ରାଞ୍ଚି : ମନ୍ଦିର ଭିତରେ ପୂଜାରୀ ଶୋଇଥିବାବେଳେ ପେଟ୍ରୋଲ ବୋମା ଫିଙ୍ଗିଲେ ଦଙ୍ଗାକାରୀ

ରାଞ୍ଚି : ପ୍ରଫେଟ ବୟାନ ବିବାଦକୁ ନେଇ ଶୁକ୍ରବାରଦିନ ଦେଶର ବିଭିନ୍ନ ସହରରେ ହିଂସା ହୋଇଥିବାବେଳେ ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚିରେ ବଡ଼ ଧରଣର ହିଂସା ପରିଲକ୍ଷିତ ହୋଇଥିଲା । ଏହି ହିଂସାରେ ୨ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି ।

ତେବେ ମଧ୍ୟରାତ୍ର ପର୍ଯ୍ୟନ୍ତ ବି ହିଂସା ଜାରି ରହିଥିଲା । ଶୁକ୍ରବାର ମଧ୍ୟରାତ୍ରିରେ ଦଙ୍ଗାକାରୀମାନେ ରାଞ୍ଚିର ସୂର୍ଯ୍ୟମନ୍ଦିରକୁ ଲକ୍ଷ୍ୟ କରି ପେଟ୍ରୋଲ ବୋମା ଫିଙ୍ଗିଥିଲେ । ସେ ସମୟରେ ମନ୍ଦିରରେ ପୂଜାରୀ ଓ ତାଙ୍କ ପରିବାର ଶୋଇଥିଲେ । ତେବେ ସେମାନେ ଅଳ୍ପକେ ବର୍ତ୍ତିଯାଇଥିଲେ । ଏହି ଘଟଣା ସମ୍ପର୍କରେ ସେ ତୁରନ୍ତ ପୁଲିସକୁ ଖବର ଦେଇଥିଲେ ବି ପୁଲିସ ଆସିବା ବେଳକୁ ଦଙ୍ଗାକାରୀମାନେ ପଳାଇଯାଇଥିଲେ । ଏ ସଂପର୍କରେ ତଦନ୍ତ ଚାଲିଛି ଓ ଦୋଷୀମାନଙ୍କୁ ଧରିବାକୁ ଉଦ୍ୟମ କରାଯାଉଛି ବୋଲି ପୁଲିସ ପକ୍ଷରୁ କୁହାଯାଇଛି ।

ଶୁକ୍ରବାର ରାଞ୍ଚିରେ ହୋଇଥିବା ଦଙ୍ଗାରେ ଦଙ୍ଗାକାରୀମାନେ କେତେକ ହିନ୍ଦୁମନ୍ଦିର ଉପରେ ଆକ୍ରମଣ କରିଥିଲେ । ରାଞ୍ଚିର କାଳିମନ୍ଦିରରେ  କେତେକ ସାମ୍ବାଦିକ ଓ ପୁଲିସ ଆଶ୍ରୟ ନେଇଥିବାବେଳେ ସେମାନେ ତାହା ଉପରେ ବି ଆକ୍ରମଣ କରିଥିଲେ ।

ସୂଚନାଯୋଗ୍ୟ ଯେ ଏକ ଟେଲିଭିଜନ ବିତର୍କ ବେଳେ ବିଜେପିର ପୂର୍ବତନ ମୁଖପାତ୍ର ଇସଲାମ ବିରୋଧୀ ମନ୍ତବ୍ୟ ଦେବାପରେ ତାହାକୁ ନେଇ ଏକ ବଡ଼ ଧରଣର ବିବାଦ ସୃଷ୍ଟି ହୋଇଛି । ଏହାକୁ ନେଇ ଶୁକ୍ରବାରଦିନ ଭାରତୀୟ ମୁସଲମାନମାନେ ରାସ୍ତାକୁ ଓହ୍ଲାଇଛନ୍ତି । ସେମାନେ ନୂପୁର ଶର୍ମାଙ୍କ ଗିରଫ ଦାବି କରି ହିଂସାତ୍ମକ ଆନ୍ଦୋଳନ କରିଥିଲେ ।

ସମ୍ବନ୍ଧିତ ଖବର