ଫାଇଜର ଟିକା ୯୫% ଫଳପ୍ରଦ: ପରୀକ୍ଷଣ ଶେଷ, ଖୁବଶୀଘ୍ର ବ୍ୟବହାର ଅନୁମତି

ନୂଆଦିଲ୍ଲୀ: ଆମେରିକାର ବହୁରାଷ୍ଟ୍ରୀୟ ଔଷଧ ପ୍ରସ୍ତୁତକାରୀ ସଂସ୍ଥା ଫାଇଜର ଦ୍ବାରା ତିଆରି କୋଭିଡ ଟିକାର ନୈଦାନିକ ପରୀକ୍ଷଣ ଶେଷ ହୋଇଛି ଏବଂ ଏହି ଟିକା ୯୫ ପ୍ରତିଶତ ଫଳପ୍ରଦ ବୋଲି କମ୍ପାନି ଦାବି କରିଛି। ଶେଷ ପର୍ଯ୍ୟାୟରେ ପ୍ରାୟ ୮ ହଜାର ସ୍ବେଚ୍ଛାସେବୀଙ୍କଠାରେ ଏହି ଟିକାର ସଫଳ ପ୍ରୟୋଗ କରାଯାଇଥିଲା। ଏହା ପୂର୍ବରୁ ଫାଇଜର ନିଜ ଟିକା ୯୦ ପ୍ରତିଶତ ଫଳପ୍ରଦ ବୋଲି ଦାବି କରିଥିଲା। ତେବେ ଚୂଡ଼ାନ୍ତ ପରୀକ୍ଷଣ ପରେ ଆଜି ଏହି ଟିକା ୯୫ ପ୍ରତିଶତ ଫଳପ୍ରଦ ବୋଲି ଘୋଷଣା ପରେ ବିଶ୍ବବ୍ୟାପୀ ଏହି ଟିକାକୁ ନେଇ ଉତ୍ସାହ ଦେଖିବାକୁ ମିଳିଛି। ମଡର୍ଣ୍ଣା ଟିକାର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଚାଲୁ ରହିଛି ଏବଂ ବିଧିବଦ୍ଧ ସ୍ବିକୃତି ମିଳିବା ପରେ ଆସନ୍ତା ଡିସେମ୍ବରରେ ଏହା ବଜାରକୁ ଆସିବ ବୋଲି କମ୍ପାନି ପକ୍ଷରୁ ଘୋଷଣା କରାଯାଇଛି। ଅପରପକ୍ଷେ, ଏହି ଦୁଇଟି ଟିକା ୯୦ ପ୍ରତିଶତରୁ ଅଧିକ ଫଳପ୍ରଦ ହୋଇଥିବାରୁ ଆମେରିକାର ‘ଫୁଡ୍‌ ଆଣ୍ଡ ଡ୍ରଗ୍‌ ଆଡ୍‌ମିନିଷ୍ଟ୍ରେସନ’ (ଏଫ୍‌ଡିଏ) ଖୁବ୍‌ଶୀଘ୍ର ଏହାର ବ୍ୟବହାର ପାଇଁ ସ୍ବୀକୃତି ପ୍ରଦାନ କରିବେ ବୋଲି ଜଣାପଡ଼ିଛି। ଉଭୟ ଟିକା ପ୍ରସ୍ତୁତକାରୀ ସଂସ୍ଥାଙ୍କଠାରୁ ଆମେରିକା ୧୦୦ ନିୟୁତ ମାତ୍ରା କିଣିବା ପାଇଁ ଅର୍ଡର କରି ସାରିଛି।

‘ଫାଇଜର’ ଆମେରିକା ବ୍ୟତୀତ ୟୁରୋପୀୟ ସଂଘ, କାନାଡା, ବ୍ରିଟେନ୍‌ ଓ ଜାପାନ୍‌ ଆଦି ଦେଶକୁ ୩୦୦ ନିୟୁତ ମାତ୍ରା ଯୋଗାଇ ଦେବ ବୋଲି ସମ୍ମତି ପ୍ରକାଶ କରିଛି। ଫାଇଜର ଏବଂ ମଡର୍ଣ୍ଣା ଟିକା ସମାନ ପ୍ରକ୍ରିୟାରେ ପ୍ରସ୍ତୁତ ହେଉଥିବା ବେଳେ ଉଭୟଙ୍କ ମଧ୍ୟରେ ସାମାନ୍ୟ କିଛି ପାର୍ଥକ୍ୟ ରହିଛି। ମଡର୍ଣ୍ଣା ଟିକାକୁ ଉଚ୍ଚ ତାପମାତ୍ରାରେ ସଂରକ୍ଷଣ କରାଯାଇ ପାରିବ। ଏଣୁ ଏହାର ‌ଯୋଗାଣ ଓ ବଣ୍ଟନ ପାଇଁ ଭାରତ ଭଳି ଗ୍ରୀଷ୍ମପ୍ରଧାନ ତଥା ନିମ୍ନ ଆୟ ବର୍ଗର ଦେଶ ପାଇଁ ବେଶ ସହାୟକ ହେବ ବୋଲି କୁହାଯାଉଛି। ଭାରତର ପରିବେଶ ମଡର୍ଣ୍ଣା‌ ଟିକା ପାଇଁ ଅନୁକୁଳ ହୋଇପାରିବ। ତେବେ ଉଭୟ ଟିକା ବିଯୁକ୍ତ ୭୦ ଡିଗ୍ରି ତାପମାତ୍ରାରେ ହିଁ ସଂରକ୍ଷିତ ଓ ପରିବହନ ହୋଇପାରିବ। ଫାଇଜର ଟିକା ରେଫ୍ରିଜେରେଟର ତାପମାତ୍ରାରେ ୫ ଦିନ ରହିପାରିବ ଏବଂ ମଡର୍ଣ୍ଣା ଟିକା ୩୦ ଦିନ ପର୍ଯ୍ୟନ୍ତ ରହିପାରିବ। ତେବେ ମଡର୍ଣ୍ଣା ଟିକା ସାଧାରଣ ତାପମାତ୍ରାରେ ୧୨ ଘଣ୍ଟା ରହିପାରିବ। ଫାଇଜର ଟିକା ଜଣେ ବ୍ୟକ୍ତିଙ୍କୁ ୨ଟି ମାତ୍ରା ଦିଆଯିବାକୁ ଥିଲାବେଳେ ମଡର୍ଣ୍ଣା‌ ଟିକାର ମଧ୍ୟ ୨ଟି ମାତ୍ରା ଦିଆଯିବ।
ଭାରତର ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅକ୍ସଫୋର୍ଡ ଆଷ୍ଟ୍ରାଜେନିକାର ଟିକା‌ ପ୍ରସ୍ତୁତିରେ ଅଂଶୀଦାର ରହିଛି ଏବଂ ଏହାର ପ୍ରସ୍ତୁତି ଆରମ୍ଭ କରିଦେଇଛି। ଅକ୍ସଫୋର୍ଡ ଚଳିତବର୍ଷ ଶେଷ ସୁଦ୍ଧା ଭାରତକୁ ଟିକା ଯୋଗାଇ ଦେବ। ଭାରତ ୧୦୦ କୋଟି ଟିକା କିଣିବାକୁ ପ୍ରସ୍ତୁତ ହୋଇ ସାରିଛି। ନୋଭାଭାକ୍ସ ଏବଂ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଭାରତକୁ ପାଖାପାଖି ୨୦୦ କୋଟି ମାତ୍ରା ଯୋଗାଇଦେବେ। ସେହିଭଳି ଭାରତ ମଧ୍ୟ ରୁଷିଆ ପ୍ରସ୍ତୁତ ଟିକା ସ୍ପୁଟ୍‌ନିକ୍‌ ଭି ହାସଲ କରିବା ପାଇଁ ଯୋଗାଯୋଗରେ ରହିଛି। ଯଦିଓ ଫାଇଜର ଟିକାର ସଂରକ୍ଷଣ ପାଇଁ ଭାରତ ଅନୁକୂଳ ନୁହେଁ କିନ୍ତୁ ମଡର୍ଣ୍ଣା ଭାରତ ପାଇଁ ଭଲ ଖବର ଆଣିଛି ବୋଲି କୁହାଯାଇ ପାରିବ। ଭାରତ ନିଜର ସଂପୂର୍ଣ୍ଣ ଟିକାକରଣ ପ୍ରକ୍ରିୟା ନିମନ୍ତେ ପ୍ରାୟ ୩୦୦ କୋଟି ମାତ୍ରା ଆବଶ୍ୟକ କରୁଛି।

ସମ୍ବନ୍ଧିତ ଖବର