ମହଙ୍ଗା ନୁହଁ; ୨ରୁ ୩ ଟଙ୍କା ଶସ୍ତା ହୋଇପାରେ ପେଟ୍ରୋଲ-ଡିଜେଲ୍!

ନୂଆଦିଲ୍ଲୀ: ଏବେ ପଲ୍ଲୀଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଚର୍ଚ୍ଚା ଚାଲିଛି ଭାରତରେ ପେଟ୍ରୋଲ-ଡିଜେଲ୍ ଦର ବଢିବ। ଉତ୍ତରପ୍ରଦେଶ ସମେତ ୫ଟି ରାଜ୍ୟରେ ନିର୍ବାଚନ ଥିବାରୁ ସରକାର ପେଟ୍ରୋଲ-ଡିଜେଲ୍ ଦର ବଢାଉ ନଥିଲେ। ଉତ୍ତରପ୍ରଦେଶ ସମେତ ୫ଟି ରାଜ୍ୟରେ ନିର୍ବାଚନ ସରିଥିବାରୁ ଏବଂ ରୁଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଥିବାରୁ ସରକାର ତୈଳ ଦର ବଢାଇପାରନ୍ତି ବୋଲି ଅନେକଙ୍କ ମତ। ତେବେ କିଛି କାରଣ ଯୋଗୁଁ ପେଟ୍ରୋଲ-ଡିଜେଲ୍ ଦର ହ୍ରାସ ମଧ୍ୟ ହୋଇପାରେ।

ରୁଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ କାରଣରୁ ଅନ୍ତର୍ଜାତୀୟ ବଜାରରେ ତୈଳ ଦର ବଢି ମାର୍ଚ୍ଚ ୭ରେ ୧୩୯.୧୩ ଡଲାର ହୋଇଥିଲା। ଏହାପୂର୍ବରୁ ୨୦୦୮ରେ ଅଶୋଧିତ ତୈଳର ଦାମ ବ୍ୟାରେଲ୍ ପିଛା ୧୪୦ ଡଲାର ପହଞ୍ଚିଥିଲା। ଏବେ ଅନ୍ତର୍ଜାତୀୟ ବଜାରରେ ତୈଳ ଦର ଦ୍ରୁତଗତିରେ ହ୍ରାସ ପାଉଛି। ୧୦ ମାର୍ଚ୍ଚରେ ବ୍ୟାରେଲ ପିଛା ତୈଳ ଦର ୧୦୮.୭ ଡଲାର ପହଞ୍ଚିଥିଲା। ବିଶେଷଜ୍ଞଙ୍କ ଅନୁସାରେ ତୈଳ ଦର ଆହୁରି ହ୍ରାସ ହୋଇପାରେ।
ମିଡିଆରେ ପ୍ରକାଶିତ ଖବର ଅନୁସାରେ ବିପିସିଏଲର ଅଧ୍ୟକ୍ଷ ଅରୁଣ କୁମାର ସିଂହ କରିଛନ୍ତି, ଆସନ୍ତା ୨ ସପ୍ତାହରେ ତୈଳ ଦର ୯୦ ଡଲାରକୁ ହ୍ରାସ ହୋଇପାରେ। ଯଦି ରୁଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ସମାଧାନ ହୋଇଯାଏ ତେବେ ତୈଳ ଦର ଆହୁରି ହ୍ରାସ ହୋଇପାରେ। ଏପରି ସ୍ଥିତିରେ ପେଟ୍ରୋଲର ଦାମରେ ୨ରୁ ୩ଟଙ୍କା ହ୍ରାସ ହୋଇପାରେ।

୧ ଡିସେମ୍ବର ୨୦୨୧ରେ ଅଶୋଧିତ ତୈଳର ଦର ୬୮.୮୭ ଡଲାର ଥିଲା। ସେହି ସମୟରେ ଦିଲ୍ଲୀରେ ପେଟ୍ରୋଲର ଦର ଲିଟର ପିଛା ୯୫.୪୧ ଟଙ୍କା ଥିଲା। ୭ ମାର୍ଚ୍ଚ ୨୦୨୨ରେ ଅଶୋଧିତ ତୈଳର ଦର ବଢି ୧୩୯.୧୩ ଟଙ୍କା ହୋଇଥିଲା। ଅର୍ଥାତ୍ ଏହି ସମୟ ମଧ୍ୟରେ ତୈଳ ଦର ଅନ୍ତର୍ଜାତୀୟ ବଜାରରେ ୭୦.୨୬ ଡଲାର ହୋଇଛି। କିନ୍ତୁ ଦିଲ୍ଲୀରେ ପେଟ୍ରୋଲ ଦର ସେହି ୯୫.୪୧ ଟଙ୍କା ହିଁ ଥିଲା। ଏବେ ଅଶୋଧିତ ତୈଳ ଦର ୧୦୮ ଡଲାର ହୋଇଛି। ତେଣୁ କୁହାଯାଉଛି ଯେ ଭାରତରେ ପେଟ୍ରୋଲ ଓ ଡିଜେଲ ଦର ବଢିବ ନାହିଁ।

କେନ୍ଦ୍ରୀୟ ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ ୮ ମାର୍ଚ୍ଚରେ କହିଥିଲେ, ନିର୍ବାଚନ ପାଇଁ ତୈଳ ଦର ବଢାଯାଇ ନାହିଁ କହିବା ଭୁଲ୍, ତୈଳ ଦର କମ୍ପାନୀଗୁଡିକ ନିର୍ଦ୍ଧାରଣ କରିଥାନ୍ତି କାରଣ ସେମାନଙ୍କୁ ବଜାରରେ ତିଷ୍ଟି ରହିବାକୁ ପଡିବ।

ଅଶୋଧିତ ତୈଳର ଦର କେବଳ ୭ ମାର୍ଚ୍ଚରେ ହିଁ ବ୍ୟାରେଲ ପିଛା ୧୩୯ ଡଲାର ଥିଲା। ତିନିଦିନ ପରେ ଏହା ୧୦୮ ଡଲାର ହୋଇଥିଲା। ଯଦି ଅଶୋଧିତ ତୈଳ ଦର ବୃଦ୍ଧି ହୁଅନ୍ତା ତେବେ ଟ୍ୟାକ୍ସ ବଢାଯାଇଥାନ୍ତା ଓ ତୈଳ ଦରରେ ବୃଦ୍ଧି ହୁଅନ୍ତା। ତେବେ ଏବେ ସେପରି ସ୍ଥିତି ନାହିଁ।

ତେବେ ପୂର୍ବରୁ ୩ ଥର ନିର୍ବାଚନ ପରେ (୨୦୨୧ ପଶ୍ଚିମବଙ୍ଗ ନିର୍ବାଚନ, ୨୦୨୦ ବିହାର ନିର୍ବାଚନ, ୨୦୧୯ ଲୋକସଭା ନିର୍ବାଚନ) ତୈଳ ଦର ବଢାଯାଇଛି। ତେଣୁ ତୈଳ ଦର ବଢିବାର ଆଶଙ୍କାକୁ ଆଡେଇ ଦିଆଯାଇ ନପାରେ।

ସମ୍ବନ୍ଧିତ ଖବର