ନୂଆଦିଲ୍ଲୀ: ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଏକ ଫଟୋଚିତ୍ର ନୂଆଦିଲ୍ଲୀ ସ୍ଥିତ ଲାଲକିଲ୍ଲାର ଆଜାଦୀ କେ ଦୀୱାନେ ସଂଗ୍ରହାଳୟରେ ପ୍ରାୟ ଦୁଇ ଦଶନ୍ଧି ପରେ ପୁନଃସ୍ଥାପନ କରାଯାଇଛି I ଗୋପବନ୍ଧୁଙ୍କ ଏହି ଫଟୋ ଚିତ୍ରକୁ ଭାରତୀୟ ପୁରାତତ୍ତ୍ୱ ସର୍ବେକ୍ଷଣର ମହାନିର୍ଦେଶକ କିଶୋର ବାସା ଆଜି ସ୍ୱାଧୀନତା ସଂଗ୍ରାମୀଙ୍କ ଗ୍ୟାଲେରୀରେ ସ୍ଥାପିତ କରିଛନ୍ତି। ଓଡ଼ିଶାର ଏହି ବରପୁତ୍ରଙ୍କ ଛବିଟି ଅନ୍ୟ ସ୍ୱାଧୀନତା ସଂଗ୍ରାମୀ ଜବାହରଲାଲ ନେହରୁ, ମଦନମୋହନ ମାଲବିୟ, ମୋତିଲାଲ ନେହରୁ ଏବଂ ସରୋଜିନୀ ନାଇଡ଼ୁଙ୍କ ସହିତ ସ୍ଥାନ ପାଇଛି I ଏହି ଫଟୋ ଚିତ୍ରଟି ବାଲେଶ୍ୱର ଆର୍ଟ ଏବଂ କ୍ରାଫ୍‌ଟ ମହାବିଦ୍ୟାଳର ପୁରାତନ ବିଭିଏ ଛାତ୍ର ମନୋଜ କୁମାର ରାଉଳଙ୍କ ଦ୍ୱାରା ଅଙ୍କାଯାଇଛି।

Advertisment

ଏହି କାର୍ଯ୍ୟକ୍ରମଟି ବାଣୀବିହାର ପୁରାତନ ଛାତ୍ର ସଂଘ (ଭୋସ ୯୨) ର ପ୍ରଚେଷ୍ଟାରେ ସଫଳ ହୋଇଛି। ଏହି ଅବସରରେ ପୁରାତତ୍ତ୍ୱ ସର୍ବେକ୍ଷଣର ଦିଲ୍ଲୀ ଅଧିକାରୀ ପ୍ରବୀଣ ସିଂ, ଓଡ଼ିଶା ପରିମଣ୍ଡଳ ଅଧିକାରୀ ସୁଶାନ୍ତ କୁମାର କର, ଭୋସ ୯୨ ର ସଂସ୍ଥାପକ ସଦସ୍ୟ ତଥା ପ୍ରାକ୍ତନ ସମ୍ପାଦକ ଗଦାଧର ରଥ, ଭୋସ ଦିଲ୍ଲୀ ଶାଖାର ମୁଖ୍ୟ ସଂଯୋଜକ ବିଶ୍ୱଭୂଷଣ ସୁଆର ଏବଂ ବରିଷ୍ଠ ସାମ୍ବାଦିକ ବିଭୁଦତ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ପୂର୍ବରୁ ୨୦୧୭ ମସିହାରେ ଭୋସ ୯୨ ଉଦ୍ୟମରେ ଉତ୍କଳ ବିଶ୍ୱବିଦ୍ୟାଳୟ ଦର୍ଶନ ଶାସ୍ତ୍ର ବିଭାଗ ଉଦ୍ୟାନରେ ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା।