ନୂଆଦିଲ୍ଲୀ: ପାକିସ୍ତାନର କଳାକାରମାନଙ୍କୁ ଭାରତରେ କଳା ପରିବେଷଣ କରିବା କିମ୍ବା କାମ କରିବାର ସୁଯୋଗ ନ ଦେବା ପାଇଁ ଅନୁରୋଧ କରିବା ସହ ଏହା ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଲଗାଇବା ପାଇଁ ହୋଇଥିବା ଆବେଦନକୁ ମଙ୍ଗଳବାର ସୁପ୍ରିମ୍‌କୋର୍ଟ ଖାରଜ କରିବା ସହିତ ଆବେଦନକାରୀଙ୍କୁ ସଂକୀର୍ଣ୍ଣମନା ନ ହେବାକୁ କହିଛନ୍ତି। ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ୍ ଏସ୍‌ଭିଏନ୍ ଭଟ୍ଟିଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ଜଣେ ସିନେ କର୍ମୀ ଓ କଳାକାର ବୋଲି ଦାବି କରୁଥିବା ଫୈଜ୍ ଅନଓ୍ୱାର କୁରେଶୀଙ୍କ ଆବେଦନକୁ ଖାରଜ କରି ବମ୍ବେ ହାଇକୋର୍ଟ ଦେଇଥିବା ରାୟରେ ହସ୍ତକ୍ଷେପ କରିବାକୁ ସେମାନେ ଇଚ୍ଛୁକ ନୁହନ୍ତି। ଆବେଦନକାରୀଙ୍କ ବିରୋଧରେ ହାଇକୋର୍ଟ ଦେଇଥିବା କେତେକ ମନ୍ତବ୍ୟକୁ ହଟାଇବାକୁ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟ ମନା କରିଦେଇଛନ୍ତି।

Advertisment

ବମ୍ବେ ହାଇକୋର୍ଟ କୁରେଶୀଙ୍କ ଆବେଦନକୁ ଖାରଜ କରି କହିଥିଲେ ଯେ, ସେ ଯାହା ଚାହୁଛନ୍ତି ତାହା ସାଂସ୍କୃତିକ ସଦ୍ଭାବନା, ଏକତା ଏବଂ ଶାନ୍ତିକୁ ପ୍ରୋତ୍ସାହିତ କରିବା ଦିଗରେ ବାଧକ ହେବ। ଅଦାଲତ କହିଥିଲେ ଯେ, ଦେଶପ୍ରେମୀ ହେବାକୁ ହେଲେ ପଡ଼ୋଶୀ ଦେଶର ଲୋକଙ୍କ ପ୍ରତି ଅସୂୟାଭାବାପନ୍ନ ହେବାର ଆବଶ୍ୟକତା ନାହିଁ। ଜଣେ ପ୍ରକୃତ ଦେଶପ୍ରେମୀ ସିଏ, ଯିଏ ନିଃସ୍ୱାର୍ଥପର, ଯିଏ ନିଜ ଦେଶ ପାଇଁ ସମର୍ପିତ ଏବଂ ଯିଏ ହୃଦୟରେ ଭଲ। କଳା, ସଙ୍ଗୀତ, କ୍ରୀଡ଼ା, ସଂସ୍କୃତି, ନୃତ୍ୟ ଇତ୍ୟାଦି ଏପରି କାର୍ଯ୍ୟକଳାପ ଯାହା ବାସ୍ତବରେ ଦେଶ ତଥା ପଡ଼ୋଶୀ ରାଷ୍ଟ୍ର ମଧ୍ୟରେ ଶାନ୍ତି, ସ୍ଥିରତା, ଏକତା ଓ ସୌହାର୍ଦ୍ଦ୍ୟ ଆଣିଥାଏ ବୋଲି ହାଇକୋର୍ଟ ତାଙ୍କ ଆଦେଶରେ କହିଥିଲେ।