ଡେଲଟା ଭାରିଆଣ୍ଟ ବିରୋଧରେ ଆଷ୍ଟ୍ରାଜେନିକା ଓ ଫାଇଜର ଟିକା କମ ଫଳପ୍ରଦ : ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ

ନୂଆଦିଲ୍ଲୀ : କରୋନା ଭୁତାଣୁର ଡେଲଟା ଭାରିଆଣ୍ଟ ସମଗ୍ର ବିଶ୍ବରେ ଆତଙ୍କ ଖେଳାଇଥିବାବେଳେ ବ୍ରିଟେନର ଅକ୍ସଫୋର୍ଟ ବିଶ୍ବବିଦ୍ୟାଳୟ ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରୁ ଚିନ୍ତାଜନକ ଫଳାଫଳ ମିଳିଛି । ଏହି ଅଧ୍ୟୟନରୁ ଜଣାପଡ଼ିଛି ଯେ ବିଶ୍ବରେ ବହୁଳ ବ୍ୟବହାର କରାଯାଉଥିବା ଆଷ୍ଟ୍ରାଜେନିକା ( ଭାରତରେ କୋଭିସିଲ୍ଡ) ଟିକା ଓ ଫାଇଜର ଟିକା ଡେଲଟା ଭାରିଆଣ୍ଟ ବିରୋଧରେ କମ ଫଳପ୍ରଦ ।

ତେବେ ଏହି ଅଧ୍ୟୟନ ରିପୋର୍ଟରେ କୁହାଯାଇଛି ଯେ ଡେଲଟା ଭାରିଆଣ୍ଟକୁ ଛାଡ଼ିଦେଲେ ଅନ୍ୟ ଯେକୌଣସି ପ୍ରକାରର କରୋନା ସଂକ୍ରମଣ ବିରୋଧରେ ଏହା ଭଲ ରୋଗ ପ୍ରତିରୋଧକ ଶକ୍ତି ପ୍ରଦାନ କରିଥାଏ । ମାତ୍ର ଡେଲଟା ଭାରିଆଣ୍ଟ ବିରୋଧରେ ଏହା ସେତେଟା ପ୍ରଭାବୀ ନ ଥିବା ଜଣାପଡ଼ିଥିଲା ।

ଏହି ଅଧ୍ୟୟନ କରିବାକୁ ବିଶ୍ବ ବିଦ୍ୟାଳୟ ପକ୍ଷରୁ ଡିସେମ୍ବର ୧, ୨୦୨୦ରୁ ମେ ୧୬, ୨୦୨୧ ମଧ୍ୟରେ ପ୍ରାୟ ୩୮୪,୫୪୩ ଲୋକଙ୍କ ଠାରୁ ନମୁନା ସଂଗ୍ରହ କରାଯାଇଥିଲା । ସେହିପରି ମେ ୧୭ରୁ ଅଗଷ୍ଟ ୧ ମଧ୍ୟରେ ୩୫୮,୯୮୩ ଜଣ ଲୋକଙ୍କଠାରୁ ନମୁନା  ସଂଗ୍ରହ କରି ପରୀକ୍ଷା କରାଯାଇଥିଲା ।

ଏହି ଅଧ୍ୟୟନରୁ ମିଳିଥିବା ଆଉ ଏକ ତଥ୍ୟ ଅନୁସାରେ, ପୂର୍ବରୁ କେବେ ବି ସଂକ୍ରମିତ ନ ହୋଇ ଟିକା ନେଇଥିବା ଲୋକମାନଙ୍କ ତୁଳନାରେ  ସଂକ୍ରମିତ ହୋଇ ପରେ ଟିକା ନେଇଥିଲା ଲୋକମାନଙ୍କ ଶରୀରରେ ଅଧିକ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଛି । ତେବେ ଡେଲଟା ଭାରିଆଣ୍ଟ କ୍ଷେତ୍ରରେ ଉଭୟ ପ୍ରକାରର ଲୋକଙ୍କ ଶରୀରରେ ସମାନ ପରିମାଣର ସଂକ୍ରମଣ ମାତ୍ରା ଦେଖିବାକୁ ମିଳିଥିଲା ।

 

ସମ୍ବନ୍ଧିତ ଖବର