ସୁପ୍ରିମ କୋର୍ଟରେ ପିଜି ଓ ୟୁଜି ପରୀକ୍ଷା ଫଳ ପ୍ରକାଶ ମାମଲା: ଶୁଣାଣି ଶେଷ, ରାୟ ସଂରକ୍ଷିତ

ସେପ୍ଟେମ୍ବରରେ ପରୀକ୍ଷା ହୋଇପାରିବ ନାହିଁ: ରାଜ୍ୟ ସରକାର

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ପିଜି ଓ ୟୁଜି ପରୀକ୍ଷା ଫଳ ସେପ୍ଟେମ୍ବର ୩୦ ସୁଦ୍ଧା ପ୍ରକାଶ କରିବାକୁ ନେଇ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଦ୍ବାରା ଜାରି କରାଯାଇଥିବା ଗାଇଡଲାଇନ୍‌ର ବିରୋଧ କରି ଦାଖଲ କରାଯାଇଥିବା ମାମଲାଗୁଡ଼ିକର ଶୁଣାଣି ଆଜି ଶେଷ ହୋଇଛି। ରାୟକୁ ସଂରକ୍ଷିତ ରଖାଯାଇଛି। ୟୁଜିସିର ଜୁଲାଇ ୬ ତାରିଖର ଗାଇଡଲାଇନ୍‌କୁ ବିରୋଧ କରି ସୁପ୍ରିମକୋର୍ଟରେ ଏକାଧିକ ପିଟିସନ ଦାଖଲ କରାଯାଇଥିଲା। ସୁପ୍ରିମକୋର୍ଟର ବିଚାରପତି ଅଶୋକ ଭୂଷଣ, ବିଚାରପତି ଆର୍‌ଏସ୍‌ ରେଡି ଏବଂ ବିଚାରପତି ମୁକେଶ କୁମାର ଶାହା ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଦୀର୍ଘ ୪ ଘଣ୍ଟା ଧରି ଏହି ମାମଲାର ଶୁଣାଣି କରିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲ ଅଶୋକ ପରିଜା ଏହାକୁ ବିରୋଧ କରି କହିଥିଲେ, କରୋନାର ସ୍ଥିତିରେ ପାରମ୍ପରିକ ଭାବେ ପରୀକ୍ଷା ଆୟୋଜନ କରିବା ସମ୍ଭବ ନୁହେଁ। ବିକଳ୍ପ ମୂଲ୍ୟାଙ୍କନ ବ୍ୟବସ୍ଥା ଅନୁଯାୟୀ ଫଳ ପ୍ରକାଶ କରିବା ପ୍ରସ୍ତାବକୁ ସେ ଖଣ୍ଡପୀଠଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ରାଜ୍ୟ ସରକାର ପରୀକ୍ଷା କରିବା ପାଇଁ କହୁନାହାନ୍ତି। ଅପରପକ୍ଷେ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ ଦ୍ବାରା ପରୀକ୍ଷା କରିବା ପାଇଁ କୁହାଯାଉଛି। ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ ଦ୍ବାରା ପରୀକ୍ଷାକୁ ଗୋଟିଏ ସେସନ୍‌ରେ କରାଇବା ତଥା ସ୍ବଳ୍ପ ଅବଧି ପରୀକ୍ଷା ପାରମ୍ପରିକ ପରୀକ୍ଷା ହୋଇପାରିବ ନାହିଁ ବୋଲି ସେ ଯୁକ୍ତିରେ ଦର୍ଶାଇ ଥିଲେ। ଏହି ଅବସରରେ ଆଡଭୋକେଟ ଜେନେରାଲ ରାଜ୍ୟ ସରକାରଙ୍କ ପକ୍ଷରୁ ଜୁନ୍ ୧୮ ତାରିଖରେ ବିକଳ୍ପ ମୂଲ୍ୟାଙ୍କନ ବ୍ୟବସ୍ଥାକୁ ନେଇ ଜାରି କରାଯାଇଥିବା ଗାଇଡଲାଇନ୍‌ ସମ୍ପର୍କରେ ଖଣ୍ଡପୀଠଙ୍କୁ ଅବଗତ କରାଇଥିଲେ।

ଓଡ଼ିଶାର ସତ୍ୟପାଠକୁ ଅନୁଧ୍ୟାନ କରାଯିବ: ଖଣ୍ଡପୀଠ

ଶ୍ରୀ ପରିଜା ଆହୁରି କହିଥିଲେ ଯେ ବର୍ତ୍ତମାନ ରାଜ୍ୟରେ କରୋନା ଶୀର୍ଷରେ ରହିଛି। ମାର୍ଚ୍ଚ ୨୫ରୁ ଶିକ୍ଷାନୁଷ୍ଠାନଗୁଡ଼ିକୁ ରାଜ୍ୟରେ ବନ୍ଦ କରିଦିଆଯାଇଛି। ହଷ୍ଟେଲଗୁଡ଼ିକୁ ମଧ୍ୟ ବନ୍ଦ ରହିଛି। ଅନେକ ସ୍ଥାନରେ ଶିକ୍ଷାନୁଷ୍ଠାନଗୁଡ଼ିକୁ କୋଭିଡ ହସପିଟାଲ ରୂପେ ବ୍ୟବହାର କରାଯାଉଛି। ଏତଦବ୍ୟତୀ ବିଭିନ୍ନ ଜିଲ୍ଲାରେ ଯୋଗାଯୋଗ ବନ୍ଦ ହୋଇଯାଇଥିବାରୁ ଛାତ୍ରଛାତ୍ରୀମାନେ ଆସିପାରିବେ ନାହିଁ । ପରୀକ୍ଷା ଦେବାକୁ ଆସିଲେ ଭଡ଼ାଘରେ ରହିବା ସେମାନଙ୍କ ପାଇଁ କଷ୍ଟକର ବ୍ୟାପାର ହେବ। ତେଣୁ ସେପ୍ଟେମ୍ବର ମାସରେ ପରୀକ୍ଷା କରାଇବା ଆଦୌ ସମ୍ଭବପର ନୁହେଁ ବୋଲି କହିବା ସହ ଓଡ଼ିଶାର ସ୍ଥିତି ସଂପର୍କରେ କେନ୍ଦ୍ର ସରକାରଙ୍କୁ ଅବଗତ କରାଯାଉଥିବା କହିଥିଲେ। ଆଜିର ଶୁଣାଣିରେ ମହାରାଷ୍ଟ୍ର ପକ୍ଷରୁ ଆଇନଜୀବୀ ଅରବିନ୍ଦ ପି ଦତ୍ତାର, ପଶ୍ଚିମବଙ୍ଗ ପକ୍ଷରୁ ବରିଷ୍ଟ ଆଇନଜୀବୀ ଜୟଦ୍ବୀପ ଗୁପ୍ତା, ଦିଲ୍ଲୀ ପକ୍ଷରୁ ବରିଷ୍ଟ ଆଇନଜୀବୀ କେ ଭି ବିଶ୍ବନାଥନ୍ ତଥା ବିଭିନ୍ନ ପକ୍ଷମାନଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ଅଭିଶେଖ ମନୁସିଂ ସହ ଶ୍ୟମ ଦିୱାନ, ମୀନାକ୍ଷୀ ଅରୋରା, ଆଲୋକ ଶ୍ରୀବାସ୍ତବ ପ୍ରମୁଖ ୟୁଜିସିର ଜୁଲାଇ ୬ ଗାଇଡଲାଇନ୍‌କୁ ବିରୋଧ କରି ସେମାନଙ୍କର ପକ୍ଷ ଉପସ୍ଥାପନ କରିଥିଲେ। ୟୁଜିସି ତରଫରୁ ସଲିସିଟର ଜେନେରାଲ ତୁଷାର ମେହଟ୍ଟା ଯୁକ୍ତି ଉପସ୍ଥାପନ କରିଥିଲେ। ଶୁଣାଣି ଶେଷ ହେବା ପରେ ଖଣ୍ଡପୀଠ ସମସ୍ତ ପକ୍ଷଙ୍କୁ ତିନି ଦିନରେ ଲିଖିତ ଭାବେ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ଏଥି ପୂର୍ବରୁ ୟୁଜିସି ପକ୍ଷରୁ ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିବା ସତ୍ୟପାଠରେ ଓଡ଼ିଶା ଦ୍ବାରା ସେପ୍ଟମ୍ବର ୩୦ ସୁଦ୍ଧା କରୋନା ପ୍ରକୋପ ଯୋଗୁଁ ପରୀକ୍ଷା ନ କରିବାକୁ ନିଷ୍ପତ୍ତି ନିରାଧାର ବୋଲି କୁହାଯାଇଥିଲା। ସତ୍ୟପାଠରେ ରାଜ୍ୟ ସରକାରଙ୍କୁ ଜୁନ ୧୮ର ଗାଇଡଲାଇନ୍ ଯେଉଁଥିରେ ଉଚ୍ଚଶିକ୍ଷା ବିଭାଗ ଦ୍ବରା ୟୁଜି ଓ ପିଜିର ଚୂଡ଼ାନ୍ତ ପରୀକ୍ଷା ଫଳ ପ୍ରକାଶରେ ବିକଳ୍ପ ମୂଲ୍ୟାଙ୍କନ ଆପଣାଇବା ପାଇଁ କୁହାଯାଇଥିଲା ତାହା ୟୁଜିସିର ଗାଇଡଲାଇନ୍‌କୁ ଉଲଂଘନ କରୁଛି ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର