ଉତ୍ତରପ୍ରଦେଶରୁ ସଂଦିଗ୍ଧ ପିଏଫଆଇ କର୍ମୀ ଗିରଫ, ଆପତ୍ତିଜନକ କାଗତପତ୍ର ଜବତ

ଲକ୍ଷ୍ନୌ : ଉତ୍ତରପ୍ରଦେଶ ପୁଲିସର ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) ପକ୍ଷରୁ ଏକ ସଂଦିଗ୍ଧ ପିଏଫଆଇ କର୍ମୀକୁ ଗିରଫ କରାଯାଇଛି । ତା ନିକଟରେ ଅନେକ ଆପତ୍ତିଜନକ କାଗଜପତ୍ର ଓ ସାମଗ୍ରୀ ଜବତ ହୋଇଥିବା ପୁଲିସ ପକ୍ଷରୁ କୁହାଯାଇଛି ।

ଉକ୍ତ  ପିଏଫଆଇ କର୍ମୀର ନାଁ ଅବଦୁଲ୍ ମାଜିଦ ଓ ସେ କାକୋରିର ବାସିନ୍ଧା ବୋଲି ଜଣାପଡ଼ିଛି । ତାକୁ ଜେରା ବେଳେ ସେ ଆଉ କେତେକ ପିଏଫଆଇ କର୍ମୀଙ୍କ ନାଁ କହିଛି । ଆତଙ୍କବାଦ ଓ ଦେଶ ବିରୋଧୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ଅଭିଯୋଗରେ ପିଏଫଆଇ କାର୍ୟ୍ୟକର୍ତ୍ତାଙ୍କୁ ଗିରଫ କରାଯାଇଛି । ମାଜିଦ ନିକଟରୁ ପିଏଫଆଇ ଓ  ଇସଲାମିକ୍ ଷ୍ଟେଟ୍ ମଧ୍ୟରେ ସଂପର୍କ ଦର୍ଶାଉଥିବା କେତେକ ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍ ଏବଂ ଆପତ୍ତିଜନକ କାଗଜପତ୍ର ଜବତ କରାଯାଇଛି । ଆତଙ୍କବାଦ ବିରୋଧୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବାରୁ ମାଜିଦକୁ  ପୂର୍ବରୁ ମଧ୍ୟ ଗିରଫ କରାଯାଇଥିଲା, କିନ୍ତୁ ପରେ ଜାମିନ ମିଳିଥିଲା । ସେ ଉତ୍ତରପ୍ରଦେଶରେ ଯୁବକମାନଙ୍କୁ ପିଏଫଆଇରେ ସାମିଲ କରୁଥିଲା ।

ଗତ ଗୁରୁବାରଦିନ ଏନଆଇଏ ଏକା ସମୟରେ ୧୫ଟି ସ୍ଥାନରେ ଚଢଉ କରି ୧୦୬ ଜଣ ପିଏଫଆଇ ନେତାଙ୍କୁ ଗିରଫ କରିଥିଲା ।  ଏହାର ବିରୋଧରେ ପିଏଫଆଇ ପକ୍ଷରୁ ଶୁକ୍ରବାର ଧର୍ମଘଟ ଡକରା ଦିଆଯାଇଥିଲା । ଏହି ବନ୍ଦ ପାଳନ ବେଳେ ବ୍ୟାପକ ହିଂସା ଦେଖାଦେଇଥିଲା । ସାଧାରଣ ଲୋକ ଓ ପୁଲିସ ଉପରକୁ ବି ଆକ୍ରମଣ କରାଯାଇଥିଲା । କେବଳ କେରଳ ନୁହେଁ, ତାମିଲନାଡୁ, ଆସାମ ଓ ମହାରାଷ୍ଟ୍ରରେ ବି ଏହାକୁ ନେଇ ବିରୋଧ ପ୍ରଦର୍ଶନ କରାଯାଇଥିଲା ।

 

ସମ୍ବନ୍ଧିତ ଖବର