ନୂଆଦିଲ୍ଲୀ: ୧୨ ବର୍ଷର ମଣିପୁରୀ ଝିଅ ତଥା ଶିଶୁ ଜଳବାୟୁ କର୍ମୀ ଲିସିପ୍ରିୟା କାଙ୍ଗୁଜାମ ଦୁବାଇଠାରେ ଜାତିସଂଘ ପକ୍ଷରୁ ଚାଲିଥବା ଜଳବାୟୁ ସମ୍ମିଳନୀ (କପ୍ ୨୮) ମଞ୍ଚରେ ସାହସର ସହ ଚଢ଼ି ଆଜି ତାଙ୍କ ବାର୍ତ୍ତା ପ୍ରଚାର କରିଛନ୍ତି। ସେ ତାଙ୍କ ମୁଣ୍ଡ ଉପରେ ହାତରେ ଯେଉଁ ଲେଖା ଧରିଥିଲେ ସେଥିରେ ଉଲ୍ଲେଖ ରହିଥିଲା- ‘ଜୀବାଶ୍ମ ଇନ୍ଧନର ଅବସାନ କର। ଆମ ପୃଥିବୀ ଏବଂ ଆମ ଭବିଷ୍ୟତକୁ ବଞ୍ଚାଅ।’
ମଞ୍ଚରେ ଚଢ଼ିଯିବା ପରେ କିଶୋରୀ ଲିସିପ୍ରିୟା ସଂକ୍ଷିପ୍ତ ଭାଷଣ ମଧ୍ୟ ଦେଇଥିଲେ। ଯଦିଓ ସୁରକ୍ଷା କର୍ମୀ ତାଙ୍କୁ ମଞ୍ଚରୁ ନେଇ ଯାଇଥିଲେ ତେବେ ଜୀବାଶ୍ମ ଇନ୍ଧନ ବ୍ୟବହାର ବିରୋଧରେ ସଂଗ୍ରାମ କରୁଥିବା ଲିସିପ୍ରିୟାଙ୍କୁ ଦର୍ଶକମାନେ ଢେର୍ ପ୍ରଶଂସା କରିଥିଲେ। କପ୍ ୨୮ର ମହାନିର୍ଦ୍ଦେଶକ ଆମ୍ବାସଡର ମଜିଦ ଅଲ୍ ସୁୱେଦି ମଧ୍ୟ ଝିଅଟିର ଉତ୍ସାହକୁ ପ୍ରଶଂସା କରିଥିଲେ। ଏଥିସହିତ ଆଉ ଥରେ ଝିଅକୁ କରତାଳି ସହ ସାବାସୀ ଦେବାପାଇଁ ଶ୍ରୋତାମାନଙ୍କୁ ସେ କହିଥିଲେ।
ତେବେ ମଞ୍ଚରେ ବିରୋଧ ପ୍ରଦର୍ଶନକୁ ନେଇ ପରେ ତାଙ୍କୁ ୩୦ରୁ ଅଧିକ ମିନିଟ ଅଟକ ରଖାଯାଇଥିଲା। ‘ମୋର ଏକମାତ୍ର ଅପରାଧ ଥିଲା ଜୀବାଶ୍ମ ଇନ୍ଧନର ବ୍ୟବହାର ବନ୍ଦ ପାଇଁ ଆହ୍ବାନ ଦେବା। ଜଳବାୟୁ ସଂକଟର ଏହା ସବୁଠୁ ବଡ଼ କାରଣ। ସେମାନେ ମୋତେ କପ୍ ୨୮ରୁ ବିଦା କରିଦେଲେ’ ବୋଲି ଏକ୍ସରେ ପୋଷ୍ଟ୍ କରି ଲିସିପ୍ରିୟା କହିଛନ୍ତି। ଲିସିପ୍ରିୟା ମଧ୍ୟ ଟିମୋର ଲେସ୍ତେ ଦେଶର ସ୍ବତନ୍ତ୍ର ପ୍ରତିନିଧି । ଜୀବାଶ୍ମ ଇନ୍ଧନ ହ୍ରାସ ପାଇଁ କପ୍ ୨୮ରେ ପ୍ରାୟ ୧୯୦ ଦେଶ ବିତର୍କରେ ଭାଗ ନେଇଥିବା ବେଳେ ମୋଟ୍ ୬୦ ହଜାର ପ୍ରତିନିଧି ଅଂଶଗ୍ରହଣ କରିଛନ୍ତି।