ପଶୁ-ଔଷଧରେ ମଣିଷ-ଔଷଧ ଲେବଲ୍‌ ଲଗାଇ ବିକ୍ରି

ଥାନେ: ପଶୁମାନଙ୍କ ଚିକିତ୍ସା ପାଇଁ ବ୍ୟବହୃତ ଔଷଧ ମଣିଷଙ୍କ ଚିକିତ୍ସା ପାଇଁ ବିକି ଥିବାରୁ ଫୁଡ୍‌ ଆଣ୍ଡ୍‌ ଡ୍ରଗ୍‌ ଆଡ୍‌ମିନିଷ୍ଟ୍ରାସନ୍‌ (ଏଫ୍‌ଡିଏ) ଦୁଇ ଜଣଙ୍କୁ ଗିରଫ କରିଛି। ସେ ଦୁଇ ଜଣଙ୍କ ମଧ୍ୟରୁ ଜଣେ ଫାର୍ମାସିଷ୍ଟ୍‌ ଓ ଅନ୍ୟ ଜଣେ ନୂଆପଡ଼ାର ଗୋଟିଏ ଫାର୍ମାସିର ଅଂଶୀଦାର।

ରୁଟିନ୍‌ ଇନ୍‌ସ୍‌ପେକ୍ସନ୍‌ ବେଳେ ଏ କଥା ଜଣା ପଡ଼ିଥିଲା। ସେଥିପାଇଁ ‘ଲାଇଫ୍‌କେଆର୍‌ ମେଡିକୋ’ ନାମକ ସେହି ଫାର୍ମାସିର ଲାଇସେନ୍‌ସ୍‌ ରଦ୍ଦ କରିବାକୁ ଏଫ୍‌ଡିଏ ନୋଟିସ୍‌ ଦେଇଛି।

ଅକ୍ଟୋବର ୨୪ ତାରିଖ ଦିନ ଅଧିକାରୀମାନେ ସେ ଫାର୍ମା ଷ୍ଟୋର୍‌ରେ ଯାଞ୍ଚ କରୁଥିଲେ। ସେଠାରେ ୮୨ଟି ଭୁଲ୍‌ ଲେବଲ୍‌ ଲାଗିଥିବା ଔଷଧ ପାଇଥିଲେ। ଔଷଧର ବାହାର ଲେବଲ୍‌ରେ ଲେଖା ଥିଲା ଯେ ଏହା ମଣିଷଙ୍କ ବ୍ୟବହାର ପାଇଁ। କିନ୍ତୁ ଭିତର ଷ୍ଟିକର୍‌ରେ ଲେଖାଥିଲା ଏହା ମଣିଷଙ୍କ ବ୍ୟବହାର ପାଇଁ ନୁହେଁ। ସେଥିରେ ପଶୁମାନଙ୍କ ଚିକିତ୍ସା ପାଇଁ ଏହାର ମାତ୍ରା ମଧ୍ୟ ଲେଖାଯାଇଥିଲା।

ଯାଞ୍ଚ ପରେ ଥାନେର କେତେକ ବିତରକ ଏବଂ ଗାଜିଆବାଦର କେତେକ ପାଇକାରୀ ବିକ୍ରେତାଙ୍କ ଠାରୁ ସେଭଳି ୩୦୦୦ ଔଷଧ ଜବତ କରାଯାଇଛି। ସେଭଳି ଲେବଲ୍‌ ଲାଗିଥିବା ଔଷଧ ପଞ୍ଜାବକୁ ଯାଇଛି କି, ନାହିଁ ଅନୁସନ୍ଧାନ କରାଯାଉଛି। ଏ କଥା କହିଛନ୍ତି ଆସିଷ୍ଟାଣ୍ଟ୍‌ କମିସନର୍‌ (ମେଡିସିନ୍‌) ଗିରିଶ ହୁକାରେ।

ଲାଗିଥିବା ଲେବଲ୍‌ ଅନୁସାରେ, ଅକ୍‌ସିଟୋସିନ୍‌ ନାମକ ସେହି ଔଷଧ ଗର୍ଭବତୀ ମହିଳାମାନଙ୍କୁ ଦିଆଯାଏ। ପ୍ରସବ ପୂର୍ବରୁ ମାତ୍ରାଧିକ ରକ୍ତସ୍ରାବ ହେଲେ କିଂବା ଲେବର୍‌ ପେନ୍‌ କରାଇବାକୁ ଏହା ବ୍ୟବହୃତ ହୁଏ।

କିନ୍ତୁ, ଭୁଲ୍‌ ଲେବଲ୍‌ ଲାଗିଥିବା ଔଷଧ କୌଣସି ଡାକ୍ତରଖାନକୁ କିଂବା ବାହାରେ ବିକ୍ରି ହୋଇ ଥିବାର ଜଣାପଡ଼ି ନାହିଁ। ଭୁଲ୍‌ ଲେବଲ୍‌ ଲାଗିଥିବା କଥା ଫାର୍ମାସିର ଅଂଶୀଦାର ରବୀନ୍ଦ୍ର ଶିରୋଲ୍‌ ଏବଂ ଫାର୍ମାସିଷ୍ଟ୍‍ ଲଳିତ ଝିଞ୍ଜାଦ ଜାଣି ପାରି ନ ଥିବା କଥା ପୁଲିସକୁ କହିଛନ୍ତି। ସେ ଔଷଧରେ ଅକ୍‌ସିମାକ୍‌ ଲେବଲ୍‌ ଲାଗିବା ବଦଳରେ ଅକ୍ସିଟିନ୍‌ ଲେବଲ୍‌ ଲାଗିଯାଇଥିଲା। ତଦନ୍ତ ଚାଲୁ ରହିଛି।

ସମ୍ବନ୍ଧିତ ଖବର