ଇସଲାମାବାଦ: ପାକିସ୍ତାନରେ ପୁଣି ହାହାକାର । ଅହେତୁକ ଦରବୃଦ୍ଧି ପରେ ପାକିସ୍ତାନରେ ଦେଖା ଦେଇଛି ଜନ ଅସନ୍ତୋଷ । କେବେ ଖାଦ୍ୟ ସଂକଟ କେବେ ପୁଣି ଦରବୃଦ୍ଧି, ନାନାଦି ସମସ୍ୟା ଦେଇ ଗତି କରୁଥିବା ପାକିସ୍ତାନରେ ଏବେ ଦରବୃଦ୍ଧିକୁ ନେଇ ଚିନ୍ତିତ ସାଧାରଣ ଲୋକେ । କାରଣ ପାକିସ୍ତାନରେ ପେଟ୍ରୋଲ, ଡିଜେଲର ଦର ଆକାଶଛୁଆଁ ହୋଇଛି ।
ପେଟ୍ରୋଲ ଲିଟର ପିଛା ଦର ୪ ଟଙ୍କା ୮୦ ପଇସା ବଢିଥିବା ବେଳେ ହାଇ ସ୍ପିଡ୍ ଡିଜେଲ ଦର ୭ ଟଙ୍କା ୯୫ ପଇସା ବୃଦ୍ଧି ପାଇଛି । ଏହି ନୂଆ ଦର ସହ ହାଇ ସ୍ପିଡ୍ ଡିଜେଲ ଲିଟରକୁ ୨୬୨.୫୯ ଟଙ୍କା ପଡିବ ଏବଂ ପେଟ୍ରୋଲ ଲିଟରକୁ ୨୫୮.୪୩ ଟଙ୍କା ପଡିବ । ଗତକାଲି ଠାରୁ ଏହି ନୂଆ ଦର ଲାଗୁ ହୋଇଛି । ଆଗାମୀ ୧୫ ଦିନ ଯାଏଁ ଏହି ବର୍ଦ୍ଧିତ ଦର ଲୋକଙ୍କୁ ପ୍ରଭାବିତ କରିବ ବୋଲି ଅର୍ଥ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।
ସେପଟେ ପୂର୍ବରୁ ମଧ୍ଯ ମେ ୩୧ ତାରିଖରେ ପାରିସ୍ତାନ ସରକାର ପେଟ୍ରୋଲ ଦର ୧ ଟଙ୍କା ବଢାଇଥିଲେ । ସେତେବେଳେ ପେଟ୍ରୋଲ ଦର ୨୫୩ ଟଙ୍କା ୬୩ ପଇସା ଥିଲା ଆଉ ଏବେ ପୁଣି ପେଟ୍ରୋଲ ଦର ବଢିବାରୁ ଖର୍ଚ୍ଚ ବଢିବା ନେଇ ସାଧାରଣ ଲୋକେ ଚିନ୍ତିତ ଅଛନ୍ତି । ପେଟ୍ରୋଲ, ଡିଜେଲ ଦରବୃଦ୍ଧିର ସିଧାସଳଖ ପ୍ରଭାବ ପରିବହନ ଏବଂ କୃଷିକାମରେ ପଡିବ ବୋଲି ଆଶଙ୍କା କରାଯାଉଛି ।