ଆତଙ୍କବାଦୀ ସଂଗଠନଙ୍କ ପାଇଁ ତାଲିମ କେନ୍ଦ୍ର ପାଲଟିଛି ପିଏଫଆଇ

ନୂଆଦିଲ୍ଲୀ : ବିବାଦୀୟ ଇସ୍ଲାମିକ ସଂଗଠନ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫଆଇ) ପକ୍ଷରୁ କୌଣସି ଆତଙ୍କବାଦୀ ସଂଗଠନ ସହ ସଂପର୍କକୁ ଅସ୍ବୀକାର କରାଯାଉଥିବାବେଳେ ଏହି ସଂଗଠନ ଆଇଏସ ପରି କେତେକ ଆତଙ୍କବାଦୀ ସଂଗଠନ ସହ ସଂପର୍କ ରଖିଥିବା ଗୁଇନ୍ଦା ଏଜେନ୍ସିମାନେ ଜାଣିବାକୁ ପାଇଛନ୍ତି ।

ପିଏଫଆଇ ପକ୍ଷରୁ ନିଜ କ୍ୟାଡରମାନଙ୍କୁ କଠୋର ତାଲିମ ଦେବା ସହ ସେମାନଙ୍କ ମନରେ ମୌଳବାଦର ବୀଜ ବପନ କରାଯାଉଛି । ଭାରତରେ ଥିବା ମୁସଲିମ ବିରୋଧୀ ସଂଗଠନ ଓ ବ୍ୟକ୍ତିମାନଙ୍କୁ ହିଂସାତ୍ମକ ପଦ୍ଧତିରେ ଦମନ କରିବାକୁ ନିଜ କ୍ୟାଡରମାନଙ୍କୁ ତାଲିମ ଦେଉଛି ପିଏଫଆଇ । ଏହା ଫଳରେ ସେମାନେ ଅନ୍ୟ ଆତଙ୍କବାଦୀ ସଂଗଠନମାନଙ୍କ ନିମନ୍ତେ ଏକ ନିଯୁକ୍ତିସ୍ଥଳୀରେ ପରିଣତ ହୋଇଛି । ଅର୍ଥାତ ଆତଙ୍କବାଦୀ ସଂଗଠନମାନେ ଏହି କ୍ୟାଡରମାନଙ୍କୁ ଆତଙ୍କି କାର୍ଯ୍ୟକଳାପରେ ନିଯୁକ୍ତ କରୁଛନ୍ତି ।

ନିକଟରେ ହୋଇଥିବା କାନପୁର ହିଂସା ଓ ଗତ ବର୍ଷ ତ୍ରିପୁରାରେ ହୋଇଥିବା ଦଙ୍ଗା ପଛରେ ପିଏଫଆଇର ହାତ ଥିବା କୁହାଯାଉଛି । ୨୦୨୦ରେ ଆରମ୍ଭରେ ହୋଇଥିବା ନାଗରିକତା ସଂଶୋଧନ ଆଇନ (ସିଏଏ) ବିରୋଧୀ ହିଂସା ପଛରେ ଏହି ସଂଗଠନର ହାତ ଥିବା ଅଭିଯୋଗ ହୋଇଥିଲା । ଏ ନେଇ ଗୁଇନ୍ଦା ସଂସ୍ଥାଗୁଡ଼ିକ ମଧ୍ୟ ରିପୋର୍ଟ ପ୍ରଦାନ କରିଥିଲେ । ଏହାକୁ ଭିତ୍ତି କରି ଦେଶରେ ପିଏଫଆଇକୁ ନିଷିଦ୍ଧ ଘୋଷିତ କରିବାକୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦାବି କରିଥିଲେ । ଗତ ସପ୍ତାହରେ ଇଡି ପକ୍ଷରୁ ପିଏଫଆଇର କେତେକ ବ୍ୟାଙ୍କ ଖାତାକୁ ଅଚଳ କରାଯାଇଥିଲା ।

ସମ୍ବନ୍ଧିତ ଖବର