ତୃତୀୟ ପର୍ଯ୍ୟାୟ ପରୀକ୍ଷଣ: କୋଭାକ୍ସିନ୍‌ ୭୭.୮% ଫଳପ୍ରଦ

ଗୁରୁତର ମାମଲାରେ ୯୩.୪% ପ୍ରଭାବଶାଳୀ

ହା‌ଇଦ୍ରାବାଦ୍‌ : ଭାରତ ବାୟୋଟେକ୍‌ କୋଭିଡ୍‌ ଟିକା ‘କୋଭାକ୍ସିନ୍‌’ର ଚୂଡ଼ାନ୍ତ ପରୀକ୍ଷଣ ରିପୋର୍ଟ ପ୍ରକାଶ କରିଛି। କୋଭାକ୍ସିନ୍‌ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ତଥ୍ୟରୁ ଜଣାପଡ଼ିଛି ଯେ, ଏହା ଲକ୍ଷଣ ଥିବା କରୋନା ରୋଗୀଙ୍କ କ୍ଷେତ୍ରରେ ୭୭.୮ ପ୍ରତିଶତ ଫଳପ୍ରଦ ହୋଇପାରିବ। ସ୍ବଦେଶୀ ଭାବେ ପ୍ରସ୍ତୁତ ହୋଇଥିବା ଏହି ଟିକା ଅତି ଗୁରୁତର ‌ରୋଗୀଙ୍କ କ୍ଷେତ୍ରରେ ବି ୯୩.୪ ପ୍ରତିଶତ ପ୍ରଭାବଶାଳୀ। ଡେଲ୍‌ଟା‌ ପ୍ରଜାତି ତଥା ବି.୧.୬୧୭.୨ ବିରୋଧରେ ଏହା ୬୩.୬ ପ୍ରତିଶତ ଫଳପ୍ରଦ ବୋଲି ଜଣାପଡ଼ିଛି। ଲକ୍ଷଣ ନଥିବା ରୋଗୀଙ୍କୁ କୋଭାକ୍ସିନ୍‌ ୬୩.୬ ପ୍ରତିଶତ ସୁରକ୍ଷା ଦେଉଛି। ଟିକା ନେବାପରେ ଦେଖା‌ଦେଉଥିବା ସାଧାରଣ ପାର୍ଶ୍ବ ପ୍ରତ୍ରିକ୍ର‌ିୟା ଉଭୟ କୋଭାକ୍ସିନ୍‌ ଏବଂ ପ୍ଲା‌ସେବୋ କ୍ଷେତ୍ରରେ ସମାନ। ଅଧ୍ୟୟନ କରାଯାଇଥିବା ୧୨ ପ୍ରତିଶତ ମାମଲାରେ ଅତି ସାଧାରଣ ପାର୍ଶ୍ବ ପ୍ରତିକ୍ରିୟା ଥିବା ଜଣାପଡ଼ିଛି। ଅନ୍ୟପକ୍ଷେ ୦.୫ ପ୍ରତିଶତ ମାମଲାରେ ଅତି ଗୁରୁତର ପାର୍ଶ୍ବ ପ୍ରତିକ୍ରିୟା ଦେଖିବାକୁ ମିଳିଛି।

କୋଭାକ୍ସିନ୍‌ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଦେଶର ୨୫ଟି ସ୍ଥାନରେ କରାଯାଇଛି। ଦ୍ବିତୀୟ ଡୋଜ୍‌ ନେବାର ୨ ସପ୍ତାହ ପରେ ଦେଖାଦେଇଥିବା ମାମଲା ଏବଂ ବିଶେଷ କରି ଲକ୍ଷଣ ଥିବା ମାମଲାକୁ ନେଇ ଏହି ଆକଳନ କରାଯାଇଛି। ଭାରତ ବାୟୋଟେକ୍‌ ଅନୁଯାୟୀ କୋଭାକ୍ସିନ୍‌ ପ୍ରଥମ ଲାଇସେନ୍ସପ୍ରାପ୍ତ କୋଭିଡ୍‌ ଟିକା ଭାବେ କ୍ୟୁପିସିଆର ଟେଷ୍ଟିଂ ଆଧାରିତ ଲକ୍ଷଣ ନଥିବା ସଂକ୍ରମଣ ବିରୋଧରେ ଅତି ଭଲ ପ୍ରଭାବ ଦେଖାଉଛି। ଏହା ସଂକ୍ରମଣ କମାଇବାରେ ବି ସହାୟକ ‌ହେବ। କୋଭାକ୍ସିନ୍‌ର ଏହି ତୃତୀୟ ପର୍ଯ୍ୟ‌ାୟ ପରୀକ୍ଷଣ ତଥ୍ୟ ଆସିବାପରେ ଆଇସିଏମ୍‌ର ଡିଜି ଡାକ୍ତର ବଳରାମ ଭାର୍ଗବ କହିଛନ୍ତି, କୋଭାକ୍ସିନ୍‌ କେବଳ ଭାରତ ନୁହେଁ ସାରା ବିଶ୍ବ ସମ୍ପ୍ରଦାୟକୁ କରୋନା କବଳରୁ ସୁରକ୍ଷା ଦେବ।

ଆଗକୁ ଶିଶୁମାନଙ୍କ ପାଇଁ କୋଭାକ୍ସିନ୍‌ ବ୍ୟବହାର ହେବ। ତେବେ ୨ରୁ ୧୮ ବର୍ଷ ବୟସର ଶିଶୁମାନଙ୍କ ପାଇଁ କୋଭାକ୍ସିନ୍‌ କେତେ ଫଳପ୍ରଦ ହେବ ସେନେଇ ନୈଦାନିକ ପରୀକ୍ଷଣ ଜାରି ରହିଛି। ତେବେ ବିଭିନ୍ନ ଭିଓସି ତଥା କରୋନାର ବିଭିନ୍ନ ଚିନ୍ତାଜନକ ପ୍ରଜାତିର ଅଧ୍ୟୟନ ଜାରି ରହିଛି ଏବଂ ଏନେଇ ବୁଷ୍ଟର୍‌ ଡୋଜ୍‌ ମଧ୍ୟ ଆସିବାର ଅଛି। ଦେଶରେ ୪ଟି ସ୍ଥାନରେ ‌ଭାରତ ବାୟୋଟେକ୍‌ ଦ୍ବାରା କୋଭାକ୍ସିନ୍‌ ପ୍ରସ୍ତୁତ ହେଉଛି। ବୈଶ୍ବିକ ଭାବେ କୋଭାକ୍ସିନ୍‌କୁ ୧୬ଟି ରାଷ୍ଟ୍ରରେ ଏମର୍ଜେନ୍ସି ବ୍ୟବହାର ପାଇଁ ଅନୁମତି ମିଳିସାରିଛି। କୋଭାକ୍ସିନ୍‌ର ଏମର୍ଜେନ୍ସି ବ୍ୟବହାର ପାଇଁ ତାଲିକାଭୁକ୍ତ କରିବାପାଇଁ କମ୍ପାନି ପକ୍ଷରୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ‘ହୁ’ ସହ କଥାବାର୍ତ୍ତା ଜାରି ରହିଛି।

ସୁସ୍ଥ ହେବାପରେ ଗୋଟିଏ ଡୋଜ୍‌ ଟିକା ବି ଡେଲ୍‌ଟା ପ୍ରଜାତିରୁ ସୁରକ୍ଷା ଦେବ: ଆଇସିଏମ୍‌ଆର
ନୂଆଦିଲ୍ଲୀ : ‌‌କୋଭିଡ୍‌ରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କୁ ଗୋଟିଏ ଡୋଜ୍‌ ଟିକା ଡେଲ୍‌ଟା ପ୍ରଜାତି କବଳରୁ ସୁରକ୍ଷା ଦେବ। ସଂକ୍ରମିତ ହୋଇନଥିବା ବ୍ୟକ୍ତି କୋଭିସିଲ୍ଡର ୨ ଡୋଜ୍‌ ଟିକା ନେଇଥିଲେ ବି ସେମାନଙ୍କ ତୁଳନାରେ କୋଭିଡ୍‌ରୁ ସୁସ୍ଥ ହୋଇଥିବା ରୋଗୀଙ୍କଠାରେ ଗୋଟିଏ ଡୋଜ୍‌ ଟିକା ଅଧିକ ସୁରକ୍ଷା ପ୍ରଦାନ କରିବ। ଆଇସିଏମ୍‌ଆର ଦ୍ବାରା ହୋଇଥିବା ଏକ ନୂଆ ଅଧ୍ୟୟନରୁ ଏହା ଜଣାପଡ଼ିଛି। ଅଧ୍ୟୟନରେ ଏହା କୁହାଯାଇଛି ଯେ, ସାଧାରଣ ଭାବେ ସୃଷ୍ଟ ରୋଗ ପ୍ରତିରୋଧକ ଶକ୍ତି ଡେଲ୍‌ଟା ପ୍ରଜାତିରୁ ସୁରକ୍ଷା ଦେବାରେ ଅତି ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ଡେଲ୍‌ଟା ଅନ୍ୟ ପ୍ରଜାତି ତୁଳନାରେ ଅଧିକ ସଂକ୍ରାମକ। ତେବେ କରୋନାରୁ ସୁସ୍ଥ ରୋଗୀଙ୍କଠାରେ ଗୋଟିଏ ଡୋଜ୍‌ ଟିକା କରୋନା ପୁନଃ ସଂକ୍ରମଣ କବଳରୁ ରକ୍ଷା କରିବ। ପ୍ରାକୃତିକ ଭାବେ ଶରୀରରେ ଅଧିକ ପରିମାଣ‌ରେ ଏଣ୍ଟିବଡି ସୃଷ୍ଟି ହୋଇଥିବାରୁ ଏହାଦ୍ବାରା ‌ସହଜରେ କୌଣସି ନୂଆ‌ ପ୍ରଜାତି ଦ୍ବାରା ସଂକ୍ରମିତ ହେବାର ଆଶା କ୍ଷୀଣ।

ସମ୍ବନ୍ଧିତ ଖବର