ଅକ୍ଟୋବର ସୁଦ୍ଧା କରୋନା ଟୀକା : ଆମେରିକୀୟ ଔଷଧ କମ୍ପାନି ଫାଇଜରର ଦାବି

ନୂଆଦିଲ୍ଲୀ : ସମଗ୍ର ବିଶ୍ବରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିଚାଲିଥିବାବେଳେ ଆମେରିକୀୟ ଔଷଧ କମ୍ପାନି ଫାଇଜର କହିଛି ଯେ ଅକ୍ଟୋବର ସୁଦ୍ଧା କରୋନା ଟୀକା

ଫାଇଜରର ସିଇଓ ଆଲବର୍ଟ ବୋର୍ଲା କହିଛନ୍ତି ଯେ ଟୀକା ଗବେଷଣା କ୍ଷେତ୍ରରେ ଏହା ଅନେକ ଅଗ୍ରଗତି କରିଛି । ଯଦି ସବୁକିଛି ଠିକ ଚାଲେ ତେବେ ଆସନ୍ତା ଅକ୍ଟୋବର ସୁଦ୍ଧା କରୋନା ଭାଇରସର ଟୀକା ବାହାର କରିବାରେ ସଫଳତା ମିଳିଯିବ ।

ଟାଇମ୍ସ ଅଫ ଇସ୍ରାଏଲର ରିପୋର୍ଟ ଅନୁସାରେ ଏବେ ସମଗ୍ର ବିଶ୍ବରେ ପ୍ରାୟ ଶହେରୁ ଅଧିକ ଟୀକା ଉପରେ ଗବେଷଣା ଚାଲିଛି । କିନ୍ତୁ ତା ମଧ୍ୟରୁ ୧୦ଟି ଟୀକା ପରୀକ୍ଷଣ ବା ଟ୍ରାଏଲ ସ୍ତରରେ ପହଞ୍ଚିଛି । ଫାଇଜର ପକ୍ଷରୁ ମଧ୍ୟ ଏକାଧିକ ଟୀକାର ପରୀକ୍ଷଣ କରାଯାଉଛି । ଜର୍ମାନି ବାୟୋଟେକ କମ୍ପାନିର ମିଶି ୟୁରୋପ ଓ ଆମେରିକାରେ ଏସବୁ ଟୀକାର ପରୀକ୍ଷଣ ଚାଲିଛି ।

ଆଉ ଏକ ଫାର୍ମା କମ୍ପାନି ଆଷ୍ଟ୍ରାଜେନିକାର ସିଇଓ ପାସକାଲ ସେରିଅଟ କହିଛନ୍ତି ଯେ ବର୍ଷ ଶେଷ ସୁଦ୍ଧା ଗୋଟିଏ ନୁହେଁ, ଏକାଧିକ ଟୀକା ବାହାରିବ । ଆଷ୍ଟ୍ରାଜେନିକା ପକ୍ଷରୁ ଅକ୍ସଫୋର୍ଡ ୟୁନିଭର୍ସିଟି ସହ ମିଶି ଏକ ଚୀକାର ପରୀକ୍ଷଣ କରାଯାଉଛି । ଏହା ଏବେ ମାନବ ପରୀକ୍ଷଣ ସ୍ତରରେ ରହିଛି।

ସମଗ୍ର ବିଶ୍ବରେ କୋରନା ସଂକ୍ରମଣ ସଂଖ୍ୟା ୫୯.୪୫ ଲକ୍ଷରେ ପହଞ୍ଚିଛି । ଏହା ସହିତ ୩  ଲକ୍ଷ ୬୨ ହଜାର ଲୋକ ମୃତ୍ୟୁମୁଖରେ ପଡ଼ିଛନ୍ତି ।

ସମ୍ବନ୍ଧିତ ଖବର