ନୂଆଦିଲ୍ଲୀ : ପେଟ୍ରୋଲ୍ ଓ ଡିଜେଲ ଦର ବେଲଗାମ ହୋଇପଡ଼ିଛି। ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ବଢ଼ି ଚାଲିଥିବାରୁ ସ୍ଥାନୀୟ ବଜାରରେ ପେଟ୍ରୋଲ୍ ଓ ଡିଜେଲ ମହଙ୍ଗା ହେଉଛି। ସାରା ଦେଶରେ ଦରବୃଦ୍ଧିର ପ୍ରଭାବ ଦେଖିବାକୁ ମିଳିଛି। ପେଟ୍ରୋଲ୍ ଓ ଡିଜେଲ ଦର ଚାରି ବର୍ଷ ଭିତରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଯାଇଛି। ଶେଷ ଥର ୨୦୧୩ ସେପ୍ଟେମ୍ବରରେ ତେଲ ଦର ଏଭଳି ଉଚ୍ଚ ସ୍ତରରେ ଥିଲା। ମୁମ୍ବାଇରେ ପେଟ୍ରୋଲ୍ର ଲିଟର ପିଛା ଦର ସର୍ବାଧିକ ୮୧ ଟଙ୍କା ୯୩ ପଇସା ହୋଇଛି।
ଦିଲ୍ଲୀରେ ପେଟ୍ରୋଲ୍ ଦର ୭୪ ଟଙ୍କା ୮ ପଇସା, କୋଲକାତାରେ ୭୬ ଟଙ୍କା ୭୮ ପଇସା ଓ ଚେନ୍ନାଇରେ ୭୬ ଟଙ୍କା ୮୫ ପଇସା ହୋଇଛି। ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ବ୍ୟାରେଲ ପିଛା ଦର ୭୩ ଡଲାରରୁ ଅଧିକ ହୋଇଯାଇଛି। ଯାହା ସ୍ଥାନୀୟ ଖୁଚୁରା ବଜାର ଦରକୁ ପ୍ରଭାବିତ କରୁଛି। ୨୦୧୪ରେ ଏନ୍ଡିଏ ସରକାର ଶାସନ ଭାର ଗ୍ରହଣ କରିବା ବେଳେ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତେଲ ଦର ୩୦ ଡଲାର ପାଖାପାଖି ଥିଲା। ଏହାର ସୁଯୋଗ ନେଇ ସରକାର ପେଟ୍ରୋଲ୍ ଓ ଡିଜେଲ ଉପରେ ଚଢ଼ା ଦରର ଉତ୍ପାଦନ ଶୁଳ୍କ ଲାଗୁ କରି ବିପୁଳ ପରିମାଣର ରାଜସ୍ୱ ହାସଲ କରିଛନ୍ତି। ନିୟମିତ ବ୍ୟବଧାନରେ ଟିକସ ପରିମାଣ ବୃଦ୍ଧି କରି ସରକାର ରାଜସ୍ୱ ପରିମାଣ ବଢ଼ାଇଥିଲେ।
ଭାରତ ନିଜ ତୈଳ ଆବଶ୍ୟକତାର ୮୦% ଆମଦାନି ଜରିଆରେ ପୂରଣ କରୁଛି ତେଣୁ ପେଟ୍ରୋଲ୍ ଓ ଡିଜେଲ ଦର ସିଧାସଳଖ ଆନ୍ତର୍ଜାତିକ ବଜାର ଦର ଅନୁସାରେ ହ୍ରାସ କିମ୍ବା ବୃଦ୍ଧି ହେଉଛି।
ଅଶୋଧିତ ତୈଳ ଦର ବଢ଼ୁଥିଲେ ମଧ୍ୟ ପେଟ୍ରୋଲ ଓ ଡିଜେଲ ଉପରେ ଲାଗୁ କରାଯାଇଥିବା ଉତ୍ପାଦନ ଶୁଳ୍କକୁ ସରକାର କମ୍ କରିବାକୁ ଚାହୁଁନାହାନ୍ତି। ସେଥିପାଇଁ ଏହି ଦୁଇ ଇନ୍ଧନର ମୂଲ୍ୟ ଚାରି ବର୍ଷ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଯାଇଛି।
୨୦୧୪ ନଭେମ୍ବରରୁ ୨୦୧୬ ଜାନୁଆରି ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଉପରେ ଉତ୍ପାଦନ ଶୁଳ୍କ ୯ ଥର ବୃଦ୍ଧି କରାଯାଇଛି। ଏହି ୧୫ ମାସ ଭିତରେ ପେଟ୍ରୋଲ ଉପରେ ୧୧ ଟଙ୍କା ୭୭ ପଇସା ଓ ଡିଜେଲ ଉପରେ ୧୩ ଟଙ୍କା ୪୭ ପଇସାର ଅତିରିକ୍ତ ଟିକସ ବସାଯାଇଛି।
ଟିକସ ପରିମାଣ ବଢ଼ାଇ ସରକାର ମାଲାମାଲ ହୋଇଛନ୍ତି। ତେଲରୁ ମିଳୁଥିବା ରାଜସ୍ୱ ପରିମାଣ ଦୁଇ ଗୁଣ ବଢ଼ିଯାଇଛି। ୨୦୧୪-୧୫ରେ ତେଲରୁ ୯୯ ହଜାର କୋଟି ଟଙ୍କାର ଟିକସ ମିଳିିଥିଲା। ୨୦୧୬-୧୭ ବେଳକୁ ତାହା ୨ ଲକ୍ଷ ୪୨ ହଜାର କୋଟି ଟଙ୍କାରେ ପହଞ୍ଚିଯାଇଛି।
ଚଳିତ ମାସରେ ପେଟ୍ରୋଲ୍ ଓ ଡିଜେଲ ଦରରେ ଅଧିକ ବୃଦ୍ଧି ହୋଇଛି। ପେଟ୍ରୋଲ୍ ମୂଲ୍ୟରେ ୫୦ ପଇସାରୁ ଅଧିକ ଓ ଡିଜେଲ ଦର ୯୦ ପଇସାରୁ ଅଧିକ ବଢ଼ିସାରିଲାଣି। ୨୦୧୮ ଆରମ୍ଭ ପରଠାରୁ ପେଟ୍ରୋଲ ଦର ପାଖାପାଖି ୪ ଟଙ୍କା ଓ ଡିଜେଲ ଦର ୫ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଲାଣି। ତେଲ ଦର ନିର୍ଧାରଣର ସ୍ୱାଧୀନତା କଂପାନିଗୁଡ଼ିକୁ ପ୍ରଦାନ କରାଯାଇଛି। ସେମାନେ ପ୍ରତିଦିନ ପେଟ୍ରୋଲ ଓ ଡିଜେଲ ଦର ସଂଶୋଧନ କରୁଛନ୍ତି। ଆନ୍ତର୍ଜାତିକ ବଜାର ଦର ହିସାବକୁ ନେଇ କଂପାନିଗୁଡ଼ିକ ତେଲ ଦର ହ୍ରାସ କିମ୍ବା ବୃଦ୍ଧି କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/04/pet-1.jpg)