ଆରଏସଏସ ନେତାଙ୍କୁ ହତ୍ୟା ମାମଲାରେ ପିଏଫଆଇ ନେତାଙ୍କୁ ଗିରଫ କଲା ପୁଲିସ, ୨୭କୁ ବଢ଼ିଲା ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା

ତିରୁବନନ୍ତପୁରମ: ଆରଏସଏସ ନେତା ଶ୍ରୀନିବାସନଙ୍କ ହତ୍ୟା ଘଟଣାରେ କେରଳ ପୁଲିସ ସୋମବାର ବିଳମ୍ବିତ ରାତିରେ ପାଲକ୍କଡ ଜିଲ୍ଲାରୁ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫଆଇ) ଜିଲ୍ଲା ସଚିବ ଆବୁ ବକର ସିଦ୍ଦିକଙ୍କୁ ଗିରଫ କରିଛି। ସ୍ଥାନୀୟ ଆରଏସଏସ ନେତା ଶ୍ରୀନିବାସନଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରିବା, ହତ୍ୟାକାରୀଙ୍କୁ ଏହି ଅପରାଧରେ ସାହାଯ୍ୟ କରିବା ଅଭିଯୋଗରେ ଅବୁ ବକର ସିଦ୍ଦିକଙ୍କୁ ଗିରଫ କରାଯାଇଛି। ଆଉ ଏହାକୁ ମିଶାଇ ଏହି ମାମଲାରେ ୨୭ ତମ ଅଭିଯୁକ୍ତକୁ ଗିରଫ କରାଯାଇଛି |

ପୂର୍ବତନ ଜିଲ୍ଲା ନେତା ତଥା ଆରଏସଏସର କାର୍ଯ୍ୟକର୍ତ୍ତା ଶ୍ରୀନିବାସନଙ୍କୁ ଏପ୍ରିଲ ୧୬ରେ ମେଲମୁରୀର ମୋଟରସାଇକେଲ ଦୋକାନରେ ୬ ଜଣିଆ ଗ୍ୟାଙ୍ଗ ଆକ୍ରମଣ କରି ହତ୍ୟା କରିଥିଲେ। ତେବେ ଏହାର ୨୪ ଘଣ୍ଟା ପୂର୍ବରୁ, ଏପ୍ରିଲ ୧୫ ତାରିଖ ଅପରାହ୍ନରେ ଶୁକ୍ରବାର ପ୍ରାର୍ଥନା କରି ନିଜ ପିତାଙ୍କ ସହ ଘରକୁ ଫେରୁଥିବା ଜୁବାଇରଙ୍କୁ ହତ୍ୟା କରାଯାଇଥିଲା | ଆଉ ଜୁବାଇରଙ୍କ ହତ୍ୟାର ପ୍ରତିଶୋଧ ନେବାକୁ ଶ୍ରୀନିବାସନଙ୍କୁ ହତ୍ୟା କରାଯାଇଥିଲା ବୋଲି କୁହାଯାଇଥିଲା।

ତେବେ ଆବୁ ବକର ସିଦ୍ଦିକଙ୍କ ଗିରଫଦାରୀକୁ ନିନ୍ଦା କରି ପିଏଫଆଇ ପକ୍ଷରୁ କୁହାଯାଇଛି ଯେ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ପାଇଁ ତାଙ୍କୁ ଗିରଫ କରାଯାଇଛି | ସିପିଏମ୍ ନେତୃତ୍ୱାଧୀନ ଏଲଡିଏଫ ସରକାର ରାଜ୍ୟରେ ପିଏଫଆଇ କର୍ମୀମାନଙ୍କୁ ହଇରାଣ କରାଯିବା ସହ ମିଥ୍ୟା ମାମଲାରେ ଫସାଉଥିବାର ପିଏଫଆଇ ଅଭିଯୋଗ କରିଛି। ହତ୍ୟା ଷଡଯନ୍ତ୍ର ତଥା ହତ୍ୟାକାରୀଙ୍କୁ ଏହି ହତ୍ୟାକାଣ୍ଡରେ ସାହାଯ୍ୟ କରିବା ଅଭିଯୋଗରେ ଏହି ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଏପର୍ଯ୍ୟନ୍ତ ୨୭ ଜଣଙ୍କୁ ଗିରଫ କରାଯାଇଛି।

ସମ୍ବନ୍ଧିତ ଖବର