ସିଏଏ, ଏନ୍‌ଆରସି ବିରୋଧରେ ୫,୦୦୦ ସ୍ଥାନରେ ଆନ୍ଦୋଳନ ଯୋଜନା କରୁଛି ପିଏଫ୍‌ଆଇ

ନୂଆଦିଲ୍ଲୀ : ସିଏଏ (ନାଗରିକତା ସଂଶୋଧନ ଆଇନ ) ଏବଂ ଏନ୍‌ଆରସି (ରାଷ୍ଟ୍ରୀୟ ନାଗରିକ ପଂଜିକା) ବିରୋଧରେ ବିଶାଳ ଆନ୍ଦୋଳନ ଯୋଜନା କରୁଛି ପିଏଫ୍‌ଆଇ (ପପୁଲାର ଫ୍ରଣ୍ଟ୍‌ ଅଫ୍‌ ଇଣ୍ଡିଆ)। ପିଏଫ୍‌ଆଇର ରାଜନୈତିକ ଶାଖା ଏସ୍‌ଡିପିଆଇ ଦ୍ବାରା ଏହା ୫,୦୦୦ରୁ ଅଧିକ ସ୍ଥାନରେ ସିଏଏ ଏବଂ ଏନ୍‌ଆରସି ବିରୋଧରେ ଆନ୍ଦୋଳନ ଯୋଜନା କରୁଛି ବୋଲି କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରାଳୟକୁ ପଠାଯାଇଥିବା ଗୁଇନ୍ଦା ରିପୋର୍ଟରୁ ଏହା ଜଣାପଡ଼ିଛି। ରି‌ପୋର୍ଟ ଅନୁଯାୟୀ ପିଏଫ୍‌ଆଇ ସିଏଏ ଏବଂ ଏନ୍‌ଆରସି ବିରୋଧରେ ଘରକୁ ଘର ବୁଲି ପ୍ରଚାର କରିବାପାଇଁ ମଧ୍ୟ ଯୋଜନା କରିଛି। ‘ ୱିଲ୍‌ ନଟ୍‌ ସୋ ‌ପେପର୍‌’ ପ୍ରଚାର ଅଭିଯାନ ଆଧାରରେ ଲୋକେ ସରକାରୀ ଅଧିକାରୀଙ୍କୁ ସେମାନଙ୍କ କାର୍ଯ୍ୟରେ ସହଯୋଗ କରିବେନି ତଥା ଆବଶ୍ୟକତୀୟ କାଗଜପତ୍ର ଦେଖାଇବେନି ବୋଲି ଜଣାପଡ଼ିଛି। କିଛି ଅଞ୍ଚଳରେ ଆନ୍ଦୋଳନର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଲାଣି। ଆନ୍ଧ୍ରପ୍ରଦେଶ ଏବଂ କର୍ଣ୍ଣାଟକର କିଛି ସ୍ଥାନରେ ମୁସଲିମ୍‌ମାନେ ଏନ୍‌ପିଆର ପ୍ରକ୍ରିୟା ପାଇଁ ସରକାରୀ ଅଧିକାରୀଙ୍କୁ ସହଯୋଗ କରୁନଥିବା କୁହାଯାଉଛି। ଗତ କିଛି ଦିନ ମଧ୍ୟରେ ବିଭିନ୍ନ ମୁସଲିମ ଅନୁଷ୍ଠାନ ଗୁଡ଼ିକ ୨୩୦୦ରୁ ଅଧିକ ସ୍ଥାନରେ ଆନ୍ଦୋଳନ କରିଛନ୍ତି। ଏଥି ମଧ୍ୟରୁ କେରଳରେ ୫୮୭, ପଶ୍ଚିମବଙ୍ଗରେ ୨୨୧, ଉତ୍ତର ପ୍ରଦେଶରେ ୨୦୨, ତାମିଲନାଡ଼ୁରେ ୨୨୧, ମହାରାଷ୍ଟ୍ର‌ରେ ୨୦୧, ଆନ୍ଧ୍ରପ୍ରଦେଶରେ ୧୧୮, ତେଲେଙ୍ଗାନାରେ ୧୦୫, କର୍ଣ୍ଣାଟକରେ ୧୦୦, ରାଜସ୍ଥାନରେ ୮୭, ମଧ୍ୟପ୍ରଦେଶରେ ୭୧, ଗୁଜରାଟରେ ୪୮ ଏବଂ ବିହାରରେ ୪୫ ଟି ସ୍ଥାନରେ ଆନ୍ଦୋଳନ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର