କୋଲକାତା: ବଞ୍ଚିଥିବା ବେଳେ ଶାନ୍ତି ମିଳିଲାନି। ଭାବୁଛି ମୃତ୍ୟୁ ମୋତେ ଶ‌ାନ୍ତି ଦେବ। ଏଭଳି ଲେଖି ଜୀବନ ହାରିଲେ ଭାରତୀୟ ବିଜ୍ଞାନ ଶିକ୍ଷା ଏବଂ ଗବେଷଣା ସଂସ୍ଥାନ(ଆଇଆଇଏସଇଆର)ର ପିଏଚଡି ସ୍କଲାର ଅନମିତ୍ର ରାୟ। ପଶ୍ଚିମବଙ୍ଗର ନଦିଆ ଜିଲ୍ଲା‌ରେ ଥିବା କଲ୍ୟାଣୀରେ ଏହି ଅଭାବନୀୟ ଘଟଣା ଘଟିଛି। ଏହି ହୃଦୟଥରା ପଦକ୍ଷେପ ନେବା ପୂର୍ବରୁ, ୨୫ବର୍ଷୀୟ ରାୟ ସୋସିଆଲ ମିଡିଆରେ ପୋଷ୍ଟ କରି ଇନଷ୍ଟିଚ୍ୟୁଟର ପ୍ରଶାସନ ଉପରେ ରାଗିଂ ଅଭିଯୋଗକୁ ଅଣଦେଖା କରୁଥିବାର ଆରୋପ ଲଗାଇଥିଲେ। ରାୟ ପଶ୍ଚିମବଙ୍ଗର ଉତ୍ତର ୨୪ପରଗନା ଜିଲ୍ଲାର ଶ୍ୟାମନଗରର ବାସିନ୍ଦା ଥିଲେ ଏବଂ ଜୀବବିଜ୍ଞାନରେ ଗବେଷଣା କରୁଥିଲେ। ଗୁରୁବାର ସନ୍ଧ୍ୟାରେ, ସେ ଆଇଆଇଏସଇଆରର ଏକ ଲ୍ୟାବରେ ଅଚେତ ଅବସ୍ଥାରେ ପଡ଼ିଥିବାର ଦେଖାଯାଇଥିଲା।

Advertisment

ପୁଲିସର ସୂଚନା ଅନୁସାରେ, ଚେନା ନଥିବା ଅବସ୍ଥାରେ ତାଙ୍କୁ ତୁରନ୍ତ କଲ୍ୟାଣୀ ଏମସକୁ ନିଆଯାଇଥିଲା, ଯେଉଁଠାରେ ଶୁକ୍ରବାର ସକାଳେ ତାଙ୍କର ମୃତ୍ୟୁ ହୋଇଥିଲା। ସେ କୌଣସି ବିଷାକ୍ତ ପଦାର୍ଥ ଖାଇଥିବା ଅଭିଯୋଗ ହୋଇଛି। ଜୀବନ ହାରିବା ପୂର୍ବରୁ ଅନମିତ୍ର ତାଙ୍କର ଶେଷ ଅନଲାଇନ୍ ପୋଷ୍ଟରେ ଲେଖିଥିଲେ, 'ହୁଏତ ମୁଁ ଏହି ଦୁନିଆ ପାଇଁ ତିଆରି ହୋଇନାହିଁ... ମୁଁ ଆଉ ସହ୍ୟ କରିପାରୁନାହିଁ। ମୁଁ ହାର ମାନିଯାଉଛି। ଆଶା କରୁଛି ଯେ ମୃତ୍ୟୁରେ ମୁଁ ସେହି ଶାନ୍ତି ପାଇବି ଯାହା ମୁଁ ଜୀବନରେ ପାଇପାରିଲି ନାହିଁ।'

ପୋଷ୍ଟରେ ସେ ପ୍ରକାଶ କରିଛନ୍ତି ଯେ, "ପିଲାଦିନରୁ ନିଜ ମାତାପିତାଙ୍କ ପାଇଁ ଅବସାଦଗ୍ରସ୍ତ ରହୁଥିଲି। ଯେଉଁଭଳି ସ୍ନେହ ଓ ଭଲପାଇବା ମିଳିବା ଦରକାର ତାହା ମୋତେ ମୋ ପିତାମାତାଙ୍କଠାରୁ ମିଳିନଥିଲା। ମୁଁ ପ୍ରଥମେ ଷଷ୍ଠ ଶ୍ରେଣୀରେ ଧମକ ଯୋଗୁଁ ଆତ୍ମହତ୍ୟା କରିବାକୁ ଚିନ୍ତା କରିଥିଲି। ଏହା ପରେ ୧୪ ବର୍ଷ ବୟସରେ ଦଶମ ଶ୍ରେଣୀରେ ପଢ଼ିବା ବେଳେ ପ୍ରଥମ ଥର ପାଇଁ ଅବସାଦର ଶିକାର ହେଲି। ଘରେ ନିରନ୍ତର ନିର୍ଯାତନା ମଧ୍ୟରେ ମୁଁ କୌଣସି ପ୍ରକାରେ କଲେଜରେ ଯାଇ ପଢିଲି। କଲେଜରେ ଦ୍ୱିତୀୟ ବର୍ଷରେ ୧୮ ବର୍ଷ ବୟସରେ ପୁଣି ଥରେ ଅବସାଦଗ୍ରସ୍ତ ହୋଇଗଲି। ସେବେଠାରୁ ଏହା ମୋତେ ଛାଡିନାହିଁ। ଘର ପରେ ମୋତେ ଆଇଆଇଏସଇଆରରେ ବି ଅସମ୍ମାନର ସାମ୍ନା କରିବାକୁ ପଡ଼ିଲା। ଏମଧ୍ୟରେ ମୋତେ ଅଟିଜିମ୍ ହୋଇଥିବା ଜାଣିବାକୁ ପାଇଲି। ଏରୋଗ ମୋ ଜୀବନ ଯାତ୍ରା ଆହୁରି କଷ୍ଟଦାୟକ କରିଦେଲା। ଆଇଆଇଏସଇଆରରେ ମୋ ଅଭିଯୋଗ କେହି ଶୁଣିଲେ ନାହିଁ। ମୋତେ ଏବଂ ମୋ ସହପାଠୀଙ୍କୁ ପିଏଚଡି ଛାତ୍ର ସୌରଭ ବିଶ୍ୱାସ ବାରମ୍ବାର ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଉଥିଲେ। ଏ ବିଷୟରେ ଆମେ ଗାଇଡ୍ ଏବଂ ଆଣ୍ଟି-ରାଗିଂ ସେଲ୍ ନିକଟରେ ଅଭିଯୋଗ କରିଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା।"

ସେ ଆହୁରି ଲେଖିଥିଲେ, "ଏପ୍ରିଲ ୧୨ ତାରିଖରେ, ସୌରଭ ବିଶ୍ୱାସ ଲ୍ୟାବ୍‌ରେ ବହୁତ ସମୟ ଧରି ମୋ ଉପରେ ଚିତ୍କାର କରିଥିଲେ। ସେହି ଦିନ ମୁଁ ଇମେଲ୍ ଏବଂ ପୋର୍ଟାଲ୍ ମାଧ୍ୟମରେ ଅଭିଯୋଗ କରିଥିଲି, କିନ୍ତୁ କୌଣସି ଉତ୍ତର ପାଇ ନଥିଲି। ଜଣେ ଛାତ୍ର ପରିଷଦ ସଦସ୍ୟ ମୋତେ ସମର୍ଥନ କରିଥିଲେ। ହେଲେ ଅନ୍ୟ ଜଣେ କହିଥିଲେ ଯେ, ଅଭିଯୋଗ କରିବା ପୂର୍ବରୁ ଲ୍ୟାବ୍‌ର ଖ୍ୟାତି ପ୍ରତି ଧ୍ୟାନ ଦିଆଯିବା ଉଚିତ ଥିଲା। ତୁମେ ଯେଉଁମାନେ ଏହା ପଢ଼ୁଛ, ଯଦି ମୋର ତୁମ ଜୀବନରେ ଟିକିଏ ବି ସକାରାତ୍ମକ ପ୍ରଭାବ ପଡ଼ିଛି, ଦୟାକରି ମୋର ଦୋଷୀ ସୌରଭ ବିଶ୍ୱାସଙ୍କୁ ତା’ର ପିଏଚଡି ନଦେବା ଏବଂ ତାଙ୍କୁ ଆଣ୍ଟି-ରାଗିଂ ନିୟମ ଅନୁଯାୟୀ ଦଣ୍ଡ ଦେବା ପାଇଁ ଲଢ଼ିବେ।"

ଏଭଳି ଲେଖିବା ପରେ ସେ ଜୀବନ ହାରି ଦେଇଥିଲେ।