କର୍ଣ୍ଣାଟକ, କେରଳ ଏବଂ ବିହାରର ପ୍ରାୟ ୨୫ଟି ସ୍ଥାନରେ ଥିବା ପିଏଫଆଇ ଠିକଣାରେ ଏନଆଇଏ ଚଢଉ

ନୂଆଦିଲ୍ଲୀ : ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫଆଇ) ଫୁଲୱାରିଶରିଫ ମାମଲାରେ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ) ବୁଧବାର କର୍ଣ୍ଣାଟକ, କେରଳ ଏବଂ ବିହାରର ପ୍ରାୟ ୨୫ଟି ସ୍ଥାନରେ ଚଢ଼ାଉ କରିଛି । ହିଂସାତ୍ମକ ଓ ବେଆଇନ କାର୍ଯ୍ୟକଳାପରେ ପିଏଫଆଇ ଏବଂ ଏହାର ନେତା ଓ କ୍ୟାଡରଙ୍କ ସମ୍ପୃକ୍ତି ଅଭିଯୋଗରେ ଏହି ଚଢଉ କରାଯାଉଛି । ରାଷ୍ଟ୍ରବିରୋଧୀ କାର୍ଯ୍ୟପାଇଁ ସେମାନେ ପାଟନାର ଫୁଲୱାରୀଶରିଫ ଅଞ୍ଚଳରେ ଯେଉଁ ସନ୍ଦିଗ୍ଧଙ୍କ ଘରେ ଏକାଠି ହୋଇଥିଲେ ସେଠାରେ ଏବେ ବି ଚଢ଼ାଉ ଜାରି ରହିଛି।

ଏହି ମାମଲାରେ ଏନଆଇଏ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ବୟାନ ଦେଇନାହିଁ । ଚଢ଼ାଉ ବେଳେ କିଛି ଆପତ୍ତିଜନକ କାଗଜପତ୍ର ମିଳିଥିବା ସୂଚନା ମିଳିଛି । ଏନଆଇଏ ପାଣ୍ଠି ଯୋଗାଣ ଦିଗରୁ ତଦନ୍ତ କରୁଛି । କର୍ଣ୍ଣାଟକର ଦକ୍ଷିଣ କନ୍ନଡ ଅଞ୍ଚଳରେ ବି ଚଢ଼ାଉ ଜାରି ରହିଛି ।

ଗତବର୍ଷ ଜୁଲାଇ ୧୨ ତାରିଖରେ ବିହାରର ପାଟନା ଜିଲ୍ଲାର ଫୁଲୱାରିଶରିଫ ଥାନାରେ ରୁଜୁ ହୋଇଥିବା ଏହି ମାମଲାରେ ୬ ଜଣଙ୍କୁ ଗିରଫ କରାଯିବା ସହ ପିଏଫଆଇ ସହ ଜଡ଼ିତ ଅନେକ ଆପତ୍ତିଜନକ ସାମଗ୍ରୀ ଓ କାଗଜପତ୍ର ଜବତ କରାଯାଇଥିଲା। ଚଳିତ ବର୍ଷ ଫେବ୍ରୁଆରି ୪-୫ତାରିଖରେ ଏନ୍ଆଇଏ ବିହାରର ମୋତିହାରୀର ୮ଟି ସ୍ଥାନରେ ଚଢ଼ାଉ କରି ହତ୍ୟାକାଣ୍ଡ ଘଟାଇବା ପାଇଁ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ବ୍ୟବସ୍ଥା କରିଥିବା ଦୁଇ ଜଣଙ୍କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର