ଫଟୋ ବିକୃତ ମାମଲାରେ ସୁପ୍ରିମ କୋର୍ଟଙ୍କ ନିର୍ଦେଶ:ମମତାଙ୍କୁ କ୍ଷମା ମାଗିବେ ପ୍ରିୟଙ୍କା

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଫଟୋକୁ ବିକୃତ କରି ସୋସିଆଲ ମିଡିଆରେ ପୋଷ୍ଟ୍‌ କରିବା ଘଟଣାରେ ଜେଲ୍‌ ଯାଇଥିବା ବିଜେପି ଯୁବ ନେତ୍ରୀ ପ୍ରିୟଙ୍କା ଶର୍ମାଙ୍କୁ ଆଜି ସୁପ୍ରିମକୋର୍ଟରୁ ଜାମିନ ମିଳିଛି। ସୁପ୍ରିମକୋର୍ଟରେ ଜ‌ଷ୍ଟିସ୍‌ ଇନ୍ଦିରା ବାନାର୍ଜୀ ଏବଂ ଜଷ୍ଟିସ୍‌ ସଂଜୀବ ଖାନ୍ନାଙ୍କ ଅବକାଶ କାଳୀନ ଖଣ୍ଡପୀଠ ପ୍ରିୟଙ୍କାଙ୍କୁ ଜାମିନ ପ୍ରଦାନ କରିବା ସହ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କ୍ଷମା ମାଗିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି ଶର୍ମା ଜେଲ୍‌ରୁ ମୁକୁଳିବାପରେ ପ୍ରଥମେ ଲିଖିତ ଭାବେ ମମତାଙ୍କୁ କ୍ଷମା ମାଗିବେ। ଜଣେ ସାଧାରଣ ବ୍ୟକ୍ତି ଅପେକ୍ଷା ଜଣେ ରାଜନେତା ବିଶେଷ କରି ଜଣେ ଯୁବ ନେତ୍ରୀ କୌଣସି ସାମ୍ବିଧାନିକ କର୍ତ୍ତୃପକ୍ଷଙ୍କ ଫ‌ଟୋକୁ ଏଭଳି ବିକୃତ କରିବା ଆଦୌ ଠିକ୍‌ ନୁହେଁ। ଜଣେ ଯୁବ ନେତ୍ରୀ ଭାବେ ପ୍ରିୟଙ୍କା ଏଦିଗରେ ଅଧିକ ସ‌ଚେତନ ରହିବା ଉଚିତ୍‌ ବୋଲି ଖଣ୍ଡପୀଠ କହିଛନ୍ତି।
ଉଲ୍ଲେଖଯୋଗ୍ୟ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମୁହଁକୁ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ଫଟୋରେ ଯୋଡ଼ି ବିଜେପି ‌ଯୁବ‌ ନେତ୍ରୀ ପ୍ରିୟଙ୍କା ସୋସିଆଲ୍‌ ମିଡିଆରେ ପୋଷ୍ଟ୍‌ କରିବାପରେ ଏହାକୁ ଟିଏମ୍‌ସି ପକ୍ଷରୁ ବିରୋଧ କରାଯାଇଥିଲା। ଟିଏମ୍‌ସି ନେତା ବିଭାସ ହାଜରାଙ୍କ ଅଭିଯୋଗ କ୍ରମେ ଶର୍ମାଙ୍କୁ ଗତ ୧୦ ତାରିଖରେ ଆଇପିସିର ଧାରା ୫୦୦ ଅଧୀନରେ ପଶ୍ଚିମବଙ୍ଗ ପୁଲିସ ଗିରଫ କରିଥିଲା। ପରେ ତାଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହାଜତକୁ ପଠାଇ ଦିଆଯାଇଥିଲା। ତେବେ ଆଜି ସୁପ୍ରିମ‌କୋର୍ଟରୁ ଜାମିନ ମିଳିବାପରେ ପ୍ରିୟଙ୍କା ଆଶ୍ବସ୍ତ ହୋଇଛନ୍ତି।

ସମ୍ବନ୍ଧିତ ଖବର