ପିଏଫ୍‌ଆଇର ଖେଳ ଶେଷ: ୨୦୪୭ ସୁଦ୍ଧା ଭାରତକୁ ଇସଲାମିକ୍ ଷ୍ଟେଟ୍ କରିବା ଲକ୍ଷ୍ୟ ଥିଲା

ଏସ୍‌ଡିପିଆଇ ବିପୁଳ ପାଣ୍ଠି ସଂଗ୍ରହ କରିଛି, ଚଢ଼ଉରୁ ମିଳିଲା ଦେଶ ବିରୋଧୀ ଷଡ଼୍‌ଯନ୍ତ୍ରର ସୁରାକ

ନୂଆଦିଲ୍ଲୀ: ଇସ୍‌ଲାମିକ ଚରମପନ୍ଥୀ ସଂଗଠନ ପିଏଫ୍‌ଆଇ (ପପୁଲାର ଫ୍ରଣ୍ଟ୍‌ ଅଫ ଇଣ୍ଡିଆ) ଭାରତରେ ଯେଉଁ ବିପଜ୍ଜନକ ଖେଳ ଖେଳୁଥିଲା ଆଜି ତାହାର ଅନ୍ତ ଘଟିିଛି। କେନ୍ଦ୍ର ସରକାର ଆଜି ପିଏଫ୍‌ଆଇ ଏବଂ ଏହାର ୮ ସହଯୋଗୀ ସଂଗଠନକୁ ୫ ବର୍ଷ ପାଇଁ ନିଷିଦ୍ଧ ଘୋଷଣା କରିଛନ୍ତି। ପିଏଫ୍‌ଆଇ ୩୦୦ରୁ ଅଧିକ କାର୍ଯ୍ୟକର୍ତ୍ତା ଗିରଫ ହୋଇଥିବା ବେଳେ ଏହାର ବ୍ୟାଙ୍କ୍‌ ଆକାଉଣ୍ଟ ଓ ସମସ୍ତ ସୋସିଆଲ ମିଡିଆ ଆକାଉଣ୍ଟ ଅଚଳ କରିଦିଆଯାଇଛି। ସମସ୍ତ ରାଜ୍ୟରେ ଏହାର ଦପ୍ତର ମଧ୍ୟ ସିଲ୍‌ କରାଯାଇଛି। ପୂର୍ବରୁ ମଧ୍ୟ ଭାରତରେ ଆଉ ୫ଟି ଇସଲାମିକ ସଂଗଠନ ନିଷିଦ୍ଧ ହୋଇଛି । ୟୁଏପିଏ ଆଇନ, ୧୯୬୭ ଅଧୀନରେ କେନ୍ଦ୍ର ସରକାରଙ୍କ ଦ୍ବାରା ନିଷିଦ୍ଧ ଘୋଷଣା ହୋଇଥିବା ଅନ୍ୟ ସଂଗଠନ ଗୁଡ଼ିକ ହେଉଛି-

ଅଲ୍‌କାଏଦା ଇଣ୍ଡିଆନ ସବ୍‌କଣ୍ଟିନେଣ୍ଟ୍‌
ଏକ୍ୟୁଆଇଏସ୍‌ (ଅଲ୍‌କାଏଦା ଇଣ୍ଡିଆନ ସବ୍‌କଣ୍ଟିନେଣ୍ଟ) ଏକ ଇସଲାମିକ ଆତଙ୍କବାଦୀ ସଂଗଠନ। ଏହା ପାକିସ୍ତାନ, ଭାରତ, ମିଆଁମାର ଏବଂ ବାଂଲାଦେଶରେ ନିଜର କାୟା ବିସ୍ତାର କରିବାକୁ ଚାହୁଥିଲା। ଏକ୍ୟୁଆଇଏସ୍‌ ଦେଶରେ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ପ୍ରୋତ୍ସାହିତ କରିବା ଏବଂ ଆତଙ୍କବାଦୀ କାର୍ଯ୍ୟକଳାପରେ ଦେଶର ଯୁବଗୋଷ୍ଠୀଙ୍କୁ ନିଯୁକ୍ତି କରୁଥିବାରୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ୨୦୧୮ ଜୁନ୍‌ରେ ଏକ୍ୟୁଆଇଏସ୍‌କୁ ନିଷିଦ୍ଧ କଲେ।

ଅଲ୍‌-ବଦର(ଜମ୍ମୁ କାଶ୍ମୀର)
ଅଲ-ବଦର ଏକ ଇସଲାମିକ ଆତଙ୍କବାଦୀ ସଂଗଠନ। ଏହା କାଶ୍ମୀରରେ ସକ୍ରିୟ। ୧୯୯୮ ଜୁନ୍‌ରେ ପାକିସ୍ତାନୀ ଆଇଏସ୍‌ଆଇ (ଇଣ୍ଟର ସର୍ଭିସେସ୍‌ ଇଣ୍ଟେ‌ଲିଜେନ୍ସ) ଦ୍ବାରା ଏହା ଗଠନ ହୋଇଥିଲା। ୟୁଏପିଏ ଆଇନ,୨୦୦୪ ଅଧୀନରେ ଏହି ସଂଗଠନକୁ ସରକାର ନିଷିଦ୍ଧ କରିଥିଲେ।

ଦୀନଦାର ଅଞ୍ଜୁମନ
ହାଇଦ୍ରାବାଦର ଇସଲାମିକ ଧାର୍ମିକ ସଂଗଠନ ହେଉଛି ଦୀନଦାର ଅଞ୍ଜୁମନ। ଆନ୍ଧ୍ରପ୍ରଦେଶ ଏବଂ କର୍ଣ୍ଣାଟକରେ ବୋମା ବିସ୍ଫୋରଣରେ ଏହି ସଂଗଠନର ସମ୍ପୃକ୍ତ ଥିବା ଅଭିଯୋଗରେ ଏହାକୁ ପ୍ରଥମେ ୨୦୦୧ରେ ନିଷିଦ୍ଧ କରାଯାଇଥିଲା। ପରେ ୨୦୦୭ ଅକ୍ଟୋବରରେ ଦେଶରେ ଶାନ୍ତି ଏବଂ ସାମ୍ପ୍ରଦାୟିକ ସଦ୍‌ଭାବନା ନଷ୍ଟ କରୁଥିବା ନେଇ ଦୀନଦାର ଅଞ୍ଜୁମନକୁ ବେଆଇନ ଘୋଷଣା କରାଯାଇଥିଲା।

ଇଣ୍ଡିଆନ ମୁଜାହିଦ୍ଦିନ
ଆଇଏମ୍‌ (ଇଣ୍ଡିଆନ ମୁଜାହିଦ୍ଦିନ) ଏକ ଇସଲାମିକ ଆତଙ୍କବାଦୀ ସଂଗଠନ। ସିମି ( ଷ୍ଟୁଡେଣ୍ଟ୍‌ସ ଇସଲାମିକ ମୁଭମେଣ୍ଟ ଅଫ୍‌ ଇଣ୍ଡିଆ)ର ଏକ ଶାଖା ଭାବେ ଆଇଏମ୍‌ ପ୍ରତିଷ୍ଠା ହୋଇଥିଲା। ଆଇଏମ୍‌ ଦ୍ବାରା ଦେଶରେ ବିଭିନ୍ନ ସିରିଜ୍‌ ବୋମା ବିସ୍ଫୋରଣ ହୋଇଛି। ଏହାର ଏଲ୍‌ଇଟି (ଲସ୍କର ଏ ତୋଏବା) ସହ ସମ୍ପୃକ୍ତି ଥିଲା। ସରକାର ଜୁନ୍‌ ୪, ୨୦୧୦ରେ ଆଇଏମ୍‌କୁ ନିଷିଦ୍ଧ କରିଥିଲେ।

ଷ୍ଟୁଡେଣ୍ଟ୍‌ସ ଇସଲାମିକ ମୁଭମେଣ୍ଟ ଅଫ୍‌ ଇଣ୍ଡିଆ
ୟୁଏପିଏ ଆଇନ ୧୯୬୭ ଅଧୀନରେ ଷ୍ଟୁଡେଣ୍ଟ୍‌ସ ଇସଲାମିକ ମୁଭମେଣ୍ଟ ଅଫ୍‌ ଇଣ୍ଡିଆକୁ ସରକାର ନିଷିଦ୍ଧ ଘୋଷଣା କରିଛନ୍ତି। ଉତ୍ତରପ୍ରଦେଶର ଆଲିଗଡ଼ରେ ୧୯୭୭, ଏପ୍ରିଲ ୨୫ରେ ଗଠନ ହୋଇଥିବା ସିମିକୁ କେନ୍ଦ୍ର ସରକାର ପ୍ରଥମେ ୨୦୦୧ରେ ଏବଂ ପୁଣିଥରେ ୨୦୧୯ରେ ନିଷିଦ୍ଧ କରିଥିଲେ।

ଏସ୍‌ଡିପିଆଇ ବିପୁଳ ପାଣ୍ଠି ସଂଗ୍ରହ କରିଛି
ନୂଆଦିଲ୍ଲୀ: ସୋ‌ସିଆଲ ଡେମୋକ୍ରାଟିକ ପାର୍ଟି ଅଫ୍‌ ଇଣ୍ଡିଆ (ଏସ୍‌ଡିପିଆଇ) ନିଷିଦ୍ଧ ପିଏଫ୍‌ଆଇର ରାଜନୈତିକ ଶାଖା। ଏହି ଦଳ ୨୦୦୯ ଜୁନ୍‌ରେ ଗଠନ ହୋଇଥିଲା ଏବଂ ଏପ୍ରିଲ ୨୦୧୦‌ରେ ଏହା ନିର୍ବାଚନ କମିସନ୍‌ (ଇସି)ରେ ପଂଜିକୃତ ହୋଇଥିଲା। ଇସି ତଥ୍ୟ ଅନୁଯାୟୀ ୨୦୧୮-୧୯ ଆର୍ଥିକ ବର୍ଷରେ ଏହି ଦଳ ୫.୧୭ କୋଟି ଟଙ୍କା ପାଣ୍ଠି ଗ୍ରହଣ କରିଥିବା ବେଳେ ୨୦୧୯-୨୦ରେ ୩.୭୪ କୋଟି ପାଣ୍ଠି ଗ୍ରହଣ କରିଥିଲା। ୨୦୨୦-୨୧ ବର୍ଷରେ ପିଏଫ୍‌ଆଇ ରାଜନୈତିକ ଶାଖା ୨.୮୬ କୋଟି ପାଣ୍ଠି ସଂଗ୍ରହ କରିଥିଲା। ସର୍ବାଧିକ ପାଣ୍ଠି ତାମିଲନାଡ଼ୁ, କେରଳ ଏବଂ କର୍ଣ୍ଣାଟକରୁ ଆସିଛି। ପିଏଫ୍‌ଆଇକୁ ନିଷିଦ୍ଧ କରାଯିବା ଗଣତନ୍ତ୍ର ପ୍ରତି ସିଧାସଳଖ ଧକ୍କା ବୋଲି ଏସ୍‌ଡିପିଆଇ କହିଛି।

୨୦୪୭ ସୁଦ୍ଧା ଭାରତକୁ ଇସଲାମିକ୍ ଷ୍ଟେଟ୍ କରିବା ଲକ୍ଷ୍ୟ ଥିଲା
ଚଢ଼ଉରୁ ମିଳିଲା ଦେଶ ବିରୋଧୀ ଷଡ଼୍‌ଯନ୍ତ୍ରର ସୁରାକ

ନୂଆଦିଲ୍ଲୀ: ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫ୍‌ଆଇ) ଉପରେ ଭାରତର ଏକାଧିକ ଏଜେନ୍ସି ତରଫରୁ ଦେଶବ୍ୟାପୀ ଚଢ଼ଉ ପରେ ଏହି ସଂଗଠନର ଭୟାନକ ଦେଶବିରୋଧୀ କାର୍ଯ୍ୟକଳାପ ସାମ୍ନାକୁ ଆସିଛି। ଭାରତକୁ ୨୦୪୭ ସୁଦ୍ଧା ଇସ୍‌ଲାମିକ୍ ଷ୍ଟେଟ୍‌ରେ ପରିଣତ କରିବା ଏହାର ଲକ୍ଷ୍ୟ ଥିଲା ବୋଲି ଜବତ ହୋଇଥିବା ଦସ୍ତାବିଜରୁ ପ୍ରମାଣ ମିଳିଛି। ପିଏଫ୍‌ଆଇର ‘ମିସନ ୨୦୪୭’ ସହ ସମ୍ବନ୍ଧିତ ସିଡି, ବୁକ୍‌ଲେଟ୍ ଆଦି ମିଳିଛି। ଏଥିରେ ଆଇଇଡି (ଇମ୍ପ୍ରୁଭାଇଜ୍‌ଡ ଏକ୍ସପ୍ଲୋଜିଭ୍ ଡିଭାଇସ୍) ତିଆରି କରିବା ଲାଗି ଏକ ସଂକ୍ଷିପ୍ତ ପାଠ୍ୟକ୍ରମ ମଧ୍ୟ ରହିଛି। ଏଥି ସହ ବିପୁଳ ପରିମାଣର ହିସାବବହିର୍ଭୂତ ଟଙ୍କା ମଧ୍ୟ ଜବତ କରାଯାଇଛି। ମଙ୍ଗଳବାର ଏହି ଆତଙ୍କବାଦୀ ସଂଗଠନକୁ ଭାରତ ସରକାର ପାଞ୍ଚ ବର୍ଷ ପାଇଁ ନିଷିଦ୍ଧ ଘୋଷଣା କରିବା ସହ ବିଭିନ୍ନ କଟକଣା ଲାଗୁ କରିଛନ୍ତି। ୭ଟି ରାଜ୍ୟରେ ଚଢ଼ଉ ସମୟରେ ଗିରଫ ହୋଇଥିବା ବ୍ୟକ୍ତିଙ୍କୁ ଏବେ ଜେରା ଚାଲିଛି।

କେରଳ କଂଗ୍ରେସ ଓ ସିପିଏମ୍‌ର ଦାବି ‘ଆର୍‌ଏସ୍‌ଏସ୍‌କୁ ବି ନିଷିଦ୍ଧ କର’
ତିରୁଅନନ୍ତପୁରମ୍: କେରଳ କଂଗ୍ରେସ ଓ ଏହାର ସହଯୋଗୀ ଇଣ୍ଡିଆନ ୟୁନିୟନ ମୁସଲିମ ଲିଗ (ଆଇୟୁଏମ୍‌ଏଲ୍‌) ପକ୍ଷରୁ ବୁଧବାର ପିଏଫ୍‌ଆଇକୁ କେନ୍ଦ୍ର ସରକାରଙ୍କ ନିଷିଦ୍ଧ କରିବା ନିଷ୍ପତ୍ତିକୁ ସ୍ବାଗତ କରାଯାଇଛି। ଏଥି ସହ ସେମାନେ କହିଛନ୍ତି ଯେ ରାଷ୍ଟ୍ରୀୟ ସ୍ବୟ ସେବକ ସଂଘ (ଆର୍‌ଏସ୍‌ଏସ୍‌)କୁ ନିଷିଦ୍ଧ କରାଯିବା ଉଚିତ। ବରିଷ୍ଠ ଆଇୟୁଏମ୍‌ଏଲ୍‌ ନେତା ଏମ୍‌କେ ମୁନିର କହିଛନ୍ତି ପିଏଫ୍ଆଇ ଏକ ମୌଳବାଦୀ ଗୋଷ୍ଠୀ। ସେମାନେ କୋରାନର ଅପବ୍ୟାଖ୍ୟା କରି ଯୁବବର୍ଗକୁ ହିଂସାତ୍ମକ ପଥରେ ପରିଚାଳିତ କରୁଛନ୍ତି। ଏପରି ସଂଗଠନକୁ କେନ୍ଦ୍ର ସରକାର ନିଷିଦ୍ଧ କରିବା ସ୍ବାଗତଯୋଗ୍ୟ। ଏଥି ସହ ମୁନିର କହିଛନ୍ତି ଯେ, ଆର୍‌ଏସ୍‌ଏସ୍‌ ଓ ପିଏଫ୍‌ଆଇ-ଏସ୍‌ଡିପିଆଇ ଉଭୟକୁ ଆଇୟୁଏମ୍‌ଏଲ୍‌ ବିରୋଧ କରେ। କାରଣ ଉଭୟ ସାମ୍ପ୍ରଦାୟିକ ଆଦର୍ଶର ପ୍ରସାର କରିଥାନ୍ତି। କଂଗ୍ରେସ ନେତା ତଥା ପୂର୍ବତନ ରାଜ୍ୟ ଗୃହମନ୍ତ୍ରୀ ରମେଶ ଚେନିତାଲା ଅନୁରୂପ ମତ ବ୍ୟକ୍ତ କରିବା ସହ ପିଏଫ୍‌ଆଇକୁ ନିଷିଦ୍ଧ କରାଯିବା ଘୋଷଣାକୁ ସ୍ବାଗତ କରିଛନ୍ତି। ଏଥି ସହ ଆର୍‌ଏସ୍‌ଏସ୍‌କୁ ମଧ୍ୟ ନିଷିଦ୍ଧ କରାଯିବା ଉଚିତ ବୋଲି ସେ ମତବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର