ପୁଣେ: ଦେଶରେ ପେଟ୍ରୋଲ ଓ ଡିଜେଲର ଦରରେ ଗତ ରବିବାର ଦିନ ବିଗତ ତିନିି ବର୍ଷ ମଧ୍ୟରେ ସର୍ବାଧିକ ବୃଦ୍ଧି ଘଟିବା ଘଟଣାକୁ କେନ୍ଦ୍ରକରି ଦେଶର ଖାଉଟିମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଇଛି। ରବିବାର ଦିନ ପୁଣେରେ ଲିଟର ପ୍ରତି ପେଟ୍ରୋଲ ୮୧ ଟଙ୍କା ୫୪ ପଇସା ଓ ଡିଜେଲ୍ ୬୭ଟଙ୍କା ୭୧ ପଇସା ଦରରେ ବିକ୍ରି ହେଉଥିଲା, ଯାହାକି ଥିଲା ସମଗ୍ର ଦେଶରେ ସର୍ବାଧିକ।
ଏସଂପର୍କରେ ଅଲ୍ ଇଣ୍ଡିଆ ପେଟ୍ରୋଲିୟମ ଡିଲର ଆସୋସିଏସନ୍ର ମୁଖପାତ୍ର ଅଲ୍ଲୀ ଦାରୁଓ୍ଵାଲା କହିଛନ୍ତି, ‘ହଁ ଏକଥା ସତ ଯେ ପେଟ୍ରୋଲ ଓ ଡିଜେଲର ଦରରେ ଆକାଶ ଛୁଆଁ ଭାବେ ବୃଦ୍ଧି ଘଟୁଛି। ତେବେ, ଇତିହାସରେ ପ୍ରଥମ ଥର ପାଇଁ ଏପରି ଘଟୁ ନାହିଁ। ତ୍ରିପୁରା ବିଧାନସଭା ନିର୍ବାଚନ ସମୟରେ ମଧ୍ୟ ତେଲ ଦରରେ ବୃଦ୍ଧି ଘଟିଥିଲା। ସେତେବେଳେ ପୁଣେରେ ପେଟ୍ରୋଲ ଲିଟର ପ୍ରତି ୮୩ ଟଙ୍କା ଦରରେ ବିକ୍ରି ହେଉଥିଲା। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ଦର ଉପରେ ଆମ ଦେଶରେ ପେଟ୍ରୋଲ ଓ ଡିଜେଲ୍ର ଦର ନିର୍ଭରଶୀଳ ହୋଇଥାଏ।’
ସେହିପରି, ଦେଶର ରାଜଧାନୀ ଦିଲ୍ଲୀରେ ଲିଟର ପ୍ରତି ପେଟ୍ରୋଲ୍ର ଦର ୭୩.୭୩ ଟଙ୍କା ଥିବା ବେଳେ ଡିଜେଲର ଦର ରହିଛି ୬୪.୫୮ ଟଙ୍କା। ଅଶୋଧିତ ତୈଳର ଆମଦାନୀ ଉପରେ ଥିବା ଏକ୍ସାଇଜ୍ ଶୁକ୍ଳରେ ହ୍ରାସ ଘଟାଇ ଘରୋଇ ବଜାରରେ ତୈଳ ଦରରେ ହ୍ରାସ ଆଣିବାକୁ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରାଳୟ ପ୍ରସ୍ତାବ ଦେଇଥିଲା। ମାତ୍ର, କେନ୍ଦ୍ର ଅର୍ଥମନ୍ତ୍ରୀ ଫେବ୍ରୁଆରି ମାସରେ ସଂସଦରେ ଆଗତ କରିଥିବା ବଜେଟରେ ଏହି ପ୍ରସ୍ତାବକୁ ଅଗ୍ରାହ୍ୟ କରି ଦେଇଥିଲେ। ଯାହା ଫଳରେ ଏବେ ଦେଶରେ ପେଟ୍ରୋଲ୍ ଓ ଡିଜେଲ୍ର ଦରରେ ବୃଦ୍ଧି ଘଟିଲା ବୋଲି କୁହାଯାଉଛି।