ଥିରୁଭାନନ୍ତପୁରମ୍: କେରଳର ପଲକ୍କଡରେ ଆରଏସଏସ କର୍ମୀ ଶ୍ରୀନିବାସନଙ୍କ ହତ୍ୟା ମାମଲାରେ ଏନଆଇଏ ଏକ ବଡ଼ ପର୍ଦ୍ଦାଫାସ୍ କରିଛି। ତଦନ୍ତରୁ ଜଣାପଡିଛି ଯେ, ନିଷିଦ୍ଧ ସଂଗଠନ ପିଏଫଆଇ ୨୦୪୭ ସୁଦ୍ଧା ଭାରତରେ ଇସଲାମିକ୍ ଶାସନ ପ୍ରତିଷ୍ଠା କରିବାକୁ ଷଡ଼ଯନ୍ତ୍ର କରିଥିଲା।
ଜୁନ୍ ୧୧ ତାରିଖରେ ଏନଆଇଏର ଏର୍ନାକୁଲମ୍ କୋର୍ଟ ମହମ୍ମଦ ବିଲାଲ, ରିୟାଉସଦିନ ଏବଂ ଅନ୍ୟ ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ। ସେମାନେ ସମସ୍ତେ ସେହି ମାମଲାରେ ଅଭିଯୁକ୍ତ ଯେଉଁଥିରେ ଆରଏସଏସ କର୍ମୀ ଶ୍ରୀନିବାସନଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଥିଲା।
ଏନଆଇଏ କୋର୍ଟଙ୍କୁ କହିଛି ଯେ, ପିଏଫଆଇ (ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ), ଯାହା ବର୍ତ୍ତମାନ ଏକ ନିଷିଦ୍ଧ ସଂଗଠନ, ଏହାର ସଦସ୍ୟ ଏବଂ ଅଧିକାରୀମାନେ ଗତ କିଛି ବର୍ଷ ଧରି ଏକ ବଡ଼ ଷଡ଼ଯନ୍ତ୍ରରେ ସାମିଲ ଥିଲେ। ସେମାନଙ୍କର ଲକ୍ଷ୍ୟ ଥିଲା ଦେଶରେ ଆତଙ୍କ ପ୍ରସାର କରିବା, ସାମ୍ପ୍ରଦାୟିକ ଉତ୍ତେଜନା ବୃଦ୍ଧି କରିବା ତଥା ୨୦୪୭ ସୁଦ୍ଧା ଭାରତରେ ଇସଲାମିକ୍ ଶାସନ ଲାଗୁ କରିବା।
ପିଏଫଆଇ ସଦସ୍ୟମାନେ ଇସଲାମିକ ଶାସନ ପାଇଁ ଷଡ଼ଯନ୍ତ୍ର କରିଥିଲେ। ଏନଆଇଏ ଅନୁଯାୟୀ, ପିଏଫଆଇ ସଦସ୍ୟମାନେ ପୂର୍ବରୁ ସିମି ଭଳି ନିଷିଦ୍ଧ ଆତଙ୍କବାଦୀ ସଂଗଠନ ସହିତ ଜଡିତ ଥିଲେ ଏବଂ ଲଶ୍କର-ଏ-ତୋଇବା, ଆଇଏସଆଇଏସ ଏବଂ ଅଲ୍ କାଇଦା ଭଳି ଅନ୍ତର୍ଜାତୀୟ ଆତଙ୍କବାଦୀ ସଂଗଠନ ସହିତ ମଧ୍ୟ ସେମାନଙ୍କର ସମ୍ପର୍କ ରହିଛି।
ସଂଗଠନର ଅନେକ କ୍ୟାଡର ଅଛନ୍ତି ଯେଉଁମାନେ ଏହି ଆତଙ୍କବାଦୀ ସଂଗଠନର ସଦସ୍ୟ ଭାବେ ମଧ୍ୟ କାର୍ଯ୍ୟ କରି ସାରିଛନ୍ତି। ପିଏଫଆଇ ଲୋକମାନେ କେରଳ ସମେତ ଦେଶର ଅନେକ ସ୍ଥାନରେ ହିଂସା ଏବଂ ହତ୍ୟା କାଣ୍ଡ ଭିଆଇଥିଲେ, ଯାହା ସାଧାରଣ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିଥିଲା।
ଏନଆଇଏ ଦାବି କରିଛି ଯେ, ପିଏଫଆଇ କେବଳ ଆତଙ୍କବାଦ ପ୍ରସାର କରିବାକୁ ଚେଷ୍ଟା କରୁ ନଥିଲା ବରଂ ଦେଶର ସମ୍ବିଧାନ ଏବଂ ଗଣତନ୍ତ୍ରକୁ ନଷ୍ଟ କରି ଏକ ନୂତନ ଇସଲାମିକ୍ ସମ୍ବିଧାନ ଲାଗୁ କରିବାକୁ ମଧ୍ୟ ଯୋଜନା କରୁଥିଲା।
ପିଏଫଆଇର ଯୋଜନାରେ ଚାରୋଟି ପର୍ଯ୍ୟାୟ ଥିବା ଏନଆଇଏ କହିଛି। ପ୍ରଥମ ପର୍ଯ୍ୟାୟରେ, ମୁସଲିମ ସମ୍ପ୍ରଦାୟକୁ ଗୋଟିଏ ପତାକା ତଳେ ଅଣାଯିବାର ଥିଲା।
ଦ୍ବିତୀୟ ପର୍ଯ୍ୟାୟରେ ଏସଡିପିଆଇ ନାମକ ଏକ ରାଜନୈତିକ ଦଳ ମାଧ୍ୟମରେ ଦଳିତ, ପଛୁଆ ବର୍ଗ ଏବଂ ସଂଖ୍ୟାଲଘୁଙ୍କୁ ଏକତ୍ର କରି ନିର୍ବାଚନ ଜିତିବାର ଉଦ୍ଦେଶ୍ୟ ଥିଲା।
ତୃତୀୟ ପର୍ଯ୍ୟାୟରେ, ସମାଜରେ ବିଭାଜନ ସୃଷ୍ଟି କରି ସେମାନଙ୍କୁ ଧୀରେ ଧୀରେ କ୍ଷମତାରେ ପ୍ରବେଶ କରିବାର ବାଟ ପ୍ରଶସ୍ତ କରିବା।
ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟରେ, ଏସଡିପିଆଇକୁ ସମଗ୍ର ମୁସଲିମ ସମ୍ପ୍ରଦାୟର ପ୍ରତିନିଧି କରି ଅନ୍ୟ ମୁସଲିମ ସଂଗଠନଗୁଡ଼ିକୁ ହଟାଇବାର ଯୋଜନା ଥିଲା।
ଏହା ପରେ, ନ୍ୟାୟପାଳିକା, ସେନା ଏବଂ ପୁଲିସ ବିଭାଗରେ ବିଶ୍ୱସ୍ତ ଲୋକଙ୍କୁ ନିଯୁକ୍ତ କରାଇ ବିରୋଧୀମାନଙ୍କୁ ରାସ୍ତାରୁ ହଟାଇବା ସହିତ ଅସ୍ତ୍ରଶସ୍ତ୍ରର ଏକ ଭଣ୍ଡାର ପ୍ରସ୍ତୁତ କରାଯାଇ ଦେଶରେ ଇସଲାମିକ୍ ଆଇନ କାର୍ଯ୍ୟକାରୀ କରାଯିବାର ଷଡ଼ଯନ୍ତ୍ର ରଚାଯାଇଥିଲା।
ଅଧିକ ପଢ଼ନ୍ତୁ: ୟୁକ୍ରେନର ଏହି ସହରକୁ ନିୟନ୍ତ୍ରଣ କରିବା ପାଇଁ ୧.୧୦ ଲକ୍ଷ ସୈନିକଙ୍କୁ ନିୟୋଜିତ କଲେ ପୁଟିନ
ଏନଆଇ କହିଛି ଯେ,ପିଏଫଆଇର ଏକ ସ୍ୱତନ୍ତ୍ର ରିପୋର୍ଟର ୱିଙ୍ଗ ଏବଂ ସର୍ଭିସ୍ ୱିଙ୍ଗ ଥିଲା। ରିପୋର୍ଟର ୱିଙ୍ଗ ଅଞ୍ଚଳର ହିନ୍ଦୁ ନେତାମାନଙ୍କର ରେକି କରୁଥିଲା ଏବଂ ଏକ ତାଲିକା ପ୍ରସ୍ତୁତ କରୁଥିଲା, ଯେଉଁଥିରୁ ଟାର୍ଗେଟଗୁଡ଼ିକୁ ଚୟନ କରାଯାଉଥିଲା ଏବଂ ସର୍ଭିସ୍ ୱିଙ୍ଗ ମାଧ୍ୟମରେ ହତ୍ୟା କରାଯାଉଥିଲା। ଶ୍ରୀନିବାସଙ୍କ ହତ୍ୟା ମଧ୍ୟ ଏହି ଷଡ଼ଯନ୍ତ୍ରର ଏକ ଅଂଶ ଥିଲା।
ଏନଆଇଏ ଅନୁଯାୟୀ, ଏହା ହଠାତ୍ ସଂଗଠିତ ହୋଇଥିବା ଅପରାଧ ନୁହେଁ, ବରଂ ଏକ ସୁଚିନ୍ତିତ ଆତଙ୍କବାଦୀ ଆକ୍ରମଣ ଥିଲା। ଶ୍ରୀନିବାସନଙ୍କୁ ହତ୍ୟା କରାଯାଇଥିଲା କାରଣ ସେ, ସେମାନଙ୍କ ଟାର୍ଗେଟରେ ଥିଲେ। ପୂର୍ଣ୍ଣ ପ୍ରସ୍ତୁତି ପରେ, ତାଙ୍କୁ ଘଟଣାସ୍ଥଳରେ ନିର୍ମମ ଭାବରେ ହତ୍ୟା କରାଯାଇଥିଲା। ଚଳିତ ବର୍ଷ ମାର୍ଚ୍ଚ ମାସରେ, ଇଡି ଏସଡିପିଆଇ ମୁଖ୍ୟ ଏମକେ ଫୈଜିଙ୍କୁ ମଧ୍ୟ ଗିରଫ କରିଥିଲା। ତାଙ୍କୁ ଏହି ସମ୍ପୂର୍ଣ୍ଣ ଷଡ଼ଯନ୍ତ୍ରର ଏକ ଗୁରୁତ୍ୱପୂର୍ଣ୍ଣ ଲିଙ୍କ୍ ଭାବରେ ବିବେଚନା କରାଯାଉଛି।
ଏନଆଇଏ ଦ୍ୱାରା କୋର୍ଟରେ ଉପସ୍ଥାପିତ ତଥ୍ୟ ସୂଚାଇ ଦେଉଛି ଯେ, ପିଏଫଆଇ କେବଳ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିବା ପାଇଁ ନୁହେଁ ବରଂ ସମଗ୍ର ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଧ୍ୱଂସ କରିବା ପାଇଁ ଏକ ଗମ୍ଭୀର ଆତଙ୍କବାଦୀ ଷଡ଼ଯନ୍ତ୍ରରେ ସାମିଲ ଥିଲା।
ଅଧିକ ପଢ଼ନ୍ତୁ: ଅଳିଆଗଦାରୁ ଉଦ୍ଧାର ହୋଇଥିବା କର୍କଟ ପୀଡ଼ିତା ବୃଦ୍ଧାଙ୍କୁ ମିଳିବ ମାଗଣା ଚିକିତ୍ସା ସୁବିଧା
NIA | PFI