ମହାରାଷ୍ଟ୍ର ରାଜ୍ୟପାଳଙ୍କୁ ଭେଟିଲେ ଫଡନବୀସ, ଆସ୍ଥାଭୋଟ ପାଇଁ ଦାବି ଜଣାଇଲେ

ମୁମ୍ବାଇ : ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ମଧ୍ୟରେ ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ରାଜ୍ୟପାଳ ଭଗତ ସିଂ ଖୋସିୟାରିଙ୍କୁ ଭେଟି ବିଧାନସଭାରେ ଆସ୍ଥାଭୋଟ ପାଇଁ ଦାବି କରିଥିବା ସୂଚନା ମିଳିଛି । ଏକ ପତ୍ର ଜରିଆରେ ବିଜେପି ପକ୍ଷରୁ ଏହି ଦାବି ଉପସ୍ଥାପନ କରାଯାଇଛି। ଫଡନବୀସଙ୍କ ସହିତ ଚନ୍ଦ୍ରକାନ୍ତ ପାଟିଲ, ଗିରିଶ ମହାଜନଙ୍କ ସମେତ କିଛି ବିଧାୟକ ରାଜ୍ୟପାଳଙ୍କୁ ଭେଟିଥିବା ଜଣାପଡ଼ିଛି । ବିଜେପି ପାଖରେ ସରକାର ଗଠନ ପାଇଁ ବହୁମତ ଥିବା ଦାବି କରାଯାଇଛି ।

ଏହା ପୂର୍ବରୁ ଫଡନବୀସ ଆଜି ଦିଲ୍ଲୀ ଯାଇ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ । ଶାହାଙ୍କ ସହ ସେ ପ୍ରାୟ ଦେଢ ଘଣ୍ଟା ଧରି ଆଲୋଚନା କରିଥିଲେ । ମହାରାଷ୍ଟ୍ରରେ ସରକାର ଗଠନ ପ୍ରସଙ୍ଗରେ ଉଭୟ ଆଲୋଚନା କରିଥିବା ଅନୁମାନ କରାଯାଉଛି । ଏହି ଅବସରରେ ବିଜେପି ସାଂସଦ ତଥା ଆଇନଜ୍ଞ ମହେଶ ଜେଠମାଲାନି ଉପସ୍ଥିତ ଥିଲେ । ବିଦ୍ରୋହୀ ବିଧାୟକଙ୍କ ସଦସ୍ୟତା ପ୍ରସଙ୍ଗର ଆଇନଗତ ଦିଗ ଉପରେ ବି ଆଲୋଚନା ହୋଇଥିବା କୁହାଯାଉଛି ।

ଅନ୍ୟପକ୍ଷରେ ଶିବସେନା ପକ୍ଷରୁ କୁହାଯାଇଛି ଯେ ଗୌହାଟୀରେ ଥିବା ବିଦ୍ରୋହୀ ବିଧାୟକଙ୍କ ମଧ୍ୟରୁ ୧୫ ଜଣ ସେମାନଙ୍କ ସହ ସଂପର୍କରେ ଅଛନ୍ତି ଓ ସେମାନେ ଫେରିବାକୁ ଚାହୁଁଛନ୍ତି । ତେବେ ଏହାକୁ ଏକନାଥ ସିନ୍ଦେ ଖଣ୍ଡନ କରିଛନ୍ତି । ସବୁ ବିଧାୟକ ଏକତ୍ରିତ ଥିବା ସେ କହିଛନ୍ତି ।

ସମ୍ବନ୍ଧିତ ଖବର