ପେଟ୍ରୋଲ କମିଲା ୧୦ ଟଙ୍କା ୨୩, ଡିଜେଲ ୭ ଟଙ୍କା ୩୬

ରାଜ୍ୟମାନେ ମଧ୍ୟ ଭାଟ୍ କମାନ୍ତୁ: କେନ୍ଦ୍ର

ନୂଆଦିଲ୍ଲୀ : ଦରଦାମ ନିୟନ୍ତ୍ରଣ କରିବା ଲାଗି କେନ୍ଦ୍ର ସରକାର ଶନିବାର ଦିନ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ପେଟ୍ରୋଲ ଉପରେ ଲିଟର ପିଛା ୮ ଟଙ୍କା ଏବଂ ଡିଜେଲ ଉପରେ ୬ ଟଙ୍କା ଉତ୍ପାଦନ ଶୁଳ୍କ ହ୍ରାସ କରିଛନ୍ତି। ଫଳରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୯ ଟଙ୍କା ୫୦ ପଇସା ଏବଂ ଡିଜେଲ ମୂଲ୍ୟ ୭ ଟଙ୍କା କମିଯିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଟ୍ବିଟ୍ କରି ସୂଚନା ଦେଇଛନ୍ତି। ଏହାସହିତ ଉଜ୍ଜ୍ବଳା ହିତାଧିକାରୀଙ୍କ ଲାଗି ସିଲିଣ୍ଡର ପିଛା ୨୦୦ ଟଙ୍କା ରିହାତି ଘୋଷଣା କରିଛନ୍ତି। ବର୍ଷକୁ ୧୨ଟି ସିଲିଣ୍ଡର ଲାଗି ସେମାନଙ୍କୁ ଏହି ରିହାତି ସୁବିଧା ମିଳିବ। କେନ୍ଦ୍ର ସରକାର ଉତ୍ପାଦନ ଶୁଳ୍କ ହ୍ରାସ କରିବା ସହିତ ରାଜ୍ୟମାନଙ୍କୁ ଟିକସ ହ୍ରାସ କରିବା ମଧ୍ୟ ପାଇଁ ଆହ୍ବାନ ଦେଇଛନ୍ତି। ଗତବର୍ଷ ନଭେମ୍ବରରେ କେନ୍ଦ୍ର ସରକାର ଉତ୍ପାଦନ ଶୁଳ୍କ ହ୍ରାସ କରିବା ସମୟରେ ଯେଉଁ ରାଜ୍ୟଗୁଡ଼ିକ ମୂଲ୍ୟଯୁକ୍ତ ଟିକସ ବା ଭାଟ୍‌ ହ୍ରାସ କରି ନଥିଲେ ସେମାନେ ଏବେ ହ୍ରାସ କରନ୍ତୁ। ଏହାଦ୍ବାରା ସାଧାରଣ ଗ୍ରାହକ ଆଶ୍ବସ୍ତ ହେବେ ବୋଲି ନିର୍ମଳା କହିଛନ୍ତି।

କେନ୍ଦ୍ରର ଏହି ଘୋଷଣା ପରେ ଓଡ଼ିଶାରେ ପେଟ୍ରୋଲ ଦାମ ୧୦ ଟଙ୍କା ୨୩ ପଇସା ଏବଂ ଡି‌ଜେଲ ଦାମ ୭ ଟଙ୍କା ୩୭ ପଇସା ହ୍ରାସ ପାଇବ। ଫଳରେ ଆଜିଠାରୁ ପେଟ୍ରୋଲ ଲିଟର ପିଛା ୧୦୨ ଟଙ୍କା ୪୫ ପଇସା ଏବଂ ଡିଜେଲ ମୂଲ୍ୟ ୯୪ ଟଙ୍କା ୯୯ ପଇସା ସ୍ତରକୁ ଖସି ଆସିବ। ବର୍ତ୍ତମାନ ଦେଶର ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକରେ ଦର ଭିନ୍ନ ଭିନ୍ନ ରହିଛି। ଅଧିକାଂଶ ସ୍ଥାନରେ ଦର ୧୦୦ ଟଙ୍କା ଉପରେ ରହିଛି। ଏହି ହ୍ରାସ ଫଳରେ କେତେକ ରାଜ୍ୟରେ ପେଟ୍ରୋଲ ଏବଂ ଡିଜେଲ ଦର ୧୦୦ ଟଙ୍କା ତଳକୁ ଖସିବ। ରାଜ୍ୟ ସରକାରଙ୍କ ଉପରେ ଭାଟ୍ ହ୍ରାସ ପାଇଁ ମଧ୍ୟ ଏହା ଚାପ ସୃଷ୍ଟି କରିବ। ରାଜ୍ୟ ସରକାରମାନେ ଭାଟ୍‌ ହ୍ରାସ କରିଲେ ଆଗାମୀ ଦିନରେ ପେଟ୍ରୋଲ ଓ ଡିଜେଲ ଆହୁରି କମ୍‌ ଦାମରେ ମିଳିପାରିବ। ନିକଟରେ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀମାନଙ୍କୁ ଭେଟିବା ସମୟରେ ପେଟ୍ରୋଲ ଓ ଡିଜେଲ ଉପରୁ ଟିକସ ହ୍ରାସ ପାଇଁ ଆହ୍ବାନ କରିଥିଲେ। ତେବେ ଏହାକୁ ବିରୋଧୀ ରାଜ୍ୟଗୁଡ଼ିକ ଦୃଢ଼ ବିରୋଧ କରିଥିଲେ। କେନ୍ଦ୍ର ସରକାର ପ୍ରଥମେ ଉତ୍ପାଦନ ଶୁଳ୍କ ହ୍ରାସ କରୁ ବୋଲି ସେମାନେ ଦାବି କରିଥିଲେ। କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଏହି ଟଣାଓଟରା ପରେ କେନ୍ଦ୍ର ସରକାର ଆଜି ଉତ୍ପାଦନ ଶୁଳ୍କ ହ୍ରାସ ଘୋଷଣା କରିଛନ୍ତି।

ପେଟ୍ରୋଲ, ଡିଜେଲ ଉପରୁ ଶୁଳ୍କ କମାଇଲା କେନ୍ଦ୍ର
ଉଜ୍ଜ୍ବଳା ଗ୍ୟାସ୍ ହିତାଧିକାରୀଙ୍କୁ ସିଲିଣ୍ଡର ପିଛା ୨୦୦ ଟଙ୍କା ରିହାତି
ଇସ୍ପାତ, ସିମେଣ୍ଟ ଦାମ ହ୍ରାସ ପାଇଁ ପଦକ୍ଷେପ ନିଆଯାଉଛି

ବିଭିନ୍ନ ରାଜ୍ୟରେ ଭାଟ୍ ଅଲଗା ଅଲଗା ରହିଥିବାରୁ ଦର ହ୍ରାସ ମଧ୍ୟ ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ରହିବ। ଓଡ଼ିଶାରେ ବର୍ତ୍ତମାନ ଏକ ଲିଟର ପେଟ୍ରୋଲ ଉପରେ ୨୭ ଟଙ୍କା ୯୦ ପଇସା ଏବଂ ଭାଟ୍ ୨୩ ଟଙ୍କା ୯୦ ପଇସା ଆଦାୟ କରାଯାଉଛି। ଉତ୍ପାଦନ ଶୁଳ୍କ ହ୍ରାସ ପରେ ପେଟ୍ରୋଲ ଉପରେ ଲିଟର ପିଛା ଭାଟ୍ ମୂଲ୍ୟ ୨ ଟଙ୍କା ୨୩ ପଇସା କମିଯିବ। ଫଳରେ ଭୁବନେଶ୍ବରରେ ପେଟ୍ରୋଲ ମୂଲ୍ୟ ୧୦ ଟଙ୍କା ୨୩ ପଇସା କମିବ। ସେହିଭଳି ଡିଜେଲ ଉପରେ ଉତ୍ପାଦନ ଶୁଳ୍କ ଲିଟର ପିଛା ୨୧ ଟଙ୍କା ୮୦ ପଇସା ଏବଂ ଭାଟ୍ ୧୯ ଟଙ୍କା ୩୪ ପଇସା ଆଦାୟ କରାଯାଉଛି। ଉତ୍ପାଦନ ଶୁଳ୍କ ଏବଂ ଭାଟ୍ ହ୍ରାସ ପରେ ଭୁବନେଶ୍ବରରେ ଡିଜେଲ ମୂଲ୍ୟ ଲିଟର ପିଛା ୭ ଟଙ୍କା ୩୬ ପଇସା କମିବ ବୋଲି ଉତ୍କଳ ପେଟ୍ରୋଲିୟମ ଡିଲର ସଂଘର ସଭାପତି ସଞ୍ଜୟ ଲାଠ୍ କହିଛନ୍ତି। ଫଳରେ ବିପିସିଏଲ ପେଟ୍ରୋଲ ପମ୍ପରେ ପେଟ୍ରୋଲ ମୂଲ୍ୟ ରବିବାର ସକାଳେ ଲିଟର ପିଛା ୧୦୨ ଟଙ୍କା ୪୫ ପଇସା ଏବଂ ଡିଜେଲ ମୂଲ୍ୟ ୯୪ ଟଙ୍କା ୯୯ ପଇସା ସ୍ତରକୁ ଖସିବ।

ସେହିଭଳି ଭୁବନେଶ୍ବର ଆଇଓସିଏଲ୍ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଦର ୧୦୨ ଟଙ୍କା ୧୭ ପଇସା ଏବଂ ଡିଜେଲ ୯୪ ଟଙ୍କା ୭୮ ପଇସାକୁ ହ୍ରାସ ପାଇଛି।

ସମ୍ବନ୍ଧିତ ଖବର