ପାଟନା : ଇସ୍ଲାମୀୟ ମୌଳବାଦୀ ସଂଗଠନ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫଆଇ)ର ଏକ ବଡ଼ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ କରିଛି ବିହାର ପୁଲିସ । ୨୦୪୭ ସୁଦ୍ଧା ଭାରତରେ ଇସ୍ଲାମୀୟ ଶାସନ ପ୍ରତିଷ୍ଠା କରିବା ଦିଗରେ ଏହି ସଂଗଠନ କାମ କରୁଥିବା ଜଣାପଡ଼ିଛି ।
ଗତ ଜୁଲାଇ ୧୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିହାର ଗସ୍ତ ସମୟରେ ଏହି ସଂଗଠନ ପକ୍ଷରୁ ତାଙ୍କୁ ଟାର୍ଗେଟ କରିବାକୁ ଷଡ଼ଯନ୍ତ୍ର କରାଯାଇଥିଲା ବୋଲି ବିହାର ପୁଲିସ ଜାଣିପାରିଛି । ଏହି ମଡ୍ୟୁଲର ୨ ଜଣ ସଦସ୍ୟ ଅଥର ପରଭେଜ ଓ ମହମ୍ମଦ ଜଲାଲୁଦ୍ଦିନଙ୍କୁ ଗିରଫ କରାଯାଇଛି ।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଜଲାଲୁଦ୍ଦିନ ପୂର୍ବରୁ ଝାଡ଼ଖଣ୍ଡ ପୁଲିସରେ ଜଣେ ଅଫିସର ଭାବେ କାମ କରୁଥିଲା । ସେ ପିଏଫଆଇର ସଦସ୍ୟମାନଙ୍କୁ ଅସ୍ତ୍ରଶସ୍ତ୍ର ତାଲିମ ପ୍ରଦାନ କରୁଥିଲା । ସେହିପରି ପରଭେଜ୍ ପୂର୍ବରୁ ସିମିର ସଦସ୍ୟ ଥିଲା । ଏବେ ସେ ପିଏଫଆଇର ସଦସ୍ୟ ଅଛି ।
ଏହି ଦୁଇ ଆତଙ୍କବାଦୀ ମୋଦୀଙ୍କ ଗସ୍ତର ୧୫ ଦିନ ପୂର୍ବରୁ ଫୁଲଓ୍ବାରି ସରିଫଠାରେ ତାଲିମ ନେଇଥିଲେ । ମୋଦୀଙ୍କୁ ହତ୍ୟା ଷଡ଼ଯନ୍ତ୍ରକୁ ସାକାର କରିବାକୁ ସେମାନେ ଜୁଲାଇ ୬ ଓ ୭ରେ ଏକ ବୈଠକ କରିଥିଲେ । ତେବେ ବିହାର ପୁଲିସ ଫୁଲଓ୍ବାରି ସରିଫ ଉପରେ ଚଢଉ ବେଳେ ଏହି ଷଡ଼ଯନ୍ତ୍ରର ପର୍ଦ୍ଦାଫାସ ହୋଇଥିଲା ।
ଏହି ଡଢଉ ସମୟରେ ପୁଲିସକୁ କେତେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ମିଳିଛି । କେତେକ କାଗଜପତ୍ରରୁ ଜଣାପଡ଼ିଛି ଯେ, ଆସନ୍ତା ୨୦୪୭ ସୁଦ୍ଧା ଭାରତରେ ଇସ୍ଲାମୀୟ ଶାସନ ପ୍ରତିଷ୍ଠା କରିବା ଲାଗି ପିଏଫଆଇ କାମ କରୁଛି ।