରେ ଥିବାରୁ ଆମେ ଏହି ପ୍ରସଙ୍ଗରେ ଆଗକୁ ବଢ଼ି ପାରିବାନି। ଏହାପରେ ଏନ୍ସି ବିଧାୟକମାନେ ପ୍ରବହଳ ହଟ୍ଟଗୋଳ କରବା ସହ ଆଇନର କପି ମଧ୍ୟ ଚିରି ପକାଇଥିଲେ। ବିରୋଧୀ ଦଳ ନେତା ସୁନୀଲ ଶର୍ମା ଏନ୍ସିର କାର୍ଯ୍ୟକୁ ବିରୋଧ କରି କହିଛନ୍ତି ଏହା ଅତି ମାତ୍ରାରେ ଅସାମ୍ବିଧାନିକ। ସେ କହିଛନ୍ତି, ଏହି ପ୍ରସଙ୍ଗ ଉପରେ ଆଲୋଚନା କରିବାପାଇଁ ବିଧାନସଭା ନିକଟରେ କୌଣସି କ୍ଷମତା ନାହିଁ। ରାଜନୈତିକ କାରଣରୁ ଏଭଳି ବିରୋଧ ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି।