ଫାଇଜର୍‌ ଟିକା ରଖିବାକୁ ବିଯୁକ୍ତ ୭୦ ଡିଗ୍ରି ତାପମାତ୍ରା ଆବଶ୍ୟକ ଥିବାରୁ ଭାରତରେ ରଖିବା କଷ୍ଟକର: ଏମ୍‌ସ୍‌ ନିର୍ଦେଶକ

ନୂଅଦିଲ୍ଲୀ: ଫାଇଜର୍‌ ଟିକାକୁ ବିଯୁକ୍ତ ୭୦ ଡିଗ୍ରି ତାମାତ୍ରାରେ ରଖାଯିବା ଆବଶ୍ୟକ ହେଉଥିବାରୁ ଭାରତରେ ସେଭଳି ବ୍ୟବସ୍ଥା କରିବା କଷ୍ଟକର ହୋଇପାରେ ବୋଲି ‘ଏମ୍‌ସ୍‌’ର ନିର୍ଦେଶକ ରଣଦୀପ ଗୁଲେରିଆ କହିଛନ୍ତି।

ସେ କହିଛନ୍ତି, ଫାଇଜର୍‌ ଟିକାକୁ -୭୦ ଡିଗ୍ରି ତାପମାତ୍ରାରେ ରଖାଯିବା ଆବଶ୍ୟକ। ଭାରତ ଭଳି ବିକାଶଶୀଳ ଦେଶରେ, ବିଶେଷ କରି ଗ୍ରାମୀଣ ଅଭିଯାନରେ ଏଭଳି ‘କୋଲ୍‌ଡ୍‌ ଚେନ୍‌’ ବଜାୟ ରଖିବା କଷ୍ଟସାଧ୍ୟ। ସାମଗ୍ରିକ ଭାବେ କହିବାକୁ ଗଲେ ତୃତୀୟ ପର୍ଯ୍ୟାୟରେ ପହଞ୍ଚିଥିବା ଟିକା ଗବେଷଣା ପାଇଁ ଏହା ଉତ୍ସାହପ୍ରଦ ଖବର।

Image Courtesy of Financial Times

ଏକ ସ୍ବାଧୀନ ଡାଟା ମନିଟରିଙ୍ଗ୍‌ ବୋର୍ଡ ଫାଇଜର୍‌ ଟିକାର ମଧ୍ୟବର୍ତ୍ତୀକାଳୀନ ବିଶ୍ଳେଷଣ କରିଥିଲା। ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଅନ୍ୟ ପାଞ୍ଚଟି ଦେଶରେ ପ୍ରାୟ ୪୪୦୦୦ ବ୍ୟକ୍ତିଙ୍କ ଠାରେ ଫାଇଜର୍‌ ଟିକା ପରୀକ୍ଷା କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୯୪ ଜଣ ସଂକ୍ରମିତ ହୋଇଥିବା ରେକର୍ଡ କରାଯାଇଛି।

ଏକ ସାକ୍ଷାତ୍‌କାରରେ ବୈଜ୍ଞାନିକ ଡାକ୍ତର ଗଗନଦୀପ କାଙ୍ଗ୍‌ କହିଛନ୍ତି ଯେ, ଫାଇଜର୍‌ର କରୋନାଭାଇରସ୍‌ ଟିକା ହେଉଛି ‘ଏମ୍‌ଆର୍‌ଏନ୍‌ଏ’ ଟିକା ଯାହା ଭାରତ ପାଇଁ ଖୁବ୍ ବ୍ୟୟବହୁଳ ହୋଇପାରେ। ଏହି କରୋନାଭାଇରସ୍‌ ଟିକାର ମୂଲ୍ୟ କେତେ ହେବ ତାହା ଫାଇଜର୍‌ ସ୍ଥିର କରି ନ ଥିଲେ ବି ଭାରତ ପାଇଁ ‘ଆର୍‌ଏନ୍ଏ’ ଟିକା ଖୁବ୍‌ ବ୍ୟୟବହୁଳ ହେବ।

ଏଠାରେ ସୂଚନାଯୋଗ୍ୟ କି, ଦେଶର ବଡ଼ ବଡ଼ ସହରରେ ଥିବା ଡାକ୍ତରଖାନାମାନଙ୍କରେ ମଧ୍ୟ ଫାଇଜର୍‌ ଟିକା ନିମନ୍ତେ ‘ସୁପର୍‌-କୋଲ୍‌ଡ୍‌ ଷ୍ଟୋରେଜ୍’ ଉପଲବ୍ଧ ନୁହେଁ।

ସମ୍ବନ୍ଧିତ ଖବର