ନୂଆଦିଲ୍ଲୀ: ଇଣ୍ଡୋନେସିଆର ସ୍ବାଧୀନତା ସଂଗ୍ରାମରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ଭୂମିକାକୁ ସମ୍ମାନ ଜଣାଇ ଆଜି ନୂଆଦିଲ୍ଲୀର ତିନମୂର୍ତ୍ତି ମେମୋରିଆଲରେ ଏକ ଫଟୋ ପ୍ରଦର୍ଶନୀ କରାଯାଇଛି। ଭାରତ-ଇଣ୍ଡୋନେସିଆ କୂଟନୈତିକ ସଂପର୍କର ୭୦ ବର୍ଷ ପୂର୍ତ୍ତି ଅବସରରେ ଇଣ୍ଡୋନେସିଆ ଦୂତାବାସ ପକ୍ଷରୁ ଏହି ପ୍ରଦର୍ଶନୀ ଆୟୋଜନ ହୋଇଛି। ଏହି ପ୍ରଦର୍ଶନୀକୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ବିଜୁ ପଟ୍ଟନାୟକଙ୍କ ବଡ଼ପୁଅ ପ୍ରେମ୍ ପଟ୍ଟନାୟକ ସ୍ବତନ୍ତ୍ର ଅତିଥି ଭାବେ ଉଦଘାଟନ ଉତ୍ସବରେ ଯୋଗ ଦେଇଥିଲେ । ଏହି ଅବସରରେ ଭାରତରେ ଅବସ୍ଥାପିତ ଇଣ୍ଡୋନେସିଆର ରାଜଦୂତ , ବିଜେଡ଼ି ସାଂସଦ ପିନାକୀ ମିଶ୍ର ଓ ବିଜୁ ବାବୁଙ୍କ ନାତି ଅରୁଣ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/post_attachments/wp-content/uploads/2020/02/WhatsApp-Image-2020-02-27-at-14.39.12.jpeg)
ଏହି ପ୍ରଦର୍ଶନୀରେ ବିଜୁଙ୍କର ୧୫ଟି ବିରଳ ଫଟୋ ପ୍ରଦର୍ଶିତ କରାଯାଇଛି। ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ ଥିବା କୂଟନୈତିକ ସଂପର୍କକୁ ୭୦ବର୍ଷ ପୂରିବା ଅବସରରେ ଯେଉଁ ପ୍ରଦର୍ଶନୀ ଆୟୋଜନ ହୋଇଛି, ସେଥିରେ ଏକ ସ୍ବତନ୍ତ୍ର ଗ୍ୟାଲେରିରେ ବିଜୁ ପଟ୍ଟନାୟକଙ୍କର ଫଟୋ ପ୍ରଦର୍ଶିତ ହୋଇଛି। ପ୍ରଦର୍ଶନୀର ଉଦଘାଟନ କରିବା ସହ ଇଣ୍ଡୋନେସିଆର ସ୍ବାଧୀନତା ସଂଗ୍ରାମରେ ବିଜୁ ବାବୁଙ୍କ ଉଲ୍ଲେଖନୀୟ ଭୂମିକାର ସ୍ମୃତିଚାରଣ କରିଥିଲେ କେନ୍ଦ୍ରମନ୍ତ୍ରୀ । ଏଥିଲାଗି ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ ‘ଭୂମିପୁତ୍ର’ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ପ୍ରଦାନ କରାଯାଇଥିଲା।
ତେବେ ଏହି ଅବସରରେ ପ୍ରେମ ପଟ୍ଟନାୟକ କହିଛନ୍ତି, ଇଣ୍ଡୋନେସିଆ ପାଇଁ ବିଜୁ ବାବୁଙ୍କ ଅବଦାନ ଲାଗି ଆମେ ଗର୍ବିତ । ସେପଟେ ରାଜନୀତିରେ ପ୍ରବେଶ ପ୍ରସଙ୍ଗକୁ ଏଡାଇ ଯାଇଛନ୍ତି ଅରୁଣ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜନୈତିକ ଉତ୍ତରାଧିକାରୀ ପୁତୁରା ଅରୁଣ ହେବା ନେଇ ବିଭିନ୍ନ ସମୟରେ ଚର୍ଚ୍ଚା ହେଉଥିବା ବେଳେ ଏ ନେଇ ନୀରବ ରହିଛନ୍ତି ଅରୁଣ ପଟ୍ଟନାୟକ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/7950b2e1-a9d5-4bd4-9fd2-dc4ea3a3171d.jpg)
