ସଂସ୍କୃତକୁ ଜାତୀୟ ଭାଷା ଘୋଷଣା ପାଇଁ ଆବେଦନ ସୁପ୍ରିମକୋର୍ଟରେ ଖାରଜ

ନୂଆଦିଲ୍ଲୀ : ‘ସଂସ୍କୃତ’ ଭାଷାକୁ ଭାରତର ଜାତୀୟ ଭାଷା‌ ଭାବେ ଘୋଷଣା କରିବା ପାଇଁ ସୁପ୍ରିମ‌କୋର୍ଟରେ ହୋଇଥିବା ଏକ ଆବେଦନ ଆଜି ଖାରଜ ହୋଇଯାଇଛି। ଜଷ୍ଟିସ ଏମଆର ଶାହ ଏବଂ କ୍ରୀଷ୍ଣା ମୁରାରୀଙ୍କ ଖଣ୍ଡପୀଠ ଆଜି ଏଭଳି ଏକ ଆବେଦନକୁ ଶୁଣାଣି ପାଇଁ ଗ୍ରହଣ କରିନାହାନ୍ତି। ଖଣ୍ଡପୀଠ କହିଛନ୍ତି, ଏକ ଭାଷାକୁ ‘ଜାତୀୟ’ ମାନ୍ୟତା ଦେବା ଏକ ନୀତି ନିଷ୍ପତ୍ତି ଏବଂ ଏଥିପାଇଁ ସମ୍ବିଧାନରେ ସଂ‌‌ଶୋଧନ ଆଣିବାକୁ ପଡ଼ିବ। କୋର୍ଟ ଏନେଇ ରାୟ ଦେଇପାରିବେନି । ଜଣେ ଅବସରପ୍ରାପ୍ତ ଆ‌ଇଏଏସ ଅଫିସର ଏବଂ ଆଇନଜୀବୀ କେଜି ବନ୍‌ଜାରାଙ୍କ ଦ୍ବାରା ଏହି ଆବେଦନ ହୋଇଥିଲା। ଖଣ୍ଡପୀଠ ଆଜି ଆବେଦନକାରୀଙ୍କୁ ପ୍ରଶ୍ନ କରିଥିଲେ ‘ଦେଶରେ କେତୋଟି ସହରରେ ସଂସ୍କୃତ କୁହାଯାଉଛି’। ଆପଣ ସଂସ୍କୃତ କହିପାରିବେ କି। ସଂସ୍କୃତରେ ଗୋଟିଏ ଧାଡ଼ିରେ ମନ୍ତ୍ର ଉଚ୍ଚାରଣ କରିପାରିବେ କି ବୋଲି ଖଣ୍ଡପୀଠ ପ୍ରଶ୍ନ କରିଥିଲେ। ଆବେଦନକାରୀଙ୍କ ଆଇନଜୀବୀ ଖଣ୍ଡପୀଠଙ୍କୁ କହିଥିଲେ, ସଂସ୍କୃତ ହେଉଛି ଏକ ‘ ମାତୃଭାଷା’ ଯେଉଁଠାରୁ ଅନ୍ୟ ଭାଷା ପ୍ରେରଣା ପାଇଥାନ୍ତି। ତେବେ କୋର୍ଟ ଏହି ଆବେଦନକୁ ଖାରଜ କରିବା ସହ ସରକାରଙ୍କ ନିକଟରେ ଏନେଇ ଆବେଦନ କରିବାପାଇଁ କହିଥିଲେ।

ସମ୍ବନ୍ଧିତ ଖବର