ନିର୍ବାଚନୀ ବଣ୍ଡ୍‌ ନେଇ ଆବେଦନକାରୀଙ୍କ ଦାବି: ୪୧ କମ୍ପାନି ବିଜେପିକୁ ଦେଇଛନ୍ତି ୨୪୭୧ କୋଟି

କେନ୍ଦ୍ରୀୟ ଏଜେନ୍ସି ଦ୍ବାରା ତଦନ୍ତର ସମ୍ମୁଖୀନ ହୋଇଥିଲେ

ନୂଆଦିଲ୍ଲୀ: ରାଜନୈତିକ ଦଳଗୁଡ଼ିକୁ ନିର୍ବାଚନୀ ବଣ୍ଡ୍‌ ଚାନ୍ଦା ନେଇ ପ୍ରତିଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଥିବା ବେଳେ ଶୀର୍ଷ ଦାତାମାନେ ଏବେ ଚର୍ଚ୍ଚାରେ ରହିଛନ୍ତି। ସିବିଆଇ, ଇଡି ଏବଂ ଆୟକର ବିଭାଗ ଦ୍ୱାରା ତଦନ୍ତର ସମ୍ମୁଖୀନ ହେଉଥିବା ୪୧ଟି କମ୍ପାନି ଇଲେକ୍ଟୋରାଲ ବଣ୍ଡ୍‌ ମାଧ୍ୟମରେ ବିଜେପିକୁ ୨୪୭୧ କୋଟି ଟଙ୍କା ପ୍ରଦାନ କରିଛନ୍ତି ବୋଲି ଆବେଦନକାରୀଙ୍କ ପକ୍ଷରୁ ଦାବି କରାଯାଇଛି। ଏଜେନ୍ସିମାନଙ୍କ ଚଢ଼ଉ ପରେ ୧୬୯୮ କୋଟି ଟଙ୍କା ଦାନ କରାଯାଇଛି ବୋଲି ସୁପ୍ରିମ୍‌କୋର୍ଟରେ ନିର୍ବାଚନୀ ପାଣ୍ଠି ଯୋଜନାକୁ ଚ୍ୟାଲେଞ୍ଜ କରିଥିବା ଏନ୍‌ଜିଓଗୁଡ଼ିକ ତଥ୍ୟ ରଖିଛନ୍ତି। ନିର୍ବାଚନ ଆୟୋଗ ନିର୍ବାଚନୀ ବଣ୍ଡ୍‌ର ନୂଆ ତଥ୍ୟ ସାର୍ବଜନୀନ କରିବା ପରେ ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଗଣମାଧ୍ୟମକୁ କହିଛନ୍ତି ଯେ ଅତି କମ୍‌ରେ ୩୦ଟି ସେଲ୍ କମ୍ପାନି ୧୪୩ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଇଲେକ୍ଟୋରାଲ ବଣ୍ଡ୍‌ କିଣିଛନ୍ତି। ସରକାରଙ୍କ ଠାରୁ ୧୭୨ଟି ବୃହତ୍ ଚୁକ୍ତି ଓ ପ୍ରକଳ୍ପ ଅନୁମୋଦନ ପାଇଥିବା ୩୩ଟି ସଂସ୍ଥା ମଧ୍ୟ ଇଲେକ୍ଟୋରାଲ ବଣ୍ଡ ଜରିଆରେ ଚାନ୍ଦା ଦେଇଛନ୍ତି ବୋଲି ସେ କହିଛନ୍ତି। ଏହି ସଂସ୍ଥାମାନେ ବିଜେପିକୁ ୧୭୫୧ କୋଟି ଟଙ୍କାର ନିର୍ବାଚନୀ ବଣ୍ଡ ଦାନ ବଦଳରେ ପ୍ରକଳ୍ପ ଓ ଚୁକ୍ତିରେ ମୋଟ ୩.୭ ଲକ୍ଷ କୋଟି ଟଙ୍କା ପାଇଛନ୍ତି ବୋଲି ଭୂଷଣ ଦାବି କରିଛନ୍ତି। ଚଢ଼ଉ ପରେ ତୁରନ୍ତ ତିନି ମାସ ମଧ୍ୟରେ ୧୨୧ କୋଟି ଟଙ୍କା ଦିଆଯାଇଥିଲା ବୋଲି ସେ ଦାବି କରିବା ସହ ସ୍ବତନ୍ତ୍ର ତଦନ୍ତକାରୀ ସଂସ୍ଥା ଦ୍ବାରା ଏହାର ତଦନ୍ତ ହେଲେ ଆହୁରି ଅନେକ ତଥ୍ୟ ସାମ୍ନାକୁ ଆସିବ ବୋଲି କହିଛନ୍ତି। ଅତିକମରେ ୪୯ଟି ମାମଲାରେ କେନ୍ଦ୍ର କିମ୍ବା ବିଜେପି ନେତୃତ୍ୱାଧୀନ ରାଜ୍ୟ ସରକାର ୬୨,୦୦୦ କୋଟି ଟଙ୍କାର ପୋଷ୍ଟପେଡ୍ କଣ୍ଟ୍ରାକ୍ଟ/ପ୍ରକଳ୍ପ ଅନୁମୋଦନ ଦେଇଛନ୍ତି, ଯେଉଁଥିପାଇଁ ୫୮୦ କୋଟି ଟଙ୍କା ପ୍ରଦାନ କରାଯାଇଛି ବୋଲି ଭୂଷଣ ଅଭିଯୋଗ କରିଛନ୍ତି। ଆୟକର ଓ ଇଡି ଚଢ଼ଉର ତିନି ମାସ ମଧ୍ୟରେ ଫ୍ୟୁଚର ଗେମିଂ ବିଜେପିକୁ ୬୦ କୋଟି ଟଙ୍କା ଦେଇଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର