ପାନାଜି: ଦୁଇ ପାଖରେ ଧାଡ଼ି ଧାଡ଼ି ନଡ଼ିଆଗଛ ଥାଇ ବିଲ ଭିତରେ ପଡ଼ିଥିବା ଗୋଟାଏ ଅଣଓସାରିଆ ରାସ୍ତାରେ ଫଟୋଟିଏ ଉଠାଇବା ବାବଦରେ ପର୍ଯ୍ୟକଟଙ୍କ ଠାରୁ ସ୍ଥାନୀୟ ପର୍ରା ଗ୍ରାମପଞ୍ଚାୟତ ୫୦୦ ଟଙ୍କା ଦାବି କରୁଥିବା ଘଟଣାର ଭିଡିଓ ଭାଇରାଲ୍ ହେବା ପରେ ଅସନ୍ତୋଷ ଦେଖାଦେଇଛି।
ଏ ଭଳି ବେଆଇନ ଟିକସ ଗୋଆ ପର୍ଯ୍ୟଟନ ପ୍ରତି ଦୁର୍ନାମ ଆଣିବ କହି ଗୋଆର ପର୍ଯ୍ୟଟନ ମନ୍ତ୍ରୀ ମନୋହର ଅଜ୍ଗାଓଁକର୍ ଘଟଣାର ତଦନ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ସେ କହିଛନ୍ତି: ଫଟୋ ଉଠାଇବା ବାବଦରେ ପର୍ଯ୍ୟଟକଙ୍କ ଠାରୁ ଅର୍ଥ ଆଦାୟ କରିବା ଅନୁମତି ଆମେ ସେମାନଙ୍କୁ ଦେଇନାହୁଁ। ପର୍ଯ୍ୟଟନ ସ୍ଥଳୀ ଗୋଆର ସୁନାମକୁ ଏହା ପ୍ରଭାବିତ କରିବ। ପଞ୍ଚାୟତ କି, ନିଷ୍ପତ୍ତି ନେଇଛି ମୁଁ ଯାଞ୍ଚ କରିବି। ଯଦି ସେମାନେ ଫଟୋ ଉଠାଇ ପାଇଁ ଅର୍ଥ ନେଉଥିବେ ତାହା ତୁରନ୍ତ ପ୍ରତ୍ୟାହାର କରିବାକୁ କହିବି।
ପର୍ଯ୍ୟଟକମାନେ ଗାଁର ଫଟୋ ଉଠାଇଲେ ପଇସା ପଡ଼ିବ ବୋଲି ସ୍ପଷ୍ଟ ଭାବେ ଲେଖି ଗ୍ରାମ ପଞ୍ଚାୟତ ସେ ରାସ୍ତାରେ ବିଜ୍ଞପ୍ତି ଲଗାଇଛି।
ଏ ସଂକ୍ରାନ୍ତରେ ପଞ୍ଚାୟତ ସଦସ୍ୟମାନେ କୌଣସି ବିବୃତି ଦେଇ ନାହାନ୍ତି।
ସମ୍ପୃକ୍ତ ଅଞ୍ଚଳର ପ୍ରତିନିଧିତ୍ୱ କରୁଥିବା ବିଧାୟକ ମାଇକେଲ୍ ଲୋବୋ କହନ୍ତି: ବଣଭୋଜି କରିବାକୁ ଏଠାକୁ ଆସିଥିବା ପ୍ରାୟ ୩୦/୪୦ ଜଣ ଲୋକ ଆବର୍ଜନା ପକାଇ ଚାଲିଗଲେ। ପଞ୍ଚାୟତ ଓକିଲଙ୍କୁ ପରାମର୍ଶ କରିବାରୁ ସେମାନେ କହିଲେ କି, ଆବର୍ଜନା ଟିକସ ବାବଦକୁ ତାଙ୍କ ଠାରୁ ଅର୍ଥ ଆଦାୟ କର।
ପର୍ରା ପଞ୍ଚାୟତ ସରପଞ୍ଚ ହେଉଛନ୍ତି ଲୋବୋଙ୍କ ପତ୍ନୀ ।