ମହଙ୍ଗା ମାଡ଼ରୁ ନିସ୍ତାର ନାହିଁ: ପେଟ୍ରୋଲ ୧୨୧ ଟପିଲା, ଗୁଜରାଟ, ଝାଡ଼ଖଣ୍ଡରେ ପେଟ୍ରୋଲକୁ ଟପିବ ଡିଜେଲ

ରାଜସ୍ଥାନରେ ସର୍ବାଧିକ, ଦ୍ବିତୀୟ ସ୍ଥାନରେ ମଧ୍ୟପ୍ରଦେଶ

ନୂଆଦିଲ୍ଲୀ/ଭୁବନେଶ୍ବର: ମହଙ୍ଗାମାଡ଼ରୁ ଆଉ ନିସ୍ତାର ନାହିଁ। ପେଟ୍ରୋଲ ଏବଂ ଡିଜେଲ ଦର ସହିତ ଅତ୍ୟାବଶ୍ୟକ ସାମଗ୍ରୀର ଦାମ ମଧ୍ୟ ବଢ଼ିବାରେ ଲାଗିଛି। ପେଟ୍ରୋଲ ଏବଂ ଡିଜେଲ ଦର ନିୟନ୍ତ୍ରଣରେ ନାହିଁ। ପ୍ରତିଦିନ ପୂର୍ବଦିନର ‌ରେକର୍ଡକୁ ଭାଙ୍ଗୁଛି। ରାଜସ୍ଥାନ ଏବଂ ମଧ୍ୟ ପ୍ରଦେଶରେ ପେଟ୍ରୋଲ ଦର ୧୨୧ ଟଙ୍କା ଟପିଛି। କେବଳ ସେତିକି ନୁହେଁ, ଦେଶର କେତେକ ସ୍ଥାନରେ ପେଟ୍ରୋଲ ଦରକୁ ଡିଜେଲ ପୁଣି ଥରେ ଟପିବାକୁ ବସିଛି। ୨୦୧୯ରେ ଓଡ଼ିଶା ସମେତ ଅନ୍ୟ କିଛି ରାଜ୍ୟରେ ପ୍ରଥମ ଥର ପାଇଁ ପେଟ୍ରୋଲ ଦର ଠାରୁ ଡିଜେଲ ଦର ଅଧିକ ରହିଥିଲା। ଏବେ ଗୁଜରାଟ ଏବଂ ଝାଡ଼ଖଣ୍ଡରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ପାଖାପାଖି ସମାନ ସ୍ତର‌କୁ ଆସିଗଲାଣି। ଚଳିତବର୍ଷ ଆରମ୍ଭରୁ ଦେଶରେ ପେଟ୍ରୋଲ, ଡିଜେଲ ଦର ଲିଟର ପିଛା ପାଖାପାଖି ୨୬ ଟଙ୍କା ବଢ଼ିଲାଣି। ସେହିଭଳି ଚଳିତମାସ ପ୍ରଥମ ୩୦ ଦିନରୁ ୨୩ ଦିନ ପେଟ୍ରୋଲ ଏବଂ ଡିଜେଲ ଦର ବଢ଼ିଛି। କେବଳ ଅକ୍ଟୋବରରେ ପେଟ୍ରୋଲ ପ୍ରାୟ ୮ ଟଙ୍କା ଏବଂ ଡିଜେଲ ୯ ଟଙ୍କା ବଢ଼ିଥିବାର ରେକର୍ଡ କରାଯାଇଛି।

କେବଳ ସେତିକି ନୁହେଁ କିଛି ରାଜ୍ୟରେ ‌ଡିଜେଲ ଦର ଯେଉଁ ସ୍ତର ଛୁଇଁଲାଣି ତାହା ଅନ୍ୟ ରାଜ୍ୟର ପେଟ୍ରୋଲ ଦରଠାରୁ ଅଧିକ ରହିଛି। ଆଜି ମାଲକାନଗିରିରେ ଡିଜେଲ ଦର ୧୧୨ ଟଙ୍କା ଉପରେ ରହିଛି। ଦିଲ୍ଲୀ, କୋଲକାତା, ଚେନ୍ନାଇ ଭଳି ମହାନଗରର ପେଟ୍ରୋଲ ଦର ତୁଳନାରେ ମାଲକାନଗିରିର ଡିଜେଲ ଦର ବହୁ ଅଧିକ ରହିବା ଗ୍ରାହକଙ୍କୁ ଚିନ୍ତାରେ ପକାଇଛି। ଚଳିତମାସରେ ପେଟ୍ରୋଲ ଏବଂ ଡିଜେଲ ଦର ୨୩ ଥର ବଢ଼ିଛି। ‌୨୩ ଥରରେ ପେଟ୍ରୋଲ ଦର କରୋନା ମହାମାରୀ ସମୟରେ ଗତବର୍ଷ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ରେକର୍ଡ ସ୍ତରକୁ ହ୍ରାସ ପାଇଥିଲା। ସେହି ସମୟରେ ଗ୍ରାହକଙ୍କୁ କମ୍ ମୂଲ୍ୟରେ ପେଟ୍ରୋଲ ଏବଂ ଡିଜେଲ ମିଳିବାର ସୁଯୋଗ ରହିଥିଲା। କିନ୍ତୁ ସରକାର ତେଲ ଉପରେ ଉତ୍ପାଦ ଶୁଳ୍କ ବଢ଼ାଇ ଦେଲେ। ତାହାପରେ ରାଜ୍ୟ ସରକାରମାନେ ମଧ୍ୟ ‌ଭାଟ୍‌ ବଢ଼ାଇ ଦେଲେ। ଫଳରେ ଗ୍ରାହକଙ୍କୁ ଅଶୋଧିତ ତେଲ ଦର ହ୍ରାସର ଲାଭ ମିଳି ନଥିଲା। ସରକାର ଏହାର ଫାଇଦା ନେଇଥିଲେ। କିନ୍ତୁ ଅଶୋଧିତ ତେଲ ଦର ବଢ଼ିବା ପରେ ସରକାର ସେହି ଟିକସ ହ୍ରାସ ପାଇଁ ଆଉ ରାଜି ହେଉନାହାନ୍ତି। ଫଳରେ ଏହାର ବୋଝ ଖାଉଟିଙ୍କୁ ମୁଣ୍ଡାଇବାକୁ ପଡ଼ୁଛି। ଭାରତ ଏହାର ମୋଟ ଅଶୋଧିତ ତୈଳର ପାଖାପାଖି ୮୦ ପ୍ରତିଶତ ବିଦେଶରୁ ଆମଦାନି କରିଥାଏ। ଫଳରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବଢ଼ିଲେ ଭାରତରେ ପେଟ୍ରୋଲ ଏବଂ ଡିଜେଲ ଦର ବଢ଼ୁଛି।

ସମ୍ବନ୍ଧିତ ଖବର