୪୦ରୁ ଅଧିକ ଲୋକଙ୍କ ଉନ୍ମତ୍ତକାଣ୍ଡ: ଘରୁ ମହିଳା ଡାକ୍ତରଙ୍କୁ ଉଠାଇନେଲେ

ହାଇଦ୍ରାବାଦ : ତେଲେଙ୍ଗାନାରେ ଗତକାଲି ଏକ ଅଭାବନୀୟ ଘଟଣାକ୍ରମରେ ପ୍ରାୟ ୪୦ ଜଣ ଲୋକ ଜଣେ ୨୪ ବର୍ଷୀୟା ମହିଳାଙ୍କ ଘରେ ପଶି ତାଙ୍କୁ ଅପହରଣ କରିନେଇଥିଲେ। ମହିଳା ଜଣଙ୍କ ହେଉଛନ୍ତି ଜଣେ ଦାନ୍ତ ଡାକ୍ତର। ଗତକାଲି ତାଙ୍କର ନିର୍ବନ୍ଧ ଥିଲା। କିନ୍ତୁ ନିର୍ବନ୍ଧ ଦିନ ହିଁ ତାଙ୍କ ଘରେ ଗୁଣ୍ଡାମାନେ ପଶି ତାଙ୍କୁ ଉଠାଇ ନେଇଥିଲେ। ଏହି ଘଟଣାର ଭିଡିଓ ମଧ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଅବଶ୍ୟ ପୁଲିସର ସର୍ଚ୍ଚ‌୍ ଅପରେସନ୍‌ ପରେ ମହିଳାଙ୍କୁ ଉଦ୍ଧାର କରାଯାଇଛି। ଉକ୍ତ ଘଟଣାରେ ପୁଲିସ କିଛି ଅଭିଯୁକ୍ତଙ୍କୁ ଗିରଫ କରିଛି ଏବଂ ସେମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

ମହିଳା ଜଣଙ୍କ ହେଉଛନ୍ତି ଜଣେ ବିଡିଏସ୍‌ ଗ୍ରାଜୁଏଟ୍‌। ହାଇଦ୍ରାବାଦ ନିକଟସ୍ଥ ରାଙ୍ଗା ରେଡ୍ଡି ଜିଲ୍ଲା ସ୍ଥିତ ଆଦିବତଲା ଗ୍ରାମରୁ ତାଙ୍କୁ ଗତକାଲି ଅପହରଣ କରାଯାଇଥିଲା। ତେବେ ମହିଳାଙ୍କ ବାପା ମା’ ଅଭିଯୋଗ କରିଛନ୍ତି ଯେ ପ୍ରାୟ ୧୦୦ରୁ ଅଧିକ ଲୋକ ଗତକାଲି ତାଙ୍କ ଘରେ ପଶି ତାଙ୍କ ଝିଅ ବୈଶାଳୀଙ୍କୁ ଅପହରଣ କରିନେଇଥିଲେ। ସେମାନେ ତାଙ୍କ ଘରେ ମଧ୍ୟ ଭଙ୍ଗାରୁଜା କରିଥିଲେ ଏବଂ ଜଣେ ବ୍ୟକ୍ତିଙ୍କୁ ବାଡ଼ି ଏବଂ ରଡ୍‌ରେ ପିଟିଥିଲେ। ପରିବାର ସଦସ୍ୟଙ୍କ ଅଭିଯୋଗ ଅନୁଯାୟୀ ନବୀନ ରେଡ୍ଡି ନାମକ ଜଣେ ବ୍ୟକ୍ତି ତାଙ୍କ ଝିଅକୁ ବିବାହ କରିବାପାଇଁ ତାଙ୍କ ଉପରେ ବାରମ୍ବାର ଚାପ ପକାଉଥିଲା। ସେ ତାଙ୍କୁ ମାନସିକ ନିର୍ଯାତନା ଦେଉଥିଲା। ସେ ହିଁ ଏହି କାଣ୍ଡ ଘଟାଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ପୁଲିସ ଏହି ମାମଲାରେ ୧୮ ଜଣଙ୍କୁ ଗିରଫ କରିଛି। ଫେରାର୍‌ ନବୀନ ରେଡ୍ଡିକୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ତଲାସୀ ଚାଲିଛି।

ସମ୍ବନ୍ଧିତ ଖବର