୧୦୧ ଟଙ୍କାରେ ପହଞ୍ଚିଲା ପେଟ୍ରୋଲ ଦର !

ଜୟପୁର: ପେଟ୍ରୋଲ ଦର ଲିଟର ପିଛା ୧୦୦ ଟଙ୍କା ଟପିଛି | ଶୀର୍ଷକ ପଢି ଆପଣ ଆଶ୍ଚର୍ଯ୍ୟ ହେଲେ କି ? ତେବେ ଜମା ବି ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ | ଓଡ଼ିଶାରେ ପେଟ୍ରୋଲ ଦର ୧୦୦ ଟଙ୍କା ଟପି ନାହିଁ, ବରଂ ରାଜସ୍ଥାନରେ ପେଟ୍ରୋଲ ମୂଲ୍ୟ ୧୦୦ ଟଙ୍କା ଉପରକୁ ଚାଲିଯାଇଛି | ରାଜସ୍ଥାନର ଶ୍ରୀଗଙ୍ଗାନଗରରେ ପ୍ରିମିୟମ ପେଟ୍ରୋଲ ଲିଟର ପିଛା ୧୦୧ ଟଙ୍କା ୫୪ ପଇସାରେ ବିକ୍ରି ହୋଇଥିବାବେଳେ ସାଧାରଣ ପେଟ୍ରୋଲ ଲିଟର ପିଛା ୯୭ ଟଙ୍କା ୬୯ ପଇସାରେ ପହଂଚିଛି ।

ଏଭଳି ପରିସ୍ଥିତିରେ ସାଧାରଣ ନାଗରିକ ତଥା ବ୍ୟବସାୟୀମାନେ ରାଜ୍ୟରେ ଭାଟ୍ ହାର ହ୍ରାସ କରିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି | ମିଳିଥିବା ସୂଚନା ମୁତାବକ ଦେଶର ଅନ୍ୟ ରାଜ୍ୟ ତୁଳନାରେ ରାଜସ୍ଥାନରେ ପେଟ୍ରୋଲ ଏବଂ ଡିଜେଲ ଉପରେ ସର୍ବାଧିକ ଭାଟ୍ ଲାଗୁ କରାଯାଏ | ରାଜସ୍ଥାନରେ ପେଟ୍ରୋଲ ଉପରେ ରାଜ୍ୟ ୩୮ ପ୍ରତିଶତ ଭାଟ୍ ଆଦାୟ କରୁଥିବାବେଳେ ଡିଜେଲ ଉପରେ ୨୮ ପ୍ରତିଶତ ଭାଟ୍ ଆଦାୟ କରାଯାଏ | ଆଉ ଅଧିକ ଭାଟ ସଂଗ୍ରହ ହେଉଥିବାବେଳେ କରୋନା ପାଇଁ ପାଣ୍ଠି ସଂଗ୍ରହ କରିବାକୁ ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଅତିରିକ୍ତ ୧୦ ପ୍ରତିଶତ ଟିକସ ଲାଗୁ କରିଛନ୍ତି। ଯେଉଁ କାରଣରୁ ରାଜ୍ୟରେ ପେଟ୍ରୋଲ ମୂଲ୍ୟ ଆକାଶଛୁଆଁ ହୋଇଛି |

ଅନ୍ୟପଟେ ରାଜସ୍ଥାନ ପେଟ୍ରୋଲ-ଡିଜେଲ ଆସୋସିଏସନର ସଭାପତି ସୁନୀତ ବାଗାଇ ରାଜ୍ୟରେ ଲାଗୁ ହେଉଥିବା ଭାଟ୍ ହ୍ରାସ କରିବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି | ସେ କହିଛନ୍ତି ଯେ ଭାଟ କମାଇବା ଦ୍ୱାରା ଉଭୟ ସାଧାରଣ ଲୋକଙ୍କୁ ଆଶ୍ବସ୍ତି ମିଳିପାରିବ | ଯଦି ଏହା ନ ହୁଏ ତେବେ ପେଟ୍ରୋଲିୟମ ବ୍ୟବସାୟ ମଧ୍ୟ କ୍ଷତିଗ୍ରସ୍ତ ହୋଇପାରେ ବୋଲି ସୁନୀତ ବାଗାଇ କହିଛନ୍ତି |

ସମ୍ବନ୍ଧିତ ଖବର