ନୂଆଦିଲ୍ଲୀ : ୨୦୨୧ -୨୨ ଶିକ୍ଷାବର୍ଷ ପାଇଁ ଏକ ନୂଆ ନିୟମ ଲାଗୁ ହେବ। ବିଶ୍ବବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ପାଇଁ କେବଳ ନେଟ୍ (ନ୍ୟାସନାଲ୍ ଇଲିଜିବିଲିଟି ଟେଷ୍ଟ୍) ନୁହେଁ ପିଏଚ୍ଡି ମଧ୍ୟ ବାଧ୍ୟତାମୂଳକ। ୨୦୧୮ରେ ଏହି ନିୟମ ଆସିଥିଲା। କିନ୍ତୁ ଚଳିତ ବର୍ଷ ଏହା କାର୍ଯ୍ୟକାରୀ ହେବ। ଆସିଷ୍ଟାଣ୍ଟ୍ ପ୍ରଫେସର୍ ପୋଷ୍ଟ୍ ପାଇଁ ପ୍ରାର୍ଥୀମାନଙ୍କୁ ପିଏଚ୍ଡି ଡିଗ୍ରି ହାସଲ କରିବା ବାଧ୍ୟତାମୂଳକ। ପୂର୍ବରୁ ପିଏଚ୍ଡି ଡିଗ୍ରୀ କିମ୍ବା ନେଟ୍ ମାଷ୍ଟର୍ସ୍ ଡିଗ୍ରି ସହ ଜଣେ ଆସିଷ୍ଟାଣ୍ଟ୍ ପ୍ରଫେସର ପଦବି ପାଇଁ ଆବେଦନ କରୁଥିଲେ। ନିଯୁକ୍ତି ସମୟରେ ନିଟ୍ ପରୀକ୍ଷା ପାସ୍ କରିଥିବା ପ୍ରାର୍ଥୀମାନଙ୍କୁ ଅତିରିକ୍ତ ୫ରୁ ୧୦ ମାର୍କ ମିଳୁଥିଲା। ଅନ୍ୟପକ୍ଷେ ପିଏଚ୍ଡି ଡିଗ୍ରି ଥିବା ପ୍ରାର୍ଥୀମାନଙ୍କୁ ଅତିରିକ୍ତ ୩୦ ମାର୍କ ମିଳୁଥିଲା। କିନ୍ତୁ ୨୦୧୮ରେ ୟୁଜିସି (ୟୁନିଭର୍ସିଟି ଗ୍ରାଣ୍ଟ୍ସ କମିସନ୍)ର ଏହି ନୂଆ ନିୟମକୁ ତତ୍କାଳୀନ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡ଼େକର ଘୋଷଣା କରିଥିଲେ। କେବଳ ପିଏଚ୍ଡିଧାରୀମାନେ ବିଶ୍ବବିଦ୍ୟାଳୟରେ ନୂଆ ନିଯୁକ୍ତି ପାଇବେ ବୋଲି ଜାଭଡେକର ଘୋଷଣା କରିଥିଲେ ଏବଂ ଏଥିପାଇଁ ୩ ବର୍ଷ ସମୟ ଦେଇଥିଲେ। ଏବେ ଏହି ନିୟମ କାର୍ଯ୍ୟକାରୀ ହେବ।