ଭୁବନେଶ୍ବର/ନୂଆଦିଲ୍ଲୀ: ଗ୍ରାହମ ଷ୍ଟେନ୍ସ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ କାଟୁଥିବା ଦାରା ସିଂହ ଓରଫ୍ ରବୀନ୍ଦ୍ର ପାଲ୍ଙ୍କୁ ମୁକୁଳାଇବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ସୁପ୍ରିମକୋର୍ଟରେ ନିଜେ ଦାରା ସିଂହ ମର୍ସି ପିଟିସନ୍ ଦେଇଛନ୍ତି। ଏହା ସହ ତାଙ୍କୁ ମୁକ୍ତ କରିବା ପାଇଁ ରାଷ୍ଟ୍ରପତିଙ୍କ ନିକଟରେ ମଧ୍ୟ ଆବେଦନ ହୋଇଛି। ତେଲେଙ୍ଗାନାର ବିଜେପି ବିଧାୟକ ଟି. ରାଜାସିଂହ ଲୋଧ ପିଟିସନ୍ ଦାଖଲ କରିଛନ୍ତି।
ଦାରା ସିଂହଙ୍କ ସହ ଅନ୍ୟତମ ଅଭିଯୁକ୍ତ ମହେନ୍ଦ୍ର ହେମ୍ବ୍ରମଙ୍କୁ ମୁକ୍ତ କରିବା ପାଇଁ ପିଟିସନ୍ରେ ଆବେଦନ ହୋଇଛି। ଯେହେତୁ ଉଭୟ ବହୁ ବର୍ଷ ହେବ କାରାଦଣ୍ଡ ଭୋଗିସାରିଲେଣି, ତେଣୁ ତାଙ୍କୁ ମୁକ୍ତ କରିବା ପାଇଁ ଏଥିରେ ଯୁକ୍ତି ଦର୍ଶାଯାଇଛି। ଦାରା ସିଂହଙ୍କ ପିଟିସନ୍କୁ ଗ୍ରହଣ କରି ସୁପ୍ରିମକୋର୍ଟ ଓଡ଼ିଶା ସରକାରଙ୍କ ମତାମତ ଲୋଡ଼ିଛନ୍ତି। ସରକାରଙ୍କ ଆଭିମୁଖ୍ୟ କ’ଣ ହେବ, ତାହାକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି। ସରକାରଙ୍କ ପାଇଁ ଆଉ ଏକ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି। କାରଣ ବର୍ତ୍ତମାନର ଡିଜିପି ୱାଇ ବି ଖୁରାନିଆ କେନ୍ଦୁଝର ଏସ୍ପି ଥିଲା ବେଳେ ୧୯୯୯ ମସିହାରେ ଦାରା ସିଂହଙ୍କୁ ଗିରଫ କରିଥିଲେ। ଏବେ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କ ମତାମତ ଲୋଡ଼ିଥିଲା ବେଳେ ଖୁରାନିଆ କି ଭୂମିକା ନେଉଛନ୍ତି, ତାହା ସ୍ପଷ୍ଟ ହେବ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨୭ ତାରିଖରେ ହେବ।
ରାଷ୍ଟ୍ରପତିଙ୍କ ନିକଟରେ ହୋଇଥିବା ଆବେଦନରେ ଆବେଦନକାରୀ ରାଜାସିଂହ ଲୋଧ ଦର୍ଶାଇଛନ୍ତି, ଜଣେ ଆଜୀବନ କାରାଦଣ୍ଡ ଭୋଗୁଥିବା ଦୋଷୀ ଯେତେ ସମୟ ଜେଲ୍ରେ ରହିବା କଥା ଦାରା ସିଂହ ତାହାଠାରୁ ଅଧିକ ସମୟ ଜେଲ୍ରେ ବିତାଇ ସାରିଲେଣି। ତାଙ୍କ ବ୍ୟବହାର ଓ ସ୍ବଭାବରେ ପରିବର୍ତ୍ତନ ଆସିଛି। ଦାରାଙ୍କ ବୟସ ଅଧିକ ହୋଇସାରିଲାଣି। ସେ ତାଙ୍କ ବାପାମାଆଙ୍କ ଶୁଦ୍ଧିକ୍ରିୟାରେ ଭାଗ ନେଇପାରିନାହାନ୍ତି ଓ ଏହା ଦ୍ବାରା ତାଙ୍କ ମାନବାଧିକାରର ହନନ ହୋଇଛି। ଏଥି ସହିତ ସେହି ଅଞ୍ଚଳରେ ଦାରାଙ୍କୁ ଜଣେ ଭଲ ଶିକ୍ଷକ ବୋଲି ଲୋକମାନେ ଜାଣନ୍ତି। ଉପରୋକ୍ତ ସମସ୍ତ ପ୍ରସଙ୍ଗକୁ ବିଚାର କରାଯାଇ ଦାରାଙ୍କୁ ମୁକ୍ତ କରାଯାଉ। ସୂଚନାଯୋଗ୍ୟ ଯେ ୧୯୯୯ ମସିହା ଜାନୁଆରି ୨୧ ତାରିଖରେ ଦାରା ସିଂହ ଓ ତାଙ୍କର କିଛି ସମର୍ଥକ କେନ୍ଦୁଝର ଜିଲ୍ଲାର ମନୋହରପୁରଠାରେ ଅଷ୍ଟ୍ରେଲୀୟ ମିସନାରି ଗ୍ରାହମ ଷ୍ଟେନ୍ସ ଓ ତାଙ୍କର ଦୁଇ ପୁଅଙ୍କୁ ଗାଡ଼ି ଭିତରେ ଶୋଇଥିବା ସମୟରେ ଜିଅନ୍ତା ପୋଡ଼ି ହତ୍ୟା କରିଥିଲେ। ଏହି ଘଟଣାରେ ଦାରା ସିଂହ ଗିରଫ ହୋଇଥିଲେ। ୨୦୦ରେ ସିବିଆଇ ସ୍ବତନ୍ତ୍ର କୋର୍ଟ ତାଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଥିଲେ। ୨୦୦୫ରେ ଓଡ଼ିଶା ହାଇକୋର୍ଟ ମୃତ୍ୟୁ ଦଣ୍ଡାଦେଶକୁ କୋହଳ କରି ଆଜୀବନ କାରାଦଣ୍ଡରେ ପରିବର୍ତ୍ତନ କରିଥିଲେ। ପରେ ସୁପ୍ରିମକୋର୍ଟ ଏହି ଦଣ୍ଡାଦେଶକୁ କାଏମ ରଖିଥିଲେ।