ରାଜୀବ ଗାନ୍ଧିଙ୍କ ହତ୍ୟାକାରୀଙ୍କୁ ଛଡ଼ାଗଲା, ଏବେ ମୋତେ ବି ଛଡ଼ାଯାଉ

ସୁପ୍ରିମ୍‌କୋର୍ଟରେ ଆଜୀବନ ସଜା କାଟୁଥିବା ଦୋଷୀଙ୍କ ଆବେଦନ

ନୂଆଦିଲ୍ଲୀ : ରାଜୀବ ଗାନ୍ଧି ହତ୍ୟା ମାମଲାରେ ନିକଟରେ ଦୋଷୀମାନଙ୍କୁ ଖଲାସ କରିଦିଆ ଯାଇଥିବାରୁ ତାଙ୍କ ପ୍ରତି ବି ସମାନ ବିଚାର କରି ଛଡ଼ାଯାଉ ବୋଲି ଆଜୀବନ କାରାଦଣ୍ଡ ଭୋଗୁଥିବା ସ୍ବାମୀ ଶ୍ରଦ୍ଧାନନ୍ଦ ସୁପ୍ରିମ୍‌କୋର୍ଟରେ ଆବେଦନ କରିଛନ୍ତି। ସ୍ବ‌ାମୀ ଶ୍ରଦ୍ଧାନନ୍ଦ ସମ୍ପତ୍ତି ପାଇଁ ସ୍ତ୍ରୀକୁ ହତ୍ୟା କରି ମୃତ୍ୟୁଦଣ୍ଡାଦେଶ ପାଇଥିଲେ। ପରେ ତାଙ୍କର ମୃତ୍ୟୁଦଣ୍ଡକୁ କୋହଳ କରି ଆଜୀବନ କରାଦଣ୍ଡରେ ପରିଣତ କରାଯାଇଥିଲା।

ଶ୍ରଦ୍ଧାନନ୍ଦଙ୍କ ଓକିଲ ବରୁଣ ଠାକୁର ପ୍ରଧାନବିଚାରପତି ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍ ହିମା କୋହଲି ଓ ଜେବି ପାର୍ଦିୱାଲାଙ୍କ ଖଣ୍ଡପୀଠ ଆଗରେ ଯୁକ୍ତି ଉପସ୍ଥାପନ କରିଥିଲେ ଯେ ତାଙ୍କ ମହକିଲ ମାତ୍ର ଗୋଟିଏ ହତ୍ୟା କରି ଆଜୀବନ ଦଣ୍ଡାଦେଶ ପାଇଛନ୍ତି। ଏପର୍ଯ୍ୟନ୍ତ ୨୯ ବର୍ଷ ସେ ଜେଲରେ କଟାଇ ସାରିଲେଣି। ତା’ ଭିତରେ ସେ ଥରୁଟିଏ ପାରୋଲରେ ବି ବାହାରକୁ ଯାଇ ନାହାନ୍ତି। ଠାକୁର କହିଲେ, ଏବେ ଯେଉଁମାନଙ୍କୁ ଛଡ଼ାଗଲା ସେମାନେ କେବଳ ରାଜୀବ ଗାନ୍ଧିଙ୍କୁ ହତ୍ୟା କରି ନାହାନ୍ତି। ୧୯୯୧ ମସିହାରେ ରାଜୀବଙ୍କ ସହ ୧୬ ଜଣ ଲୋକ ମୃତ୍ୟୁବରଣ କରିବା ସହ ୪୩ ଜଣ ଆହତ ହୋଇଥିଲେ। ସେହି ଦୋଷୀମାନେ ୩୦ ବର୍ଷ ଜେଲରେ କଟାଇବା ଭିତରେ ଅନେକ ଥର ପାରୋଲରେ ଯାଇଛନ୍ତି। ସେମାନଙ୍କୁ ଯଦି ମୁକ୍ତି ଦିଆଗଲା ଏବେ ମୋ ମହକିଲଙ୍କୁ ବି ମୁକ୍ତି ଦିଆଯାଉ। ତା’ ନ ହେଲେ ତାହା ସମାନତା ଅଧିକାରର ଉଲ୍ଲଂଘନ ହେବ ବୋଲି ଠାକୁର ଯୁକ୍ତି ବାଢ଼ିଛନ୍ତି। ଠାକୁର ଆହୁରି କହିଛନ୍ତି, ତାଙ୍କ ଆବେଦନର ଜରୁରି ଶୁଣାଣି କରାଯାଉ କାରଣ ତାଙ୍କ ମହକିଲଙ୍କ ବୟସ ୮୦ରୁ ଅଧିକ। ସେ ୧୯୯୪ରୁ ଜେଲରେ ଅଛନ୍ତି। ସେ ଅନେକ ସ୍ବାସ୍ଥ୍ୟ ସମସ୍ୟା ଭୋଗୁଛନ୍ତି। ସେ ୨୦୧୪ରେ ପାରୋଲ ଓ କ୍ଷମା ପାଇଁ ଆବେଦନ କରିଥିଲେ ମଧ୍ୟ ତାହାର ଶୁଣାଣି ଆଜିଯାଏ ହୋଇନାହିଁ। ତେଣୁ ଆବେଦନର ଜରୁରି ଶୁଣାଣି କରି ଶ୍ରଦ୍ଧାନନ୍ଦଙ୍କୁ ଖଲାସ କରିଦେବାକୁ ଠାକୁର ଅନୁରୋଧ କରିଥିଲେ।

ସୂଚନାଯୋଗ୍ୟ, ମହୀଶୂରର ପୂର୍ବତନ ଦେୱାନ ସାର ମିର୍ଜା ଇସମାଇଲଙ୍କ ନାତୁଣୀ ପତିପରିତ୍ୟକ୍ତା ସାକେରାଙ୍କୁ ଶ୍ରଦ୍ଧାନନ୍ଦ ୧୯୮୬ରେ ବିବାହ କରିଥିଲେ। ତାଙ୍କର ୬୦୦ କୋଟି ଟଙ୍କାର ସମ୍ପତ୍ତି ଲୋଭରେ ସେ ତାଙ୍କୁ ୧୯୯୧ରେ ଜିଅନ୍ତା ପୋତିଦେଇଥିଲେ। ପୁଲିସ ମାଟିତଳୁ ଶବ ଖୋଳି ବାହାର କରିବା ସହ ୧୯୯୪ ଏପ୍ରିଲ ୩୦ରେ ଶ୍ରଦ୍ଧାନନ୍ଦଙ୍କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର